Unknown

 

 

 

 

 

 

 

 

 

 

 

ଭାଉଜ ବୋଉ

ଶ୍ରୀ କମଳାକାନ୍ତ ଦାସ

 

ଏକ

 

ରାହାସବିହାରୀ ଆଉ କୃଞ୍ଜବିହାରୀ ଦୁଇଟି ଭାଇ । ଏକା ଲାହି ଖଣ୍ତ, ଗୋଟିଏ ଗଛରେ ଯୋଡ଼ିଏ ଶାଖା, ଗୋଟିଏ ବୃନ୍ତରେ ଦିଓଟି ଫୁଲ । ଦଶ ବରଷର ସାନ ବଡ଼ । ରାହାସ ବଡ଼, ଆଉ କୁଞ୍ଜଟି ସାନ ।

 

ରାହାସର ଆଖି ଆଗରେ କୁଞ୍ଜର ଜନମ । ତା ବ୍ରତ ବେଳକୁ କୁଞ୍ଜଟି କାନ୍ଥ ବାଡ଼ ଧରି ଚାଲିଛି । କହ, ‘ବାବା’–‘ଅବ୍ ବାଆ’; ମା’–‘ମାମ୍‍ମା’; ‘ନ ନା’–ନା” ଇମିତି କରି ରାହାସ କୁଞ୍ଜକୁ କଥା କହି ଶିଖାଇଛି । ତା ହାତ ଧରି ଧୀରେ ଧୀରେ ଚଲେଇଛି । ତାରି ସାଥିରେ କଳିଗୋଳ କରି ତାକୁ କନ୍ଦେଇଛି; ତା’ଠୁ ମାଡ଼ ବି ଖାଇଛି । କିନ୍ତୁ ବାପା ଚାଲିଯାଇଛନ୍ତି, ବୋଉ ଆଖି ବୁଜିଛି । ବାଳକ କୁଞ୍ଜବିହାରୀର ସାରା ସଂସାରରେ ବଡ଼ଭାଇ ରାହାସବିହାରୀ ଓ ଭାଉଜ ସୁକୁମାରୀ ଛଡ଼ା ଆଉ କେହି ନାହିଁ । ସେହିମାନେହିଁ ତା’ର ବାପ, ମା, ଭାଇ, ବନ୍ଧୁ,–ସବୁ ।

 

ଶହକେ ଅନେଶତଟା ଘର ଭାଙ୍ଗେ–ପର ଘରୁ ଝିଅ ଆସିଲେ । ଭାଇ ପର ହୋଇଯାଏ, ବାପ ମା ଶତ୍ରୁ ହୋଇ ଯାଆନ୍ତି, ଆପଣା ପିଲାର ପାଟିରେ ଗରଳ ଢାଳିବାକୁ ବାପକୁ ଦ୍ୱିଧା ଲାଗେ ନାହିଁ–ଦ୍ୱିତୀୟ ପତ୍ନୀର ଅଭିମାନ ଓ ଅନୁରୋଧରେ । ନିତି ଘଟେ ଏହି କଥା–ଅଳ୍ପେ ବହୁତେ, ସବୁ ଦେଶରେ, ସବୁ କାଳରେ । ସୁକୁମାରୀ ପର ଘରର ଝିଅ, ଆଉ କୁଞ୍ଜବିହାରୀ ଦିଅରଭାଇ ଭଗାରୀ । କିନ୍ତୁ ସେ କୁଞ୍ଜର ଭାଉଜ ନୁହେଁ–ମା’ । କୁଞ୍ଜ ଆପଣା ପେଟର ନୋହିଲେ ସୁଦ୍ଧା ତା’ର ପୁଅ, ତା’ର ସର୍ବସ୍ୱ । ସେ ଏ ଘରେ ଗୋଡ଼ ଦେବାର ଢେର ଦିନ ଆଗରୁ ଶଶୁରେ ବିଦା ହୋଇଥିଲେ । ତାଙ୍କ ଚରଣ ଦର୍ଶନ କରିବା ସୁକୁମାରୀଙ୍କ ଭାଗ୍ୟରେ ଘଟି ନାହିଁ । କିନ୍ତୁ ଶାଶୁଙ୍କୁ ସେ ଜାଣନ୍ତି । ଆଖି ବୁଜିଲା ବେଳେ ସୁକୁମାରୀଙ୍କ କୋଳରେ ମୁଣ୍ତ ରଖି ସେ କହିଛନ୍ତି “ବୋହୂ ! ମାଆ ମୋର, କୁଞ୍ଜଟି ତୋର” । ଠିକ୍ ସେଇଦିନୁ କୁଞ୍ଜଟି ସୁକୁମାରୀଙ୍କର ପିଲା ।

 

ବୋହୂ ହୋଇ ଆସିବାର ସାତ ବର୍ଷ ବିତିଗଲାଣି; ହେଲେ ସୁକୁମାରୀଙ୍କର ପିଲା ବାଳକ କିଛି ନାହିଁ । ସାଇ ପଡ଼ିଶାରେ ବାରକଥା କହୁଛନ୍ତି । ସୁକୁମାରୀଙ୍କ ନରମ ଅନ୍ତରରେ ସେସବୁ ଭାରି ବାଧେ । କିନ୍ତୁ ସେ କୁଞ୍ଜର ମୁହଁଟି ଆଡ଼କୁ ଅନାଇ ଦେଇ ସବୁ କଥା ପାସୋରି ପକାନ୍ତି–ସେ ତାଙ୍କର ସଙ୍ଖାଳି ଯେ ! ଆଖିରେ ଲୁହ ଝରି ଆସିଲେ ସେ ପଣନ୍ତରେ ପୋଛି ପକାଇ ଡାକନ୍ତି–“କୁଞ୍ଜ, ହେ କୁଞ୍ଜ ! ଅଇଲ ଏଣିକି ! ତେମେ ନ ଖାଇ ନ ପିଇ ଖରା ତରାରେ ବୁଲୁଚ କାହିଁକି ? ମୁହଁ ଶୁଖିଗଲାଣି ଯେ–ଏଡ଼ିକି ଚଗଲା ?”

 

ଚଗଲା କୁଞ୍ଜବିହାରୀ କାକୁସ୍ତ ହୋଇ ପ୍ରମାଦ ଗଣେ–ଭାଉଜ ରାଗିଲେଣି ଯେ; କୋଳ ପାଖକୁ ସେ ବସିପଡ଼େ ।

 

‘‘କୋଉଁଠି ଯାଇ ବୁଲୁଥିଲ କି ? ମୁଣ୍ତରେ ଝୁଲ ଅଳନ୍ଧୁ ଏତେ ଲାଗିଛି, ପଢ଼ିଲା ଶୁଣିଲା ପିଲା–ଏଗୁଡ଼ାକ କଅଣ ?” ସୁକୁମାରୀ ସାନ ଦିଅରଟିର ମୁଣ୍ତ ଝାଡ଼ିଦେଇ ଲୁଗାକାନିରେ ମୁହଁରୁ ଝାଳ ପୋଛିଦିଅନ୍ତି ।

 

ଖଦଡ଼ ବ୍ୟାଗ୍ ଖଣ୍ତିକ ବାଁ ହାତରେ ଓହଳାଇ ଚଟି ଦି’ପଟ ମାଡ଼ି ରାହାସବିହାରୀ ଅଗଣା ଭିତରକୁ ପଶି ଆସନ୍ତି । କୁଞ୍ଜ ପଢ଼ା ଘରକୁ ପଳାଇଯାଏ । ରାହାସ ସୁକୁମାରୀଙ୍କୁ ଲକ୍ଷ୍ୟ କରି କହନ୍ତି; “ଧନ୍ୟ ଧନ୍ୟ, ପିଲାଟାକୁ ମାଟି କରିଦବ ତୁମେ । ଇସ୍କୁଲ ବେଳ ଆସି ହେଲା, ଏବେବି ତେମେ ବସି ଗେଲ କରୁଛ ।” ସୁକୁମାରୀ କୁଞ୍ଜର ସବୁ କଥା ଘୋଡ଼ାଇ ରଖି କହନ୍ତି–“କାହିଁ କୁଞ୍ଜ ତ ଆମର ସୁନା ପୁଅ–ପଢ଼ୁଛି ବସି; ଏଣେ ତ ରୋସେଇ ହେଲା ବୋଲି, ଆଉ ବସିଛି କିଏ ? ତମର ସିନା କାମ ଦାମ କିଛି ନାହିଁ ଯେ କଂଗ୍ରେସ ନାଆଁ ଧରି ଝୁଲା ଖଣ୍ତେ ଘେନି ଘୂରି ଆସିଲେ ହେଲା–ଆମକୁ ଫୁରୁସତ କାହିଁ ? ନ ପଢ଼ିଲେ କୁଞ୍ଜ ପାଇଁ ସ୍କୁଲରେ ଦଣ୍ତର ବିଧାନ ଅଛି, ଆଉ କାମ ନ କଲେ ତମଠୁଁ ବାରକଥା ଶୁଣିବାକୁ ହେବ ମୋତେ–ତମ ଉପରକୁ ସିନା ଆଙ୍କୁଶ ନାହିଁ ।”

 

ସେ ଦିନଟି ଏହିଭଳି କଟୁ–ତିକ୍ତ କଥାରେ କଟିଯାଏ । କୁଞ୍ଜବିହାରୀ ଲୁଚି ଛପି ସ୍କୁଲକୁ ପଳାଏ । ବଡ଼ ଭାଇ ଆଗରେ ସେ ସଳଖ ହୋଇ ଛିଡ଼ା ହୁଏ ନାହିଁ । ବୋଉ କହିଛନ୍ତି–“ବଡ଼ଭାଇଙ୍କୁ ପିତୃ ସମାନ ମଣିବୁ ।”

 

ଦୁଇ

 

ଦିନ ଚାଲିଯାଏ–ରହେ ନାହିଁ । ଫୁଲଟିଏ ଫୁଟି ଝାଉଁଳି ପଡ଼େ । ଫଳଟିଏ ବଢ଼ି ପାଚି ଝଡ଼ିଯାଏ । ପିଲା ବଡ଼ ହୁଏ । ବଡ଼ ବୁଢ଼ା ହୁଏ । ବୁଢ଼ା ଢଳି ପଡ଼େ । ନଈର ସୁଅ ବହିଯାଏ, ଅଟକ ରହେ ନାହିଁ । ଆଚାର୍ଯ୍ୟ ବଂଶର ମର୍ଯ୍ୟାଦା ଅପରିମେୟ । ପାଞ୍ଚ ଶାସନର ସେ ଗୁରୁ, ପୁରୋହିତ । ଆଉ ପଣ୍ତିତ୍ୟରେ ଅଞ୍ଚଳଯାକରେ ପୂଜ୍ୟ । ସେହି କୁଳର ବଂଶଧର ରାହାସବିହାରୀ ଓ କୁଞ୍ଜବିହାରୀ; ଦୁଇଟି ଭାଇ, ସାନ ବଡ଼ । ଆଉ କୁଳଲକ୍ଷ୍ମୀ ସୁକୁମାରୀ ।

ବାପ ମାଆଙ୍କ ଯତ୍ନରେ ରାହାସ ସଂସ୍କୃତ ଭାଷାରେ ବେଶ୍ ପାଣ୍ତିତ୍ୟ ଲାଭ କରିଥିଲେ । ଇଂରାଜୀ ମଧ୍ୟ ଅଳ୍ପ କିଛି କିଛି ଜାଣିଥିଲେ । ବୟସରେ ଅଳ୍ପ ହେଲେ ସୁଦ୍ଧା ଆଖ ପାଖର ପୁରୁଖା ଲୋକେ ନ୍ୟାୟ ନିଶାପରେ ତାଙ୍କୁ ଡାକନ୍ତି । ଏହି ସୂତ୍ରରେ ରାହାସଙ୍କ ସୁଖ୍ୟାତି ଧୀରେ ଧୀରେ ବଢ଼ିବାରେ ଲାଗିଲା । ଠିକ୍ ଏତିକିବେଳେ ତାଙ୍କର ନିର୍ମଳ ମାନସପଟ ଉପରେ ମହାତ୍ମା ଗାନ୍ଧିଙ୍କର ପ୍ରଭାବ ପ୍ରତିଫଳିତ ହେଲା ।

ପହିଲି ଅସରାର ପରଶ ଲାଗିଲେ ବସୁମତୀ ଯେମିତି ନୂଆ ଦୁବଘାସ ଛଳରେ ଉଲୁସି ଉଠେ–ଠିକ୍ ସେହିପରି ଅସହଯୋଗର ସ୍ନିଗ୍ଧ ପରଶ ପାଇ ରାହାସ ଜାଗି ଉଠିଲେ–ଦେଶ ଓ ଦଶର ସେବା ଲାଗି । ସେ ମନେକଲେ ଯେମିତି ହେଉ ସୁପ୍ତ ଦେଶବାସୀଙ୍କୁ ଉଠାଇବାକୁ ହେବ ଏବଂ ସେମାନଙ୍କୁ ନୂଆ ପ୍ରାଣ ଦେବାକୁ ହେବ । ଆଉ ସେଥିପାଇଁ ଯେବେ ଆବଶ୍ୟକ ପଡ଼େ ତେବେ ସେ ଆପଣାକୁ ଜାଳି ପୋଡ଼ି ଧ୍ୱଂସ କରିଦେବେ ।

ସଳିତା ଅନ୍ୟକୁ ଆଲୋକ ଦେବା ଲାଗି ଆପଣାକୁ ପୋଡ଼େ ।

ଛାୟା ଦେବାକୁ ଯାଇ ପାଦପ ତୀକ୍ଷ୍‍ଣ କିରଣ ମଥା ପୋତି ସହିଯାଏ ।

ଏହି ଆଦର୍ଶ ଘେନି ରାହାସ ମନରେ ସାହସ ବାନ୍ଧିଲେ–ନ୍ୟାୟ ସତ୍ୟ ଲାଗି ସେ ଆତ୍ମବଳି ଦେବେ । ଜୀବନ ପଛକେ ଯାଉ ସେ କେବେହେଁ ଯାହା ସତ୍ୟ ନୁହଁ, ନ୍ୟାୟ ନୁହଁ ତାହା ସ୍ୱୀକାର କରି ପାରିବେ ନାହିଁ । ପୁରୁଣା ଲୋକେ ବୁଝାଇଲେ–ବାପା, ସରକାର ବିରୁଦ୍ଧରେ ଯାଅ ନାହିଁ । ଜେଲ୍ ହେବ, ସମ୍ପତ୍ତିବାଡ଼ି ବାଯ୍ୟାପ୍ତ ହୋଇଯିବ; କିନ୍ତୁ ସେ ଶୁଣିଲେ ନାହିଁ । ଗ୍ରାମେ ଗ୍ରାମେ ବୁଲି ସଭା କରାଇବା, ଲୋକଙ୍କୁ ବୁଝାଇବା, ଖବର କାଗଜ ପଢ଼ି ଶୁଣାଇବା ଇତ୍ୟାଦି ହେଲା ତାଙ୍କର କାମ । ଚାରି ପାଖରେ ପାଞ୍ଚ ସାତ ଖଣ୍ତି ଗ୍ରାମରେ ତାହାଙ୍କ ଉଦ୍ୟମରେ ପ୍ରାୟ ପାଞ୍ଚ ସାତ ଶହ ଅରଟ ଚାଲିଲା । ଅଧିକାଂଶ ଲୋକ ନିଜ ହାତକଟା ସୂତାରେ ଲୁଗା ବୁଣାଇ ପିନ୍ଧିବାକୁ ଲାଗିଲେ ।

ସଂସର୍ଗ, ଦୋଷ ଓ ଗୁଣର ଜନନୀ । ସ୍ୱାମୀଙ୍କର ପ୍ରଭାବ ସ୍ତ୍ରୀ ଉପରେ ମଧ୍ୟ ପଡ଼ିଲା । ଅଲିଅଳି ଝିଅ ସୁକୁମାରୀ ବାପଘରେ ଗେଲବସରରେ ବଢ଼ି ଆସୁଥିଲେ । ସ୍ୱାମୀଙ୍କ ଆଦର୍ଶ ତାହାଙ୍କଠାରେ ମଧ୍ୟ ପ୍ରତିଫଳିତ ହେଲା । ତାଙ୍କର କୁସୁମ–ସୁକୁମାର ଅଙ୍ଗୁଳିଗୁଡ଼ିକ ଅରଟ ସହିତ କ୍ରୀଡ଼ା କରିବାକୁ ଲାଗିଲେ । ଲଳିତ ଲବଙ୍ଗ–ଲତା ତୁଲ୍ୟ ଅଙ୍ଗଲତା ଖଦଡ଼ର କର୍କଶ ଆବରଣ ମଧ୍ୟରେ ଆବୃତ ହେଲା ।

ଆଜିର ଖଦଡ଼ ଶବ୍ଦ ଓ ସେଦିନର ଖଦଡ଼ ଶବ୍ଦ ଭିତରେ ଢେର୍‍ ତଫାତ୍ ।

ହାତରେ ସୂତାକାଟି ସୁକୁମାରୀ ଖଦଡ଼ ପିନ୍ଦିଲେ–ଜଣକର ଅନୁରୋଧରେ–ସେ ତାଙ୍କର ସ୍ୱାମୀ । ଲୋକଙ୍କର ନିନ୍ଦା କୁତ୍ସା ପ୍ରତି ସେ ଆଖି କାନ ବୁଜି ଦେଲେ । ସୂର୍ଯ୍ୟକାନ୍ତମଣିର ଉପାଦାନରେ ସେ ଗଢ଼ା । ଅଳ୍ପ ଆଲୋକରେ ସେ ଝଳି ଉଠନ୍ତି । ବାସ୍ତବିକ ପରମ୍ପରା ଜିନିଷଟା ଜାତି ବା ବ୍ୟକ୍ତିର ବିକାଶ ବିଷୟରେ ଗୋଟିଏ ମସ୍ତ ବଡ଼ ଉପାଦାନ । ପରମ୍ପରା ଉପରେ ଯିଏ ଦୃଢ଼ୀଭୂତ ନୁହ, ତାହାର ଆଦର୍ଶ ଅସ୍ୱଚ୍ଛ କାଚ ଖଣ୍ତ ଭଳି । ତହିଁରେ ଆଲୋକ ଆଦୌ ପ୍ରତିଫଳିତ ହୋଇପାରେ ନାହିଁ । ପାଣିରେ ଯେମିତି ଗାର ପଡ଼ି ପାରେ ନାହିଁ, ଲୋସଡ଼ା ମାଟିରେ ଯେମିତି ମୂର୍ତ୍ତି ଗଢ଼ି ହୁଏ ନାହିଁ, ଠିକ୍ ସେହିପରି ପରମ୍ପରା-ବିହୀନ ବ୍ୟକ୍ତିର ଆଦର୍ଶ । ସହଜେ ଆଲୋକ ପଡ଼େ ନାହିଁ; ପଡ଼ିଲେ ପ୍ରତିଫଳିତ ହୁଏ ନାହିଁ ।

ପରମ୍ପରା-ବିହୀନ ବ୍ୟକ୍ତି କିଛି ନୂଆ କଥା ଶୁଣିଲେ ସେହିଆଡ଼କୁ ଢଳି ପଡ଼େ । ପୁଣି ପର ମୁହୂର୍ତ୍ତରେ ଆଉ କିଛି କାହାଠାରୁ ଶୁଣିଲେ ତାହା ଠିକ୍ ବୋଲି ସେ ପୂର୍ବଟିକୁ ଛାଡ଼ି ନୂଆଟିକୁ ଗ୍ରହଣ କରି ପକାଏ । ତାହାର ନିଜର ବିଚାର ବୁଦ୍ଧି କିଛି ନାହିଁ । ବିଲ୍ୱମଙ୍ଗଳ ବାରାଙ୍ଗନା ଲାଗି ମଡ଼ା ଧରି ନଦୀ ପାର ହେଲେ, ସାପ ଲାଞ୍ଜକୁ ଆଶ୍ରୟ କରି ପାଚେରି ଡେଇଁଲେ କିନ୍ତୁ ପରକ୍ଷଣରେ ସାମାନ୍ୟ ଇଙ୍ଗିତ ପାଇ ତ୍ୟାଗୀ ସନ୍ନ୍ୟାସୀ ହୋଇଗଲେ । ଠିକ୍ ସେହିଭଳି ସୁକୁମାରୀ ଥିଲେ ଶିରୀଷ–ସୁକୁମାରୀ, ବିଳାସ ପାଳିତା; କିନ୍ତୁ ସାମାନ୍ୟ ଇଙ୍ଗିତରେ ସେ ହୋଇଗଲେ କୁଳିଶ କଠିନ, ନିଷ୍ଠାବତୀ । ଗୃହକର୍ମରୁ ଟିକିଏ ଅବସର ପାଇଲେ ସଂଗଠନ କାର୍ଯ୍ୟରେ ସେ ସ୍ୱାମୀଙ୍କ ପଛେ ପଛେ ଲାଗି ପଡ଼ନ୍ତି ।

ଆଉ କୁଞ୍ଜ ? ଗାଁ ମାଇନର ସ୍କୁଲରୁ ପାସ୍ କରି ବୃତ୍ତି ନେଲା । ରାହାସ ଭାଇକି ନେଇ କଟକରେ ଗୋଟିଏ ହାଇସ୍କୁଲରେ ନାଁ ଲେଖାଇଦେଲେ । ଘରେ ସମ୍ପତ୍ତି ବାଡ଼ି ବିଶେଷ କିଛି ନୁହେଁ-। ତଥାପି ସେ କୁଞ୍ଜଟିକୁ ଉଚ୍ଚ ଶିକ୍ଷା ଦେବା ଲାଗି ସଙ୍କଳ୍ପ କରି ବସିଲେ । ସୁକୁମାରୀ ବି କହିଲେ–“କୁଞ୍ଜ ମୋର ଏମ୍‍.ଏ. ପାସ୍ କରିବ !”

“ଧନ କାହିଁ ?”

“ଜମି ବାଡ଼ି ବିକ୍ରି ହେବ ।”

 

ତିନି

 

ନିଶାବର୍ଜନ ଆନ୍ଦୋଳନ ବେଳର କଥା । ନିତି କେତେଘଟଣା ଘଟି ଯାଉଛି । ସେହି ସମୟରେ ଦିନେ ସୁକୁମାରୀ ଦେବୀ ଆପଣାର ନିର୍ଜନ କୁଟୀର ମଧ୍ୟରେ ଏକାକିନୀ ବସି ସୂତା କାଟୁଛନ୍ତି । ମନ ଜ୍ଞାନ ଧ୍ୟାନ ସବୁ ତାଙ୍କର ଅରଟ ଖଣ୍ତିକରେ; ବାତୁଳ ଭଳି କୁଞ୍ଜବିହାରୀ ଆସି ଦଣ୍ତବତ ହେଲା । ଆଖି ତା’ର ଛଳ ଛଳ । “ନୂଆବୋଉ, ଶୁଣିଲଣି ? ନନାଙ୍କୁ ଛଅ ମାସ ଜେଲ୍ ହୁକୁମ ହେଲା ।”

 

ସ୍ୱାମୀ ଜେଲରେ–କିନ୍ତୁ ଖବର ପାଇ ସୁକୁମାରୀ ତିଳେ ହେଲେ ବିଚଳିତ ହେଲେ ନାହିଁ-। ବିଚଳିତ ହେବାର କାରଣ ମଧ୍ୟ କିଛି ନାହିଁ । ସେ ଭାବିଲେ–ଆଗେ ସତୀ ସାଧ୍ୱୀ ବୀରବେଶରେ ସଜାଇ ସ୍ୱାମୀଙ୍କୁ ରଣଭୂମିକୁ ପଠାଇ ଦେଉଥିଲେ ।

 

ସେ ତ ସ୍ତ୍ରୀର ଗୌରବର କଥା-। ମାତ୍ର କୁଞ୍ଜବିହାରୀ ନୂଆବୋଉଙ୍କ ମୁହଁ ଆଡ଼କୁ ଚାହିଁ ରହିଲା । କିନ୍ତୁ ସୁକୁମାରୀଙ୍କ ଠାରେ ଭାବ ପରିବର୍ତ୍ତନର କିଛି ମାତ୍ର ଚିହ୍ନ ସେ ଦେଖିଲା ନାହିଁ । ବରଂ ସେ ବିରକ୍ତ ହୋଇ କହିଲେ–“ଏହି କଥାରେ ତୁମେ ପଢ଼ାପଢ଼ି ଛାଡ଼ି କଟକରୁ ଦୌଡ଼ି ଆସିଛ ତୁମେ ମଣିଷ ହେବ ନାହିଁ ।”

 

କୁଞ୍ଜ ପୁଣି ଥରେ କଥାଟାର ଗୁରୁତ୍ୱ ଭଲ କରି ବୁଝାଇ ଦେବାଲାଗି କହିଲା–“ନନାଙ୍କୁ ପାଟନା ଜେଲ୍‍କୁ ପଠା ଗଲା ।”

 

“ହଁ ମୁଁ ସେ ସବୁ କଥା ଜାଣେ । ଖବର କାଗଜରେ ଦେଖିଛି । ତୁମେ କାଲି କଟକ ଫେରିଯାଅ । ମନ ଦେଇ ପଢ଼ାପଢ଼ି କର । ସେ ସବୁ ବିଷୟରେ ମୁଣ୍ତ ଘୂରାଇବା ତୁମର କାମ ନୁହେଁ ।”

ଚାବୁକ ଖାଇଲା ପରି ତୁନି ହୋଇ କୁଞ୍ଜ ଭାଉଜଙ୍କ ଆଖି ଆଗରୁ ଅନ୍ତର ହୋଇଗଲା । ତହିଁ ଆର ଦିନ ଛଳ ଛଳ ଆଖିରେ ବିଦାୟ ନେଇ ସେ କଟକ ଫେରିଗଲା ।

କର୍ତ୍ତବ୍ୟର ଅନୁରୋଧ ଗୋଟିଏ ଜିନିଷ ଏବଂ ହୃଦୟ ଆଉ ଗୋଟାଏ ଜିନିଷ । ମହାତ୍ମାଙ୍କ ଛବି ଆଡ଼କୁ ଚାହିଁ ସୁକୁମାରୀ ଭାବିଲେ କର୍ତ୍ତବ୍ୟର କଠୋର ଶାସନ ମଥା ପୋତି ସହି ଯିବାଲାଗି ତାହାଙ୍କ ଭଳି ଅବଳା-ହୃଦୟ ବୋଧହୁଏ ସମର୍ଥ ନୁହେଁ । ଛାତିକି ସେ ପଥର କରି ଦୀର୍ଘ ଛଅ ଛଅଟା ମାସ ଆଖିଲୁହ ଚାପିଧରି ପାରିବେ ଟିକେ ? ଦିନେ ନୁହେଁ, ଅଧେ ନୁହେଁ, ଛଅଟା ଯୁଗ–ସେ ଥିବେ ଘରେ, ଆଉ ତାଙ୍କ ଜୀବନର ସର୍ବସ୍ୱ ଥିବେ ଜେଲ୍‍ଖାନାରେ–ସଶ୍ରମ କାରାଦଣ୍ତ ମଧ୍ୟରେ ଅବରୁଦ୍ଧ । ଭାବନାରେ ଡୁବି ସେ ଛିଡ଼ାହୋଇ ଯାଆନ୍ତି ଘଡ଼ିଏ କାଳ ଚରାଚର ଭୁଲି–ଛାତିକୁ ଦମ୍ଭ କରି । କିନ୍ତୁ ଅଜ୍ଞାତରେ ଧାର ଧାର ଲୁହ ଝରି ବସନ ତିନ୍ତାଇ ଦିଏ । ସଂସାରରେ ସୁକୁମାରୀ ଏକା–ବଡ଼ ନିଛାଟିଆ ଲାଗେ । ଗାଁ ଝିଅ ବୋହୂ–ସଜନୀ, ରଜନୀ, ମାଳତୀ, କେତକୀ ଆସି ତାଙ୍କୁ ଭୁଲାଇବାକୁ ଯଥାସାଧ୍ୟ ଚେଷ୍ଟା କରନ୍ତି, କିନ୍ତୁ ବନ ପୋଡ଼ିଲେ ନିଭାଇବାର ଉପାୟ ଥାଇପାରେ, ମନ ପୋଡ଼ିଲେ କିଛି ଉପାୟ ନାହିଁ । ମୁକ୍ତ ଥାଇ ସୁକୁମାରୀ ନିଜକୁ ଭାବନ୍ତି ରୁଦ୍ଧ । କାରାଗାର ମଧ୍ୟରେ ତାଙ୍କୁ ସମ୍ପୂର୍ଣ୍ଣ ଅବରୁଦ୍ଧ କରି ତାଙ୍କ କଲିଜା ଉପରେ ଯେମିତିକି କିଏ ଜଣେ ନିର୍ମ୍ମମ ଭାବରେ ହାତୁଡ଼ି ପିଟୁଚି । ସଂସାର ମଧ୍ୟରେ ସେ ବଦ୍ଧ ଜୀବ, ମୁକ୍ତ ନୁହନ୍ତି । ଜଡ଼ମୟ ତାଙ୍କର ଶରୀର (.....) ସୁତରାଂ ଦୁଃଖ–ଶୋକର ସେ ବଶବର୍ତ୍ତୀ । ବେଳେ ବେଳେ ତାଙ୍କର ମନେ ହୁଏ–ଅସହୋଯୋଗର ସାଧନ ମାର୍ଗରୁ ଦୌଡ଼ିଯାଇ କାରାଗାରର ଲୁହାର କବାଟ ଭାଙ୍ଗି ଫିଙ୍ଗି ତାଙ୍କର ଅନ୍ତରତମ ଆପଣାର ନିକଟକୁ ଦୌଡ଼ିଯିବେ । କିନ୍ତୁ ପାଗଳିନୀ ପଛକୁ ଫେରି ଚାହିଁ ଦେଖନ୍ତି–ଦେଶର ବର୍ତ୍ତମାନ ଅବସ୍ଥା, ମହାତ୍ମା ଗାନ୍ଧି, ଆଉ ଅରଟ ।

ଠିକ୍ ଏହିଭଳି ସମୟରେ କୁଞ୍ଜବିହାରୀ ଗ୍ରୀଷ୍ମ ଛୁଟିରେ ଘରକୁ ଆସି କହିଲା “ନୂଆବୋଉ ! ମୁଁ ଖଣ୍ତିଏ ଅରଟ କିଣିଛି । ନନାଙ୍କ ଜେଲ୍‍ ଦଣ୍ତର ସ୍ମୃତି ରକ୍ଷାଲାଗି ମୁଁ ସୂତା କାଟିବା ଆରମ୍ଭ କରିଦେଇଛି । ପ୍ରତିଦିନ କିଛି କିଛି ସୂତା କାଟିବି ନିଶ୍ଚୟ ।

ଗୌରବରେ ସୁକୁମାରୀଙ୍କ ପ୍ରାଣ ପୁଲକି ଉଠିଲା । କୁଞ୍ଜବିହାରୀକୁ ସେ ମନେ ମନେ ଆଶୀର୍ବାଦ କରି କହିଲେ, “ବେଶ୍, ଭଲ କଲ । କିନ୍ତୁ ପରୀକ୍ଷାରେ କେମିତି କଅଣ କରିଚ ଆଗ କହିବ ଟି ?”

“ବେଶ୍ ଭଲ କରିଛି ।”

“ଫଳ ବାହାରିଲାଣି ?”

“ନାହିଁ, ଛୁଟି ପରେ ବାହାରିବ ।”

“ହେଉ ଦେଖାଯିବ । ତେବେ ବର୍ତ୍ତମାନ ମାସକରୁ ବେଶି ଘରେ ଅଛ । ସମୟ ନଷ୍ଟ ନ କରି ମନଦେଇ ପଢ଼ାପଢ଼ି କର । ବହିପତ୍ର ସବୁ ସାଙ୍ଗରେ ଆଣିଚ ନା ?”

ମୁଣ୍ତ ତଳକୁ ପୋତି କୁଞ୍ଜ ଉତ୍ତର ଦେଲା–“ହଁ, ଆଣିଚି ।’

 

ଚାରି

 

ସମୟ ସବୁଦିନେ ସମାନ ନ ଥାଏ । ଦିନ କଟି ଯାଏ । ରାହାସଙ୍କ ଜେଲ୍‍ କାଳ କଟିଲା-। ସେ ଘରକୁ ଫେରି ଆସି ଦେଖିଲେ ଘରେ ଭୟଙ୍କର ଅଭାବ । ସୁକୁମାରୀ ଆୟ ଅଳଙ୍କାର ବିକ୍ରିକରି ଘର ଚଳାଇଛନ୍ତି ଓ କୁଞ୍ଜର ପଢ଼ା ଖରଚ ଯୋଗାଇଛନ୍ତି ସେବର୍ଷ ନଈବଢ଼ିରେ ଫସଲ ନଷ୍ଟ ହୋଇ ଯାଇଛି । ଏଣେ ପୁଣି କୁଞ୍ଜର ପ୍ରବେଶିକା ପରୀକ୍ଷା ମୁଣ୍ତ ଉପରେ । ମୁଣ୍ତରେ ହାତ ଦେଇ ବସିପଡ଼ି ସେ ସୁକୁମାରୀଙ୍କି ପଚାରିଲେ–“ଅଭାବ ତ ଚାରିଆଡ଼େ ଘେରି ରହିଛି–ତେବେ ଉପାୟ କଅଣ ?”

 

ସୁକୁମାରୀ ଧୀରେ ସ୍ଥିର ଚିତ୍ତରେ ଉତ୍ତର ଦେଲେ–ଏଇଥି ପାଇଁ ଭାଳେଣି ? କିଛି ଚିନ୍ତା ନାହିଁ । ଭଗବାନ କୌଣସି ପ୍ରକାରେ ଚଳାଇନେବେ ଯେ ।”

 

ଭଗବାନ ପ୍ରକୃତରେ ଚଳାଇ ନେଲେ; କିନ୍ତୁ ରାହାସକୁ ରେଜେଷ୍ଟ୍ରିଖାନା ପର୍ଯ୍ୟନ୍ତ ଯିବାକୁ ପଡ଼ିଲା–କିଛି ଚାଷଜମି ବିକ୍ରୟ କରିବା । ଜମି ମୂଲ୍ୟରେ କୁଞ୍ଜର ପରୀକ୍ଷା ଖର୍ଚ୍ଚ ଚଳିଲା, ଗୃହ ସଂସାର ଖର୍ଚ୍ଚବାର୍ଚ୍ଚ ଚଳିଲା । କୁଞ୍ଜକୁ କଲେଜରେ ଭର୍ତ୍ତି କରିବା ଓ ନୂଆ ବହିପତ୍ର କିଣାକିଣି କରିବା ନିମନ୍ତେ କିଛି ମଧ୍ୟ କାମରେ ଆସିଲା ।

 

କାରଣ ମେଟ୍ରିକ୍ୟୁଲେସନ ପାସ୍ କରିବା ମାତ୍ରକେ ସୁକୁମାରୀ ଜିଗର ଧରି ବସିଲେ “କୁଞ୍ଜ ମୋର ଏମ୍.ଏ. ପାସ୍ କରିବ।” ସେଇ କଥା ରହିଲା ।

 

କିନ୍ତୁ କଥାରେ ଅଛି–ବସି ଖାଇଲେ ନଈବାଲି ବି ସରି ଯାଏ । କଲେଜ ବୋଡ଼ିଙ୍ଗରେ ରହି ପଢ଼ିବ କୁଞ୍ଜବିହାରୀ ରାହାସର ଆୟ କିଛି ନାହିଁ । ପୁରୋହିତିରେ ଗୋଟିଏ ପାହୁଲା ମିଳୁ ନାହିଁ–କାରଣ ଅସ୍ପୃଶ୍ୟତା ନିବାରଣ ଆନ୍ଦୋଳନ ଚଳାଇ ରାହାସ ବଂଶ ମର୍ଯ୍ୟାଦା ଏକାବେଳକେ ହରାଇ ବସିଛନ୍ତି । ଏଣେ ପୁଣି ଧୋଇଆ ଅଞ୍ଚଳ । ପାଞ୍ଚବର୍ଷ ଲଗାଏତ ଫସଲ ହେଉନାହିଁ, ହେଲେ ଧୋଇଯାଉଛି । ଖଜଣା ଗଣି, ବିହନ ବୁଣି, ବର୍ଷ ତମାମ୍ ଲାଗିଚି ପାଚଲା ଧାନ କାଟିବାକୁ ଯାଇ ଚଷା ପୁଅ ଦେଖୁଛି–କିଛି ନାହିଁ, ଜଳାର୍ଣ୍ଣବ; ଚାରିଆଡ଼େ ବାଲିଚର ।

 

ଚଷା ପୁଅର ଆଶା ଭରସା ଚୁରମାର ହୋଇଯାଉଛି । କୁଟୁମ୍ବ ବଞ୍ଚାଇବା ପାଇଁ ତାକୁ ହୁଏତ ମହାଜନ ଦୁଆରେ ଛିଡ଼ା ହେବାକୁ ପଡ଼ୁଛି, ନୋହିଳେ ଘର ଦ୍ୱାର, ସ୍ନେହ ସୁଖ, ପିଲା-କବିଲା ଛାଡ଼ି, ଦିଆଖିରୁ ଲୁହ ଇଡ଼ି, ଜନ୍ମଭୂମିରୁ ବିଦାୟ ଘେନି ସେ ଛିଡ଼ା ହେଉଛି କଲିକତା କିମ୍ବା ରେଙ୍ଗୁନରେ ।

 

ସୁତରାଂ ରାହାସବିହାରୀଙ୍କ ଅବସ୍ଥା କ୍ରମେ ଶୋଚନୀୟ ହେବାକୁ ଲାଗିଲା । ଧୀରେ ଧୀରେ ଚାଷବାସ ଜମିବାଡ଼ି ଖଣ୍ତ ଖଣ୍ତ ହୋଇ ବିଦାୟ ଘେନିଲା । ଶେଷକୁ ବାକି ରହିଲା କେବଳ ପୈତୃକ ଭିଟା ଖଣ୍ତିକ ଉପରେ ଖଣ୍ତିଏ ଛୋଟ ଘର । ଘର ଭିତରେ ସହସ୍ର ଅଭାବ ଅଭିଯୋଗର କଙ୍କାଳ ମୂର୍ତ୍ତି ଘେନି ବଞ୍ଚି ରହିଲେ ଦୁଇଟି ପ୍ରାଣୀ; ଗୋଟିଏ ରାହାସ–ଆଉ ଅପରଟି ସୁକୁମାରୀ । ପେଟ ପୂରାଇ ମୁଠିଏ ଖାଇବାକୁ ମିଳିଲା ନାହିଁ । ଘୋର ଶୀତରେ ଦେହରେ ପକାଇବାକୁ ଖଣ୍ତିଏ ଭଲ କାନି ଯୁଟିଲା ନାହିଁ । ରାହାସ ସୁକୁମାରୀଙ୍କ ଶୁଖିଲା ମୁହଁଟି ଆଡ଼କୁ ଅନାଇ ପଚାରନ୍ତି, “କ’ଣ ହେବ ଏଥର ? ମାସ ତ ଆସି ସରିଲା । ବାଞ୍ଛୁ ସାହୁ ମହାଜନ ତ ଆଉ କରଜ ଦେବ ନାହିଁ ବୋଲି ଆଜି ଜବାବ୍ ଦେଇ ଦେଲା । କୁଞ୍ଜର ଅବସ୍ଥା କଅଣ ହେବ ? ତାହା ପାଖକୁ ପଠାଇବା ପାଇଁ ପଚିଶ ତିରିଶ ଟଙ୍କା କହୁଁ ଆସିବ ?”

 

ଜୀବନର ସବୁ ଅଭାବକୁ ପରିହାସ କରି ସୁକୁମାରୀ ଉତ୍ତର ଦେଲେ, “ହଉ, ଅଛି ତ ଆଠଦିନ । ଭଗବାନ ଗୋଟିଏ କିଛି ବନ୍ଦୋବସ୍ତ କରି ଦେବେ ଯେ । ଏଥିପାଇଁ ଚିନ୍ତା କରୁଛ କାହିଁକି-? ଭାବି ଭାବି ଚେହେରା ତୁମର ହେଲାଣି କଅଣ ? ଛି, ଏତେ ଆଉ ତୁମେ ଭାବ ନାହିଁ ।”

 

ଆଠଦିନ ସବୁବେଳେ ଆଠଦିନ ହୋଇ ରହିପାରେନା । ଚାହୁଁ ଚାହୁଁ ସାତଦିନ, ଛଅଦିନ, ପାଞ୍ଜଦିନ, ଓ ଚାରିଦିନ ଆସି ହୋଇଗଲା । ତଥାପି ମୂକ ଭଗବାନ ଉତ୍ତର ଦେଲେ ନାହିଁ-। ସେଦିନ ଗୁରୁବାର । ସୁକୁମାରୀ ସ୍ନାନ ସାରି ଓଦା ଲୁଗାରେ ଆସି ତୁଳସୀ ଚୌରାରେ ଓଳଗି ହୋଇ ଉଠୁଛନ୍ତି, ଦେଖିଲେ କାନ୍ଥକୁ ଆଉଜି ଗାଲରେ ହାତ ଦେଇ ବସିଛନ୍ତି ତାଙ୍କ ସ୍ୱାମୀ । ଠିଆ ହୋଇଥିବା ଥାନରେ ସେ ପଥର ପାଲଟି ଗଲେ । ତାଙ୍କ କଲିଜା ଫଟାଇ ଗୋଟାଏ ଦୀର୍ଘ ନିଶ୍ୱାସ ବାହାରି ଆସିଲା ଆଉ ଆଖିପତାରେ ଢଳ ଢଳ ହେଲା–ଦୁଇଟି ଅଶ୍ରୁବିନ୍ଦୁ । ଚାରୋଟି ଆଖି ଏକ ହୋଇ ରହିଗଲା ଘଡ଼ିଏ କାଳ, ପଲକ ପଡ଼ିଲା ନାହିଁ ।

 

ନୀରବତା ଭଙ୍ଗକଲେ ପ୍ରଥମେ ରାହାସ । “କାହିଁ ସୁକୁମାରୀ, ଭଗବାନ ତ କିଛି ବ୍ୟବସ୍ଥା କଲେ ନାହିଁ ଆଜିଯାକେ । ଆଜି ଟଙ୍କା ନ ପଠାଇଲେ ଯେ ନ ଚଳେ ।”

 

ସୁକୁମାରୀ ଉତ୍ତର ଦେଲେ “ଭଗବାନ ବ୍ୟବସ୍ଥା ନ କଲେ ବୋଲି କେମିତି ଜାଣିଲ ? ଟଙ୍କା ଦେଇଛନ୍ତି । ଆଜି ମନିଅର୍ଡ଼ର କରି ଆସିବ ।”

 

“ଟଙ୍କା କିଏ ଦେଲା ? ମୂକ ବଧୀର ବିଧାତା ! ଜଡ଼ ପଥର ! ହାଃ ହାଃ ହାଃ ହାଃ । ସୁକୁମାରୀ ! ବାତୁଳ ତୁମେ, ନା ମୁଁ ?”

 

ପାଞ୍ଚ

 

ସୁକୁମାରୀ ଉତ୍ତର ଦେଲେ–“ବାତୁଳ ମୁଁ, ଆଉ ବାତୁଳ ତୁମେ । ଟଙ୍କା ଭଗବାନ ଦେଲେ ନାହିଁ କି ତୁମେ ମୁଁ ଦେଲୁ ନାହିଁ–ଦେଲା ମୋର ଚାନ୍ଦ ଗାଈ, ଆଉ ତା’ର ଛୋଟ ବାଛୁରୀ ବୁଧି ।”

 

“କଅଣ କହୁଛ ସୁକୁମାରୀ ! ଚାନ୍ଦ ଗାଈକି ତୁମେ ବିକି ସାରିଛ ?” ସତେକି ହଜାରଟା ବଜ୍ର ଏକାଥରକେ ଛିଡ଼ି ପଡ଼ିଲା । ସତେକି ଭୂମିକମ୍ପରେ ଏ ସଂସାରଟା ରସାତଳକୁ ଧସିଗଲା । ସତେକି କକ୍ଷଚ୍ୟୁତ ମଙ୍ଗଳ ଗ୍ରହ ଆସି ପୃଥିବୀ ସହିତ ପିଟି ହୋଇଗଲା । ସତେକି ପ୍ରଳୟର ଅଗ୍ନିକାଣ୍ତ ଧୂ ଧୂ ଜଳି ଉଠିଲା । ସତେକି ସାତ ସମୁଦ୍ରର ଅଗାଧ ଜଳରାଶି ଚରାଚର ଭସାଇ ଦେଲା-। ରାହାସ “ଆଁ” କରି ସୁକୁମାରୀ ଆଡ଼କୁ ଚାହିଁ ରହିଲେ–ମୂକ ବଧୀର ଜଳ ପ୍ରସ୍ତର ଖଣ୍ଡ ଭଳି ।

 

କାରଣ ଚାନ୍ଦ ଗାଈଟି ସୁକୁମାରୀଙ୍କ ଜୀବନର ଜୀବନ । ଜୀବ ଓ ପରମ ମଧ୍ୟରେ ଯେଉଁ ସମ୍ବନ୍ଧ କଳ୍ପନା କରାଯାଏ ଠିକ୍ ସେହିଭଳି; କାୟା ଓ ଛାୟା ମଧ୍ୟରେ ଯେ ବନ୍ଧନ ଠିକ୍ ସେହିଭଳି । ପିଲାବେଳେ ଚାନ୍ଦଟି ଥିଲା ସୁକୁମାରୀଙ୍କ କ୍ରୀଡ଼ା-ସହଚରୀ । ପୁଆଣି ହୋଇ ଆସିଲାବେଳେ ସେ ବି ଆସିଲା ସାଥିରେ–ଯୌତୁକ ହୋଇ । ଚାନ୍ଦ ଥାଏ ଗୁହାଳରେ, ବିଲ ବାଡ଼ିରେ, କିନ୍ତୁ ତା ସଙ୍ଗେ ସଙ୍ଗେ ସୁକୁମାରୀଙ୍କର ମନଟା ଘୂରି ଘୂରି ବୁଲୁଥାଏ ।

 

ସୁକୁମାରୀ ତାକୁ ନ ଦେଖିଲେ ବାଉଳା ହୋଇ ଯାଆନ୍ତି । ନିଜ ହାତରେ ସେ ଗାଧୁଆ ତୁଠରୁ ନିତି ନିତି ଘାସ ଛିଣ୍ତାଇ ଆଣି ଖୁଆନ୍ତି । ତା ଦେହ ଆଉଁସି ଦେଇ ତା ସାଙ୍ଗରେ କେତେ କଥାଭାଷା ହୁଅନ୍ତି । ଚାନ୍ଦ ବି ସୁକୁମାରୀଙ୍କୁ ତା ଭାଷାରେ ଉତ୍ତର ଦିଏ । ଦୁହେଁ ଦୁହିଁଙ୍କ କଥା ବୁଝନ୍ତି-। ଚାନ୍ଦ ବେମାର ପଡ଼ିଲେ ସୁକୁମାରୀ ନିଜ ହାତରେ ତାହାର ସେବା କରନ୍ତି । ସୁକୁମାରୀଙ୍କ ଦେହ ଅସୁସ୍ଥ ହେଲେ ଚାନ୍ଦ ଗୁହାଳ ଫାଙ୍କ ବାଟେ ଅନାଇ କାନ୍ଦେ ।

 

ସେହି ଚାନ୍ଦକୁ ସୁକୁମାରୀ ନିଜେ ବିକ୍ରୟ କରି ଦେଇଛନ୍ତି । ଏହାଠାରୁ ବଳି ଅସମ୍ଭବ କଅଣ ଅଛି ? ଚାନ୍ଦ ପଶୁ, ଆଉ ସୁକୁମାରୀ ମନୁଷ୍ୟ । ପ୍ରାଣ ସହିତ ପ୍ରାଣର ସମ୍ବନ୍ଧ ଯିଏ ନ ବୁଝିଛି, ପ୍ରାଣର ପରିଚୟ ପାଇବାର ଯାହାର ‘ସୁଯୋଗ ଘଟିନାହିଁ, ସେ ବୁଝି ପାରିବ ନାହିଁ; କିନ୍ତୁ ରାହାସ ଜାଣନ୍ତି–ଚାନ୍ଦଟି ସୁକୁମାରୀଙ୍କର କି ଅମୂଲ୍ୟ ଧନ । ସେଇଥି ପାଇଁ ଦୁଇଟି ଆଖିରୁ ତାଙ୍କର ଝର ଝର ଲୁହ ଧାର ଝଡ଼ି ପଡ଼ିଲା । ସତେକି ଜଡ଼ ପ୍ରସ୍ତର ଦେହରୁ ଝରଣା ଝରି ଯାଉଛି । ଦିନକର କଥା ତାଙ୍କର ମନେ ପଡ଼ିଲା–ଚାନ୍ଦକୁ ସେ ବାଡ଼ିରେ ପାହାରେ ପକାଇଥିଲେ ବୋଲି ସୁକୁମାରୀ ଦିନେ ଉପବାସ କରିଥିଲେ । ସେହି ସୁକୁମାରୀ ଆଜି ନିଜ ଇଚ୍ଛାରେ ଚାନ୍ଦକୁ ବିକି ଦେଇଛନ୍ତି । ଏହାଠାରୁ ବଳି ବଡ଼ କଥା କଅଣ ହୋଇ ପାରେ ?

 

ଘଡ଼ିଏ କାଳ ବିତିଗଲା । ଓଦା ଲୁଗା ସୁକୁମାରୀଙ୍କ ଦେହରେ ଶୁଖିଗଲା । ତେବେ ସୁଦ୍ଧା କାହାରି ତୁଣ୍ତରେ କଥା ନାହିଁ । ଶେଷକୁ ରାହାସ କହିଲେ, “କେମିତି ମୁରୁଛିଲ ସୁକୁମାରୀ ?”

 

ମଲା ମୁରୁଦାର ମୁହଁରେ ବି ବେଳେବେଳେ ହସ ଫୁଟି ରହିଥାଏ । ସୁକୁମାରୀ ମୁହଁରେ ଠିକ୍ ସେହିଭଳି ଗୋଟିଏ ହାସ୍ୟରେଖା ଦେଖା ଗଲା । ଆଖିର ଲୁହ ଲୁଚାଇ ସେ ଉତ୍ତର ଦେଲେ, “କାହିଁକି, ତା’ରି ଦୁଧ ଖୁଆଇ କୁଞ୍ଜକୁ ମୁଁ ମଣିଷ କରିଚି । ତାକୁଇ ବିକ୍ରୀ କରି କୁଞ୍ଜକୁ ପଢ଼ାଇବି, ହେଲା କଅଣ । କୁଞ୍ଜ ମୋର ଏମ୍.ଏ. ପାସ୍ କରିବ ଯେ ।”

 

କଥା କେତେ ପଦ କହି ଦେଇ ସୁକୁମାରୀ ଆଡ଼ ହୋଇ ଗଲେ । ଉଢ଼ୁଆଳରେ ଥାଇ ହୃଦୟର ସଭା ଆବେଗକୁ ଚାପି ଧରି ସେ କହିଗଲେ, “ତିରିଶିଟି ଟଙ୍କା ଦେଇ ଧନୀ ସୋଇଁ ଆଜି ସକାଳେ ତା କିଣିନେଲା । ଗାଧୁଆ ପାଧୁଆ ସାର । କୁଞ୍ଜ ପାଖକୁ ପଚିଶଟି ଟଙ୍କା ପଠେଇ ଦିଅ ।”

 

ସୁକୁମାରୀ କହି ଚାଲିଗଲେ । ରାହାସ ଶୁଣିଗଲେ । ବସି ବସି ସେ ଭାବିଲେ–ସୁକୁମାରୀ କୁଞ୍ଜଙ୍କର କେହି ନୁହେଁ; ବରଂ ମୋରି ଭାଇ । ସୁକୁମାରୀ ଏତେ ବଡ଼ ତ୍ୟାଗ ସ୍ୱୀକାର କରି ପାରନ୍ତି ଆଉ ମୁଁ ? ପୁରୁଷ ହୋଇ କଅଣ ମୋର କର୍ତ୍ତବ୍ୟ ମୁଁ କରୁଛି । ଦେଖୁ ଦେଖୁ ଜମିବାଡ଼ି ସବୁ ଗଲା । ଘରର ଚିଜବସ୍ତ ସବୁ ସଇଲା । ସ୍ତ୍ରୀର ଅଲଙ୍କାରପାତି ବିକ୍ରୀ ହେଲା । ଆଉ ମୁଁ ନିଶ୍ଚେଷ୍ଟ ହୋଇ ବସି ରହିଛି !”

 

ଉଚିତ ହେଉ ବା ନ ହେଉ, ସେ ଭାବିଲେ–ବାସ୍ତବିକ ଦେଶସେବା ମୋ ଭଳି ଲୋକ ପକ୍ଷେ ବିଡ଼ମ୍ବନା ମାତ୍ର । ଦେଶସେବା କରାଯିବା ଆଗରୁ ମୋର ଢେର କାମ ବାକି ପଡ଼ିଛି । ଶେଷକୁ ସେ ସ୍ଥିର କଲେ, “ମୁଁ ଚାକିରି କରିବି । ଭାଇ ପାଇଁ ଆଉ ସ୍ତ୍ରୀ ପାଇଁ ମୁଁ ପର ଦୁଆରେ ମୁଣ୍ତ ବିକିବି; ବିକିବି ନିଶ୍ଚୟ । ତାହା ଛଡ଼ା ଅନ୍ୟ ଉପାୟ କିଛି ନାହିଁ ଯେ !”

 

ରାହାସ ସଂକଳ୍ପ ସ୍ଥିର କରି ଉଠି ଛିଡ଼ା ହେଲେ । ସୁକୁମାରୀ ଡାକିଲେ, “ଗାଧେଇ ଯାଅ-।” ରାହାସ କହିଲେ, ଯାଉଛି।”

 

ଧୀରେ ଧୀରେ ପାଦ ପକେଇ ସେ ଦାଣ୍ତ ଘର ଆଡ଼କୁ ଚାଲିଲେ । ଗୋଟିଏ ଦୀର୍ଘ ନିଶ୍ୱାସ ତାଙ୍କର ପଞ୍ଜରା ଦୋହଲାଇ ବାହାରି ପଡ଼ି ଶୂନ୍ୟ ଗଗନରେ ମିଳାଇ ଗଲା–ଗୋଟିଏ ନୂଆ ବାର୍ତ୍ତା ଘେନି ।

 

ଛଅ

 

କୁଞ୍ଜବିହାରୀ ରେଭେନ୍‍ସା କଲେଜରେ ପଢ଼େ । ବୋଡ଼ିଂରେ ରହେ । ଦୋମହଲାରେ ବିଜୁଳି ପଙ୍ଖା, ବିଜୁଳି ଆଲୁଅ, କଳ ପାଣି ସାଙ୍ଗରେ ପଢ଼ିବାକୁ ରାଜା ପୁଅ । ଗୋଡ଼ରେ ପାଣି କାଦୁଅ ଲାଗେ ନାହିଁ । ମୁଣ୍ତରେ ଖରା ବର୍ଷା ବାଧେ ନାହିଁ । ବଡ଼ ଲୋକ ସାଙ୍ଗରେ ବଡ଼ ବଡ଼ କଥା । ସବୁବେଳେ ବଡ଼ ଆଶା ଓ ବଡ଼ଲୋକୀ ଚଳନ । ପ୍ରତି ମାସରେ ଭାଇଭାଉଜ ଟଙ୍କା ପଠାନ୍ତି, ଖରଚ ହୁଏ । ଅଭାବ କଅଣ ସେ ଜାଣେ ନା । ଦରିଦ୍ରତା ତାକୁ ସାତ ସପନ । ବିଳାସର ଦୋଳରେ ଝୁଲୁ ଝୁଲୁ ସେ ଭାଇଭାଉଜଙ୍କ ଅବସ୍ଥା ବୁଝିବାରୁ ଅବକାଶ ପାଏ ନାହିଁ । ସାଙ୍ଗ ସୁଖ ଆମୋଦ ପ୍ରମୋଦରେ ତା’ର ଦିନ କଟିଯାଏ । ଘରକୁ ଦିନେ ଅଧେ ଗଲେ ତାକୁ ଭାଇଭାଉଜ ନିଜର ଅବସ୍ଥା କିଛି ଜଣାଇ ଦିଅନ୍ତି ନାହିଁ । ସେ ଜାଣେ ଭାଇ ତା’ର ଟଙ୍କାର ଖଣି । ମାସକୁ ମାସ ସେ ଟଙ୍କା ପଠାନ୍ତ । ଖରଚ ହୁଏ, ମୌଜ ମଜଲିସ୍‍ ହୁଏ, ଥିଏଟର୍ ସିନେମା ଦେଖାହୁଏ, ଟ୍ରେନ୍‍, ବଗି, ମଟରରେ ବୁଲାହୁଏ, ଆଉ ଚାଲେ–ବିଡ଼ି ସିଗାରେଟ୍‍, ଚା, ଚୁରୁଟ୍ ।

 

କୁଞ୍ଜର ଜୀବନଟି ଥିଲା ବଡ଼ ସରଳ ଓ ସହଜ । କିନ୍ତୁ ନୂଆ ଆବେଷ୍ଟନୀ ମଧ୍ୟରେ ପଡ଼ି ସଂସାରରେ ସମସ୍ତଙ୍କର ପରିବର୍ତ୍ତନ ଘଟିଥାଏ; ତା’ର ବି ଘଟିଲା । ସ୍କୁଲରେ ପଢ଼ିଲାବେଳେ ସେ ଖଣ୍ତିଏ ଅରଟ କିଣିଥିଲା–ସୂତା କାଟିବା ଲାଗି । ଖଦଡ଼ ପିନ୍ଧୁଥିଲା ଓ ବେଳେବେଳେ ଦେଶ ଓ ଦଶର ଚିନ୍ତା କରୁଥିଲା । କିନ୍ତୁ ସବୁ ସେ ପଛକୁ ପକାଇ କଲେଜର ପକା ସିଡ଼ି ଉପରକୁ ଉଠିଗଲା । କଲେଜ-ଜୀବନ ତା’ର ଜୀବନ ରଙ୍ଗମଞ୍ଚ ଉପରେ ଗୋଟାଏ କଳା ପରଦା ପକାଇ ପଛକୁ ଲୁଚାଇ ଦେଲା–ତା’ର ଖଦଡ଼, ଚରଖା, ଦେଶସେବା ଓ ଭାଇଭାଉଜଙ୍କ ଦୁରବସ୍ଥା ।

 

ଦିନକର କଥା । ଜାତୀୟ ପତାକା ଘେନି “ବନ୍ଦେ ମାତରଂ” ବୋଲି କଲେଜ ପାଖ ସଡ଼କ ଉପରେ ଗୋଟିଏ ଶୋଭାଯାତ୍ରା ଯାଉଛି; ‘‘ମହାତ୍ମା ଗାନ୍ଧି କି ଜେ’’ ଶବ୍ଦରେ ଆକାଶ ଫାଟି ପଡ଼ୁଛି । କୁଞ୍ଜବିହାରୀ କଲେଜ ହଷ୍ଟେଲ୍‍ର ଗୋଟିଏ କୋଠରୀ ଭିତରେ ଖିଡ଼ିକି ପାଖରେ ଆସି ଛିଡ଼ାହୋଇ ଭାବିଲା–ଏମିତି ଦିନେ ଶୋଭାଯାତ୍ରା କରି ଯାଉଁ ଯାଉଁ ଭଇନାଙ୍କୁ ତା’ର ପୋଲିସ୍‍ ଧରି ନେଇଥିଲେ । ଠିକ୍ ଏତିକି ବେଳେ ଦଳେ ପିଲା ଘର ଭିତରକୁ ପଶି ଆସି ଡାକିଲେ ‘ହ୍ୟାଲୋ, ଆଚାରିଆ ! କଅଣ ଦେଖୁଛ ?’ କୁଞ୍ଜ ଫେରି ଚାହିଁଲା ।

 

ଧୀରେ ଧୀରେ ଶୋଭାଯାତ୍ରା ଦୂରକୁ ଚାଲିଗଲା । କୁଞ୍ଜ ଆସି ଆପଣା ଚୌକି ଖଣ୍ତକ ଉପରେ ବସିଲା । ସାଙ୍ଗ ସାଥିଏ ବସି ପଡ଼ିଲେ । ଗୋପାଳ କହିଲା, “ବୁଝିଲେ କୁଞ୍ଜ ବାବୁ ! ଏଗୁଡ଼ାକ କେଡ଼େ ବୋକା ମ ! ଗୋଟାଏ ବୁଢ଼ା ଗାନ୍ଧି କିଛି ନ ବୁଝି ନ ସୁଝି ମତେଇ ଦେଉଛି । ଆଉ ଏଣେ ଏଗୁଡ଼ାକ ପାତି ମାଙ୍କଡ଼ ପରି ନାଚୁଛନ୍ତି । କିରେ ଯେଉଁ ଜାତି ହାତରେ ବାଡ଼ି ଖଣ୍ତେ ନାହିଁ, ସେ କଅଣ ବ୍ରିଟିଶ ସରକାର ବିରୁଦ୍ଧରେ ଛିଡ଼ା ହୋଇ ପାରିବ ?”

 

ବୌକୁଣ୍ଠ କହିଲା, “ବାସ୍ତବିକ କଥା ଏକା । ଏଗୁଡ଼ାଙ୍କୁ ଦେଖିଲେ ମୋତେ ହସ ମାଡ଼େ । ବୃଥାଟାରେ ମରୀଚିକା ପଛରେ ଧାଇଁଛନ୍ତି । ଆପେ ତ ଯାଉଛନ୍ତି–ଛତୁ ପାଇବେ; ସେଥିରେ ପୁଣି କେତେଗୁଡ଼ିଏ ନିରୀହ ସ୍କୁଲକଲେଜପିଲାଙ୍କୁ ଟାଣିଓଟାରି ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତକୁ ଅନ୍ଧକାରମୟ କରୁଛନ୍ତି ।’

 

ମହେଶ କହିଲା, “ଆରେ ବାବୁ ? ଦେଶସେବା କରିବାକୁ କଅଣ ଅନ୍ୟ ବାଟ ନାହିଁ ? ପାଠ ପଢ଼, ଜ୍ଞାନ ବଢ଼ାଅ । ଜ୍ଞାନ ବିଜ୍ଞାନ ବିଷୟରେ ଏ ବୈଜ୍ଞାନିକ ଯୁଗରେ ଲୋକେ କେତେ ଆଗେଇ ଗଲେଣି । ସେମାନେ ଉଡ଼ାଜାହାଜରେ ଉଡ଼ୁଛନ୍ତି, ଆଉ ତୁମେ ପୁରାକାଳିଆ ବଳଦ ଗାଡ଼ିରେ ପଡ଼ିଚ । ତାଙ୍କୁ ପାରିବ କିମିତି ? ବୃଥାରେ ଗୁଡ଼ାଏ ଖାଲି ବାଡ଼େଇ କଚାଡ଼ି ହେଲେ ଫଳ କଅଣ ?

 

ହରିଶ କହିଲା, “ଆରେ ବାବୁ, କିଛି ନ ହେଲେ ପତଙ୍ଗ ଭଳି ନିଆଁକୁ ଡେଇଁ ଗୁଡ଼ାଏ ମରିବା କଥା ସାର ହେଉଛି ତ, ମନ୍ଦ ନୁହେଁ । ଭାତରବର୍ଷର ଲୋକସଂଖ୍ୟା କମିଯିବା ମଙ୍ଗଳ ।”

 

“ଠକ୍ କହିଛି ହରିଶ, କୀଟ ପତଙ୍ଗ ଭଳି ଗୁଡ଼ାଏ ମରୁଛନ୍ତି ଏ କଥାଟା ସମ୍ପୂର୍ଣ୍ଣ ସତ୍ୟ ।” ଏହା କହି ସମସ୍ତେ ହସି ଉଠିଲେ ।

 

କୁଞ୍ଜବିହାରୀ ଏତେବେଳେଯାକେ ଚୁପହୋଇ ବସିଥିଲା । ଟେବୁଲ ଉପରେ ଚାପୁଡ଼ାଟାଏ ମାରି କହିଲା–ବାସ୍ତବିକ୍ ଆମ ଦେଶରେ ସବୁ ଦିଗରେ ଅଭାବ ଅଛି । ଶତକଡ଼ା ପାଞ୍ଚ ଛଅଜଣ ପୁରୁଷ ଟିକିଏ ଲେଖି ପଢ଼ି ପାରନ୍ତି । ଜଣେ ଅଧେ ସ୍ତ୍ରୀ ଲେଖି ପଢ଼ି ଜାଣେ । କୃଷି ଓ ଶିଳ୍ପର ଅବସ୍ଥା ଅତି ଶୋଚନୀୟ । ଆମେ ଯାହାକୁ ସଭ୍ୟତା କହୁଛୁ ତାହା ଅସଭ୍ୟତାର ନାମାନ୍ତର ମାତ୍ର । ଘରେ ଘରେ ଆମର ଗୋଟିଏ ଗୋଟିଏ ଜାତି । ମନୁଷ୍ୟ ମନୁଷ୍ୟକୁ ଛୁଏଁ ନାହିଁ । ଅସଂଖ୍ୟ ଭାଷ; କେହି କାହାରି ଭାବ ଗ୍ରହଣ କରି ପାରେ ନାହିଁ । ବାସ୍ତବିକ କେହି ଯେବେ ଅନୁଗ୍ରହ କରି ସ୍ୱରାଜ୍ୟ ଆଣି ଆମ ଘରେ ଦେଇ ଯାଏ, ତେବେ ଆମେ ଏ ପରିସ୍ଥିତିରେ ସେ ସ୍ୱରାଜ୍ୟ ବଜାଏ ରଖି ପାରିବା ତ ? ଆଜି ଇଂରେଜ ସରକାର ରାଜତ୍ୱ କରୁଛି, କାଲି ତ ଆସିବ ଜାପାନ ବା ଜର୍ମାନ-!

 

ବୈକୁଣ୍ଠ କହିଲା “ସତ କଥା ଏକା । ନିରାଟ ସତ୍ୟ । ଆମେ ଆଗ ଆମ ଘର ଓଳାଇ ସଫା ନ କଲେ ଯେଉଁ ତିମିରରେ ପଡ଼ିଛୁ ଠିକ୍ ସେହି ତିମିରରେ ଚିରକାଳ ପଡ଼ି ରହିଥିବା । ପରାଧୀନ ଜାତି ସ୍ୱାଧୀନତାର ଦାବି କରିବ–ଯଦି ତା’ର ସ୍ୱାଧୀନତା ବଜାୟ ରଖିବାର ଶକ୍ତି ସାମର୍ଥ୍ୟ ଥାଏ । କାହିଁ ଆମର ସେ ଶକ୍ତି ? Charity begins at home ଜାତିର ଅଧା ନାରୀ ଜାତିର ଜନନୀ । ଜାତି ତାହାରି ହାତରେ ଗଢ଼ାହୁଏ । କାହିଁ ତା’ର ଶିକ୍ଷା, କାହିଁ ତା’ର ସଭ୍ୟତା, କାହିଁ ତା’ର ସ୍ୱାଧୀନତା ? ତା’ର ସ୍ୱାଧୀନତା ଇଂରେଜ ସରକାର କାଢ଼ି ନେଇ ନାହିଁ । ତାକୁ ତ ମୂର୍ଖ କରି ରଖି ନାହିଁ ବ୍ରିଟିଶ ସରକାର ?”

 

ମହେଶ କହିଲା–“ଠିକ୍ କହୁଛ ବନ୍ଧୁ ! ନାରୀ ଜାତିକୁ ଆମେ ଲକ୍ଷ୍ମୀ, ସରସ୍ୱତୀ ଓ ଦୁର୍ଗତି-ନାଶିନୀ ଦୁର୍ଗାରୂପେ ପୂଜାକରିଥାଉଁ ସତ, କିନ୍ତୁ ସେ ପୂଜାର ମର୍ମ ଗ୍ରହଣ କରି ପାରୁ ନାହିଁ । ଆମେ ବାସ୍ତବିକ ଜଡ଼ର ଭକ୍ତ–ଆମେ ଜଡ଼ବାଦୀ । ଭକ୍ତି ଆମର ଭୟର ଭିତ୍ତି ଉପରେ ଗଢ଼ା । ଆମେ ଶାସ୍ତ୍ର ପଢ଼ୁ–ଶୁଆ ପରି । ମର୍ମ କିଛି ଗ୍ରହଣ କରୁନାହିଁ । ଗାର୍ଗ, ଲୀଳାବତୀ ଆଦିଙ୍କ ନାମ ସ୍ମରଣ କରିବାକୁ ଇଚ୍ଛା କରୁନାହିଁ ।’

 

କଥାଟା କେଉଁଠି ଆରମ୍ଭ ହୋଇ କେଉଁଠି ଆସି ଶେଷ ହେଲା ।

 

ବଡ଼ ଉତ୍ତେଜିତ ଭାବରେ କୁଞ୍ଜ ଟେବୁଲ ଉପରେ ବିଧାମାରି କହିଲା–“ଗାନ୍ଧିଙ୍କ ସଙ୍ଗେ ଦେଖା ହେଲେ ମୁଁ ପରିଷ୍କାର କହନ୍ତି–ବୃଦ୍ଧ ! ତୁମର ଆନ୍ଦୋଳନ ଚଳାଇବାକୁ ବିଳମ୍ବ ଅଛି; ଅପେକ୍ଷା କର । ତୁମେ ଦେଶର ହିତକାରୀ ନୁହଁ–ଦେଶ ଦ୍ରୋହୀ । କାରଣ ତୁମେ ଦେଶ କାଳ ପାତ୍ର ବିବେଚନା ନ କରି ଅକାରଣ ଲୋକଗୁଡ଼ାଙ୍କୁ କୁହୁଡ଼ିରେ ପହଁରାଉଛ । ସ୍ୱାଧୀନତା ଗ୍ରହଣ କରିବାକୁ ଏ ଦେଶ ଯୋଗ୍ୟ ହୋଇନାହିଁ ।”

 

“ଦେଶଟା ବାସ୍ତବିକ ଯୋଗ୍ୟ ହୋଇନାହିଁ, କୁଞ୍ଜବିହାରୀ ବାବୁ ! ତା’ର କାରଣ ତୁମରି ଭଳି ଅଯୋଗ୍ୟ ସନ୍ତାନର ମନୋବୃତ୍ତି, ଆଉ ଏ ଶିକ୍ଷା–ସଭ୍ୟତା । ଦେଶ ଭିତରେ ସହସ୍ର ଅଭାବ ଅଛି ସତ, ସେଥିଲାଗି ଦେଶବାସୀ ଏକା ଦାୟୀ ନୁହନ୍ତି । ପିଞ୍ଜରା ଭିତରେ ଆବଦ୍ଧ ଶୁକପକ୍ଷୀ ଉନ୍ନତିର କଳ୍ପନା କରିପାରେ ସତ, କିନ୍ତୁ କାର୍ଯ୍ୟରେ ପରିଣତ କରିପାରେ ନାହିଁ । ପିଞ୍ଜରା ଭିତରେ ବାଡ଼େଇ ହୋଇ ଡେଣା ଭାଙ୍ଗିବା ସାର ହୁଏ ମାତ୍ର । ପିଞ୍ଜରା କାଟି ଶୂନ୍ୟ ଗଗନକୁ ଆସି ସ୍ୱାଧୀନ ଭାବରେ ବିଚରଣ କରିବା ଆଗ ଲୋଡ଼ା । ତା’ପରେ ସବୁ ଚିନ୍ତା ସହଜେ ସଫଳ ହୁଏ । ସେଇଥିପାଇଁ ମହାତ୍ମା ଗାନ୍ଧିଙ୍କର ଆହ୍ୱାନ–‘ଆସ ଦେଶବାସୀ ! ସ୍ୱାଧୀନତା ଯଜ୍ଞରେ ଆତ୍ମବଳି ଦିଅ-।”

 

ଝଡ଼ ପରି ଘର ଭିତରକୁ ପଶି ଆସି ଖଦଡ଼ଧାରୀ ଭୂତପୂର୍ବ ଛାତ୍ର ବ୍ରଜବନ୍ଧୁ ବଜ୍ର ଗମ୍ଭୀର କଣ୍ଠରେ ଆପଣାର ବକ୍ତବ୍ୟ ଶେଷ କଲା । କୁଞ୍ଜ ଓ ତା’ର ସାଙ୍ଗସାଥିଏ ‘ହି, ହି’ ହୋଇ ହସି ଉଠିଲେ । ବ୍ରଜ ଅନାହୂତ ଭାବରେ ଘର ଭିତରକୁ ଆସିଥିଲା । କେହି ବସିବାକୁ କହିଲେ ନାହିଁ । ଧୀରେ ଧୀରେ ସେ ବିଦାୟ ହୋଇଗଲା । ହରିଶ କହିଲା, “ଇଏ ବି ଗୋଟିଏ ପାଗଳ । ଏମାନଙ୍କୁ ପାଗଳାଖାନାକୁ ପଠାଇଲେ ଭଲ ହୁଅନ୍ତା” । ଏହିଭଳି ଭାବରେ ସେଦିନର ସଭା ସମାପନ ହେଲା-

 

ସାତ

 

ସ୍ୱାଧୀନତା ବିକ୍ରୟ କରି ବସିଲେ କ୍ରେତାର ଅଭାବ ହୁଏ ନାହିଁ । ରାହାସବିହାରୀ ବାବୁ ମାସକୁ ତିରିଶଟି ଟଙ୍କା ବେତନରେ ଆପଣାର ବୁଦ୍ଧିବିବେକ, ମାନ, ମର୍ଯ୍ୟାଦା ଓ ସ୍ୱାଧୀନଚିନ୍ତା ଆଦି ସମୁଦାୟ ଅମୂଲ୍ୟଧନ ଚଣ୍ଡେଶ୍ୱର ମିଶ୍ରଙ୍କ ନିକଟରେ ବିକ୍ରୟ କରିଦେଲେ । ଚଣ୍ଡେଶ୍ୱର ପୁରୀଜିଲ୍ଲାର ଜଣେ ବଡ଼ ଜମିଦାର । ରାହାସବିହାରୀ ତାଙ୍କର ତହସିଲ ପରିଦର୍ଶକ । ଚଣ୍ଡେଶ୍ୱର ବାସ୍ତବିକ ଚଣ୍ତେଶ୍ୱର । ତାଙ୍କ ନାଁ ଶୁଣିଲେ ପ୍ରଜାଏ ଆତଙ୍କ ଗଣନ୍ତି । ସେ ଅଞ୍ଚଳରେ ପ୍ରବଚନ ଅଛି–ଗର୍ଭିଣୀ ଗାଈ କୁଆଡ଼େ ତାଙ୍କ ନାମ ଶୁଣି ପ୍ରସବ କରି ପକାଏ ।

 

ଚଣ୍ତେଶ୍ୱରଙ୍କ ପରମ୍ପରାଗତ ବିଶ୍ୱାସ ଯେ–ପ୍ରଜାଗୁଡ଼ାକ ତାଙ୍କର କ୍ରୀତଦାସ । ସେମାନେ ଖାଦ୍ୟ, ଆଉ ଜମିଦାର ଖାଦକ । ସେମାନେ ମହୁମାଛି, କିନ୍ତୁ ମହୁ ଜମିଦାରର । ସେମାନଙ୍କର, ଧନ, ଜନ, ମାନ ମର୍ଯ୍ୟାଦା ସବୁଥିରେ ସମ୍ପୂର୍ଣ୍ଣରୂପେ ଜମିଦାରଙ୍କର ନିର୍ଦ୍ୱନ୍ଦ୍ୱ ଅଧିକାର ଅଛି; କାରଣ ସେମାନେ ପ୍ରଜା ଓ ଇଏ ଜମିଦାର । ସେମାନେ ଗଛ ଲଗାଇଲେ ଫଳ ଖାଇବେ ଜମିଦାର । ସେମାନେ ପୋଖରୀରେ ମାଛ ଛାଡ଼ି ବଢ଼ାଇଲେ ଧରିନେବେ ଜମିଦାର । ସେମାନେ ବିଲ ବାଡ଼ିରେ ଫସଲ ଅମଳ କଲେ ଉତ୍ପନ୍ନ ଦ୍ରବ୍ୟ ନେଇ ଯିବେ ଜମିଦାର । ଆବଶ୍ୟକ ହେଲେ ପ୍ରଜାଏ ଆସି ଜମିଦାରଙ୍କ ଘରେ ବେଠି ଖଟିବେ । ସେଥିଲାଗି ପାହୁଲା ଗୋଟିଏ ତାଙ୍କୁ ଦିଆଯାଇ ପାରିବ ନାହିଁ, କାରଣ ସେମାନେ ପ୍ରଜା ଓ ଇଏ ଜମିଦାର । ଜମିବାଡ଼ି ଜମିଦାରର । ଅତଏବ ପ୍ରଜାଏ ଖଜଣା ଗଣିଲେ ସୁଦ୍ଧା ପୁରୁଷାନୁକ୍ରମେ ଭୋଗ ଦଖଲ କରୁଥିଲେ ସୁଦ୍ଧା, ପ୍ରଜାର ତହିଁରେ ତିଳେ ମାତ୍ର ଅଧିକାର ନାହିଁ । ଫସଲ ଆମଦାନି କରି ପ୍ରଜା ଯାହା ନିଏ, ତାହା ଜମିଦାରଙ୍କର ଅନୁଗ୍ରହ ମାତ୍ର ।

 

ଠିକ୍ ଏହି ସବୁ ଗୁଣ ଲାଗି ଚଣ୍ତେଶ୍ୱର ମିଶ୍ରଙ୍କୁ ପଣ୍ତିତ ବୋଲି ଲୋକେ ଡାକନ୍ତି । ଲୋକେ ତାଙ୍କୁ ଦୟାଳୁ ଆଖ୍ୟା ଦେଇ ଥାଆନ୍ତି । ସେହି ଚଣ୍ତେଶ୍ୱର ପଣ୍ତିତଙ୍କ ଜମିଦାରୀରେ ରାହାସ ତହସିଲ ପରିଦର୍ଶକ ବା ଇନ୍‍ସପେକ୍ଟର । ପଣ୍ତିତେ ବଡ଼ ଧୂର୍ତ୍ତ ଲୋକ। ସେ ଜାଣନ୍ତି ଲୋକଙ୍କୁ ଚିତା କାଟିବାକୁ ହେଲେ ଲମ୍ବା ଚୌଡ଼ା ଚିତା କାଟିବା ଦରକାର । ଲୋକଙ୍କ ବିଶ୍ୱାସ ଜନ୍ମାଇବା ନିମନ୍ତେ ଖଦଡ଼ ଧାରୀ କର୍ମଚାରୀ ନିଯୁକ୍ତ କରିବା ଆବଶ୍ୟକ । କାରଣ, ଖଦଡ଼ ପିନ୍ଧା ଲୋକଙ୍କୁ ଦେଖିଲେ ଲୋକେ ଆଜିକାଲି ବିଶ୍ୱାସ କରୁଛନ୍ତି ।

 

ଚାକିରି ଖଣ୍ତକ ଗ୍ରହଣ କରି ରାହାସ ଦେଖିଲେ–ଠିକ୍ କରିନାହାନ୍ତି । ବିବେକର ବେକ ଚିପି ସେ ଏ ସବୁ ଅନ୍ୟାୟ ଅତ୍ୟାଚାର ସହି ପାରିବେ ନାହିଁ ବୋଧହୁଏ । କିନ୍ତୁ ଉପାୟ ନାହିଁ ଚାକିରିଆର ସ୍ୱାଧୀନ ଚିନ୍ତା ଲାଗି ଅବକାଶ ଓ ଅଧିକାର ନାହିଁ । ତାଙ୍କର ଇଚ୍ଛା–ଆଖି କାନ ବୁଜି କୌଣସି ପ୍ରକାରେ ଦିନ କେତୁଟା କଟାଇ ଦେଲେ କୁଞ୍ଜବିହାରୀ ବି.ଏ. ଖଣ୍ତିକ ପାସ୍‍ କରି ପକାଇବ-। ସେତେବେଳକୁ ସେ ଚାକିରି ଛାଡ଼ି ପୁଣି ଆପଣା ଗତି-ପଥ ଧରିବେ ।

 

ମାସକୁ ଦରମା ତିରିଶଟି ଟଙ୍କା । କୁଞ୍ଜକୁ ପଚିଶଟି କରି ପଠାଇ ଦେବାକୁ ହୁଏ । ବାକି ପାଞ୍ଚଟିରେ ଆପଣାର ଖର୍ଚ୍ଚ ବାଦ ଆଉ ପ୍ରାୟ କିଛି ଥାଏ ନାହିଁ । ସୁତରାଂ ସୁକୁମାରୀଙ୍କୁ ନିଜର ହାତ ଉପରେ ନିର୍ଭର କରିବାକୁ ପଡ଼େ । ଦୁଃଖର ଦିନଗୁଡ଼ିକ ଗଣି ଗଣି ତାଙ୍କୁ ସମୟ କଟାଇବାକୁ ହୁଏ । ସୂତା କାଟି ପଡ଼ୋଶୀ ବୁଢ଼ୀ ଲାବଣ୍ୟ ଆଈ ହାତରେ ସେ ଆଶ୍ରମକୁ ପଠାଇ ଦିଅନ୍ତି । ନିତି ପ୍ରାୟ ଦୁଇଟି ଅଣା ମଜୁରି ମିଳେ । ତହିଁରେ ବଡ଼ କଷ୍ଟରେ ଦିନ କଟେ । ଦିନ କଟିଯାଏ କେବଳ ଗୋଟିଏ ଆଶାରେ–କୁଞ୍ଜ ପାସ୍‍ କରି ଚାକିରି କରିବ; ଦୁଃଖ ଯିବ ।

 

ଆଶାହିଁ ମନୁଷ୍ୟକୁ ବଞ୍ଚାଇ ରଖିଛି । ଆଶା ନ ଥିଲେ ସଂସାର ରହି ପାରନ୍ତା ନାହିଁ । ଶେଷକୁ କୁଞ୍ଜ ବି.ଏ. ପାସ୍‍ କରି ଚିଠି ଲେଖିଲା “ନୂଆବୋଉ ! ମୁଁ ଭଲ ଭାବରେ ପାସ୍‍ କରିଚି” ଆନନ୍ଦରେ ସୁକୁମାରୀଙ୍କ ଗୋଡ଼ ତଳେ ଲାଗିଲା ନାହିଁ । ଗ୍ରାମ ଦେବତାଙ୍କ ନିକଟକୁ ଭୋଗ ପଠାଇ ସେ ଶହେ ଆଠ ଦଣ୍ତବତ ହେଲେ–“ମା ମଙ୍ଗଳା, କୁଞ୍ଜର ମଙ୍ଗଳ କର” । ଯିଏ ଆସିଲା ତା ଆଗରେ ଆନନ୍ଦରେ ଅଧୀର ହୋଇ କହି ପକାଇଲେ “ଶୁଣିଲଣି ? କୁଞ୍ଜ ଆମର ବି.ଏ. ପାସ୍ କଲେଣି ।” ଜନନୀର ସ୍ନେହ ଦେଇ ସେ ତାକୁ ମଣିଷ କରିଛନ୍ତି । ସନ୍ତାନର ଉନ୍ନତି ଦେଖିଲେ ଜନନୀର ଅନ୍ତର ଫୁଲିଉଠେ–ଗର୍ବରେ ଓ ଗୌରବରେ ।

 

ଠିକ୍ ଏହି ସମୟରେ ପଣ୍ତିତ ଚଣ୍ତେଶ୍ୱରଙ୍କର ସରାଳ ଗ୍ରାମର କଚେରି ଘର ତିଆରି ହେଉଥାଏ । ପଣ୍ତିତଙ୍କ ବଡ଼ ପୁଅ ବିଶ୍ୱନାଥ ବାବୁ ସେଠାରେ ରହି ଘର ତୋଳାଉଥାଆନ୍ତି । ରାହାସ ଥାଆନ୍ତି ତତ୍ତ୍ୱାବଧାରକ । ନିତି ନିତି ଶହ ଶହ ଲୋକ ବେଠିରେ ଆସନ୍ତି–ଇଟା ପଥର ବୋହିବା ଲାଗି ଘରୁ ଚୁଡ଼ାଚାଉଳ ବାନ୍ଧି । ଜମିଦାର କଚେରିରୁ ପାହୁଲାଟିଏ ମିଳେ ନାହିଁ । ତଥାପି ଟିକିଏ କ୍ଳାନ୍ତ ହୋଇପଡ଼ିଲେ ବରକନ୍ଦଜ ନଟବର ସିଂର କୋରଡ଼ା ବସିଯାଏ; ଲୋକଙ୍କ ଆଖିରୁ ଲୁହ ବହି ପଡ଼େ । ବିଶ୍ୱନାଥ ବାବୁ ହାରିଗୁହାରି ଫେର ଫେରାଦି ଶୁଣି ବିଚାର କରୁ ଥାଆନ୍ତି । ମୁଦେଇ ଆସେ, ମୁଦାଲା ଆସେ; ଦୁହେଁ ମୁଚାଲିକା ଲେଖନ୍ତି, ପାଞ୍ଚ ଟଙ୍କା ଲେଖା ଜମା ରଖନ୍ତି । ଯାହାର ଦୋଷ ହୁଏ ତାକୁ ଜରିମାନା କରାଯାଏ । ନ ଦେଲେ ପ୍ରହାର ବସେ, ଧୋବା ଭଣ୍ତାରି ବାଚ୍ଛନ୍ଦ କରାଯାଏ । ଶେଷକୁ ସେ ବାଧ୍ୟ ହୋଇ ଜମିଦାର ବାବୁଙ୍କ କଚେରି ଆଗରେ ଦିନସାରା ସାଷ୍ଟାଙ୍ଗ ପଡ଼ି ପଡ଼ି ଜରିମାନା ଦାଖଲ କରି ଘରକୁ ଫେରେ ।

 

ଏହି ଭଳି ନିତି ଚାଲିଥାଏ ଅତ୍ୟାଚାର ଓ ଅନାଚାରର ତାଣ୍ତବ ଲୀଳା । ଯନ୍ତ୍ର-ଚାଳିତ ଭଳି ରାହାସ ନିଜକାମ କରିଯାଆନ୍ତି, କିଛି ଶୁଣନ୍ତି ନାହିଁ । ପର ଦୁଆରେ ମୁଣ୍ତ ବିକିଛନ୍ତି ସେ; ପ୍ରତିବାଦ କରିବାକୁ ତାଙ୍କର କି ଅଧିକାର ଅଛି ?

 

କିନ୍ତୁ କାହିଁକି କେଜାଣି ଦିନେ ଦିନେ ରାତିରେ ତାଙ୍କୁ ନିଦ ହୁଏ ନାହିଁ । ଆପଣା କୋଠରୀ ଭିତରେ ଚାରିଆଡ଼ୁ ଦୁଆର କିଳି ଟ୍ରଙ୍କଟି ଖୋଲି ମହାତ୍ମା ଗାନ୍ଧିଙ୍କର ଗୋଟିଏ ଫଟୋ ବାହାର କରି ଆଗରେ ସେ ଥୁଅନ୍ତି । ଦୁଇ ଆଖିରୁ ଦୁଇଧାର ଲୁହଗଡ଼ାଇ ସେ ଅତି ବିକଳରେ ଡାକନ୍ତି “ହେ ନର ଦେବତା ! କେତେ ଦିନ ମୋତେ ଆଉ ଅତ୍ୟାଚାର ସହିବାକୁ ହେବ ? କେବେ ଏ ଅହସହାୟ ଦୁର୍ବଳ ନିରନ୍ନ ପ୍ରଜାଙ୍କର ଦୁର୍ଗତି ଦୂର ହେବ ? କେବେ ଏମାନେ ପ୍ରବଳର ଅତ୍ୟାଚାର ବିରୁଦ୍ଧରେ ଅଣ୍ଟା ଭିଡ଼ବେ ?”

 

ସେ ଭାବନ୍ତି–ପ୍ରତ୍ୟେକ ଜିନିଷର ଗୋଟିଏ ସୀମା ଅଛି ସହିବାର । ସୁତରାଂ ସେ ଆଉ ସହି ପାରିବେ ନାହିଁ । କୁଞ୍ଜର ପଢ଼ାପଢ଼ି ଇତି ହେଉ ପଛକେ ସେ ଏ ଚାକିରି ଛାଡ଼ିଦେବେ । ଯେଉଁ ଜମିଦାରର ଧନ-ସମ୍ପଦ ଦରିଦ୍ର ପ୍ରଜାର ଗଳ-ରକ୍ତରେ ପୂର୍ଣ୍ଣ, ତହିଁରୁ କାଣିଚାଏ ସୁଦ୍ଧା ଗ୍ରହଣ କରିବା ତାହାଙ୍କ ଭଳି ଲୋକ ପକ୍ଷେ ଯେତେଦିନ ସମ୍ଭବ ହେଲା ହେଉ, ଆଉ ଏଣିକି ହେବ ନାହିଁ । ଜନ୍ଦାପିମ୍ପୁଡ଼ି ଭଳି ଦୁର୍ବଳ ଜନ-ସ୍ରୋତର ଛାତି ଉପରେ ପାଦ ଦଳି ଚଳିଯିବା ତାଙ୍କ ପକ୍ଷେ ଆଉ ସହ୍ୟ ହେବ ନାହିଁ ।

 

ତେବେ ତା’ ଆଗରୁ ଗୋଟିଏ କାମ ତାଙ୍କର ବାକୀ ଅଛି ଯେ !

 

ଆଠ

 

ବି.ଏ. ପରୀକ୍ଷା ଦେଇ କୁଞ୍ଜ ଘରକୁ ନ ଆସି କଟକରେ ରହିଲା । ସୁକୁମାରୀ ଚିଠି ଲେଖିଲେ–“କୁଞ୍ଜ ! ଅନେକ ଦିନ ହେଲା ମୁଁ ତମକୁ ଦେଖି ନାହିଁ । ଭାରି ଖରାପ ଲାଗୁଛି, ଘରକୁ ଆସିବ” । କିନ୍ତୁ କୁଞ୍ଜ ଉତ୍ତର ଦେଲା–ଫଳ ବାହାରିଲେ ଘରକୁ ଯିବି” । ଫଳ ବି ବାହାରିଲା, ତଥାପି କୁଞ୍ଜ ଆସିଲା ନାହିଁ । ସୁକୁମାରୀଙ୍କ ମନ ପାପ ଛୁଇଁଲା । ରାଗ ମଧ୍ୟ ହେଲା । କୁଞ୍ଜ କଅଣ ତା’ର ଜନ୍ମକଲା ପୁଅ ହୋଇଛି ଯେ ତା କଥା ମାନନ୍ତା ?” ସେହି ମର୍ମରେ ସେ ପୁଣି ଗୋଟିଏ ଚିଠି ଲେଖିଲେ; କିନ୍ତୁ ତେବେ ସୁଦ୍ଧା କୁଞ୍ଜ ଆସିଲା ନାହିଁ । ଗାଁରୁ ଲୋକ କଟକ ଯାଉଥିଲେ । ସୁକୁମାରୀ ବାର ରାଣ ନିୟମ ପକାଇ ଖବର ପଠାଇଲେ । ତଥାପି କୁଞ୍ଜ ଉତ୍ତର ଦେଲା–“ଘରେ ମୋତେ ଭାରୀ ଏକୁଟିଆ ଲାଗେ; ମୁଁ ସେଇଥି ପାଇଁ ଯିବାକୁ ମନ କରେ ନାହିଁ । ମୋତେ ମଧ୍ୟ ଭଲ ଲାଗେ ନାହିଁ ।”

 

ସୁକୁମାରୀଙ୍କ ମନ ଭିତରେ ଅନ୍ଧକାର ଘନୀଭୂତ ହୋଇ ଆସିଲା–“କୁଞ୍ଜକୁ ଗାଆଁରେ ଏକୁଟିଆ ଲାଗେ ।” ଚମକି ପଡ଼ି ସେ ଆପଣାର ପୂର୍ବ ଜୀବନ କଥା ମନେ ପକାଇଲେ । ସତେ ତ, କୁଞ୍ଜଟି ଆଉ ପିଲା ନୁହେଁ । ତା’ର ବୟସରେ ବ୍ରାହ୍ମଣ ଘରେ ଅଭିଆଡ଼ା ହୋଇ କେତେ ଜଣ ଅଛନ୍ତି-? ସାଙ୍ଗେ ସାଙ୍ଗେ ସୁକୁମାରୀ ସ୍ୱାମୀଙ୍କ ନିକଟକୁ ଚିଠି ଲେଖି ପଠାଇଲେ–“କୁଞ୍ଜଟି ମୋର କଅଣ ଚିରଦିନ ପିଲାଟିଏ ଥିବ ? ତୁମେ ଆଖି ବୁଜି କେମିତି ବସିଛ ? ତା’ର କଅଣ ବିଭାଘର ହେବ ନାହିଁ ? ଏ ପତ୍ର ପାଇଲା ମାତ୍ରେ ଆସିବ; ହେଳା କରିବ ନାହିଁ ।’’

 

ଚିଠିପାଇ ରାହାସ ଚମକି ପଡ଼ିଲେ । ସତେ ତ, କୁଞ୍ଜର ବୟସ ହୋଇ ଗଲାଣି । ଆଗରୁ ଏ ବିଷୟରେ ସଜାଗ ହେବା ଉଚିତ ଥିଲା । କାରଣ ବ୍ରାହ୍ମଣ ପରିବାର, ସାରଦା ଆଇନ ପାସ୍‍ ହେବା ଦିନରୁ ଲୁଚାଇ ଚୋରାଇ ଲୋକେ ପାଞ୍ଚ ସାତ ବର୍ଷର ଝିଅଗୁଡ଼ିଙ୍କୁ ମଧ୍ୟ ବିଭା ଦେଇ ସାରିଲେଣି । ଟିକିଏ ବୟସର କନ୍ୟାଟିଏ ନ ମିଳିଲେ କୁଞ୍ଜର ବୟସକୁ ସୁନ୍ଦର ଦିଶିବ ନାହିଁ । ତହିଁରେ ପୁଣି କୁଞ୍ଜଟି ଉଚ୍ଚ ଶିକ୍ଷିତ । ଶିକ୍ଷିତା କନ୍ୟାଟିଏ ପାଇବା ନିମନ୍ତେ ନିଶ୍ଚୟ ତା’ର ଆଶା ଥିବ-। ଏଇ ସବୁ ଭାବି ଭାବି ରାହାସ ଭାରି ଚିନ୍ତିତ ହୋଇ ପଡ଼ିଲେ । ବାସ୍ତବିକ୍‍ ତାଙ୍କର ବଡ଼ ଭୁଲ୍‍ ହୋଇଛି ।

 

ଅନେକଦିନ ପରେ ରାହାସ ସାତ ଦିନର ଛୁଟି ନେଇ ଘରକୁ ଫେରିଲେ । ଦେଖିଲେ ସୁକୁମାରୀଙ୍କର ଚିନ୍ତା ଓ ଅଭାବରେ କଣ୍ଟା ରହିଲାଣି । ଭୋଳା ମହେଶ ରାହାସଙ୍କ ମନ ଆହୁରି ବିକଳ ହେଲା ପୁରୁଷ ହୋଇ ସେ ଆପଣାର ସ୍ତ୍ରୀକୁ ପରିପୋଷଣ କରି ପାରିଲେ ନାହିଁ । ଏହାଠାରୁ ବଳି ବେଶି ଆଉ କଅଣ ହୋଇପାରେ ? ନିଜର ବିବେକକୁ ବିକି ଆତ୍ମ-ମର୍ଯ୍ୟାଦାକୁ ତୁଚ୍ଛ ପନିପରିବା ଭଳି ଚଣ୍ଡେଶ୍ୱର ପଣ୍ଡିତଙ୍କ ପାଦତଳେ ସମର୍ପି ଦେଇ ଯାହା ରୋଜଗାର କଲେ ତହିଁରେ କୁଞ୍ଜ ବି.ଏ. ପାସ୍‍ କଲା ସତ; କିନ୍ତୁ ସୁକୁମାରୀ ସୂତା କାଟି ପେଟ ଚାଖଣ୍ଡକ ଏତେ ଦିନ ଯାକେ ପୋଷିଲେ । ସ୍ୱାମୀ ହୋଇ ସେ କଅଣ କଲେ ?

 

ରାହାସ ମୁଣ୍ଡରେ ହାତ ଦେଇ ସୁକୁମାରୀ ଆଡ଼କୁ ବଲ ବଲ କରି ଅନାଇ ବସିପଡ଼ିଲେ-। ଗୋଟିଏ ଦୀର୍ଘ ନିଃଶ୍ୱାସ ଛାଡ଼ି ସେ ପଚାରିଲେ, ‘‘ସୁକୁମାରୀ ! ତୁମେ କଅଣ ହେଲଣି ?’’ ଆଖିରୁ ଠସ୍‍ଠସ୍‍ ଲୁହ ଗଡ଼ି ପଡ଼ିଲା ।

 

ସୁକୁମାରୀ କଥାର ଗୁରୁତ୍ୱ ଲଘୁ କରିବାକୁ ଯାଇ ହସରେ ଉଡ଼ାଇ ଦେଲେ । ‘‘କଅଣ ହେଲିଣି ? ଦିହ ଖରାପ ଥିଲା, ସର୍ଦ୍ଦି ହୋଇଗଲା । ଦିହ ଝଡ଼ି ଯାଉଛି । ଏଥିପାଇଁ ଏତେ ଭାଳେଣି କାହିଁକି ?’’

 

ତା’ପରେ ସ୍ୱାମୀ ସ୍ତ୍ରୀ ଦୁହିଁଙ୍କ ଭିତରେ ନାନା ଆଲୋଚନା, ପରେ ସ୍ଥିର ହେଲା–କୁଞ୍ଜ ଆଉ ପଢ଼ି ପାରିବ ନାହିଁ । ଚାକିରି ଖଣ୍ଡିଏ କରୁ । ଭଲ ପାତ୍ରୀଟିଏ ଯୋଗାଡ଼ କରି ତାକୁ ଶୀଘ୍ର ବିଭା କରି ଦେବାକୁ ହେବ । ରାହାସ ସେଭଳି ଗୋଲାମି ଆଉ କରି ପାରିବେ ନାହିଁ । ଯେତିକି ଗଲେ ସେତିକି ସେ ଫଳ ପାଇଲେ; ଆଉ ଗୁଡ଼ାଏ ବେଶି ପୁଣ୍ୟ ଅର୍ଜ୍ଜନ ଲୋଡ଼ା ନାହିଁ ।

 

ରାହସ ଖଣ୍ଡିଏ ଚିଠି ଲେଖିଲେ, ‘ବାବୁରେ କୁଞ୍ଜ ! ସଂସାର ଆଉ ଚଳିବ ନାହିଁ । ଜମି ବାଡ଼ି ସବୁ ସରିଛି । ପର ଦୁଆରେ ମୁଣ୍ଡ ବିକି ମୁଁ ମାସକୁ ତିରିଶ ଟଙ୍କା ରୋଜଗାର କରୁଥିଲି; ନୂଆବୋଉ ତୋର ଏତେଦିନ ଯାକେ ସୂତାକାଟି ଚଳୁଥିଲେ । ତୁ ଖଣ୍ଡିଏ ଚାକିରି ଦେଖ । ବଡ଼ ଆଶା ଥିଲା, ତୋତେ ଏମ୍‍.ଏ. ପଢ଼ାଇବି ବୋଲି; କିନ୍ତୁ ଅଭାବ ତାହା କରାଇ ଦେଲା ନାହିଁ । ତୁ ଚିଠି ପାଇ ଥରେ ଆସିବୁ ।’

 

କୁଞ୍ଜବିହାରୀ ଭାଉଜଙ୍କ କଥା ଏଡ଼ି ଦେଇ ଆସି ଥିଲା । କିନ୍ତୁ ଭାଇନାଙ୍କ ଚିଠି ପାଇ ସମ୍ଭାଳି ପାରିଲା ନାହିଁ । ଚିଠି ଖଣ୍ତିକ ପଢ଼ି ସେ କାନ୍ଦି ପକାଇଲା । ସତେ ତ, ସେ ବଡ଼ ଭୁଲ କରିଛି-। ସେ ଏତେ ଆନନ୍ଦରେ ସୂତାକାଟି ପେଟ ପୋଷୁଛନ୍ତି !

 

ହାହାକାରରେ ତା’ର ଅନ୍ତରଟା ଭରିଗଲା । ଗୋଟି ଗୋଟି ହୋଇ ପିଲା ଦିନର ସବୁ କଥା ଆଖି ଆଗରେ ତା’ର ନାଚିଲା । ତାକୁ ଲାଗିଲା–ସେ ଦିନ ପରି । ଭାଉଜ କୋଳରେ ସେ ଆଉଜି ବସେ; ଭାଉଜ ଖୋଇ ଦିଅନ୍ତି–କେତେ ଆଦରରେ, କେତେ ସ୍ନେହରେ । କାଳ ବିଳମ୍ବ ନ କରି ସେ ଗାଆଁକୁ ଧାଇଁ ଆସିଲା । ଦେଖିଲା ସବୁ ସରି ଯାଇଛି । ଜମିବାଡ଼ି ଯାଇଛି; ଘରଦ୍ୱାର ଭାଙ୍ଗିଚୁରି ପଡ଼ିଛି । ନୂଆବୋଉ ଆଉ ସେ ନୂଆବୋଉ ହୋଇ ନାହାନ୍ତି; କେବଳ ଅସ୍ଥି କଙ୍କାଳ ସାର-

 

“ମୋ କୁଞ୍ଜ ! ଏତେ ଦିନରେ ମନେ ପଡ଼ିଲା ତମର... ?” କହି ସୁକୁମାରୀ ପାଦତଳୁ ଆପଣା କୋଳ ଭିତରକୁ କୁଞ୍ଜକୁ ଗୋଟେଇ ନେଲେ । ଆଖିରୁ ଝର ଝର ଲୁହ ଝରି କୁଞ୍ଜର କପାଳ ତିନ୍ତାଇଲା । କୁଞ୍ଜ ବି ସମ୍ଭାଳି ପାରିଲା ନାହିଁ । ନୂଆବୋଉ କୋଳ ଭିତରେ ମୁହଁ ଗୁଞ୍ଜି କଇଁ କଇଁ ହୋଇ କାନ୍ଦି ପକାଇଲା ।

 

ରାହାସ ତେଣୁ ପାଟିକରି ଉଠିଲେ, ଠିକ୍ ଆଗପରି–“ଧନ୍ୟ ଧନ୍ୟ, ତମର ବେଳକାଳ ଜ୍ଞାନ ନାହିଁ । କାହିଁ ପିଲାଟା ଏତେ ବାଟରୁ କ୍ଳାନ୍ତ ହୋଇ ଆସିଲା; କଅଣ ଦି’ଟା ଖାଇବାକୁ ଦେବ, ନା କାନ୍ଦଣାର ସୁର ଆରମ୍ଭ କରିଦେଲେ ଆମର ଗୁଣବତୀ ।”

 

ସୁକୁମାରୀ ଚମକି ପଡ଼ିଲେ । ସତେ ତ ! ପିଲଟି ଖାଇନାହିଁ ପରା ? ମୁହଁଟି ଶୁଖିଲା ଦିଶୁଚି ଯେ !”

 

କୁଞ୍ଜବିହାରୀ ଛିଡ଼ା ହୋଇ ଭାବିଲା, “ଏଇ ଭାଇ; ଏଇ ଭାଉଜ, ଆଉ ଏଇ ଘର । ଏସବୁ ଛାଡ଼ି ଏତେଦିନ ଯାକେ ସେ ଇନ୍ଦ୍ରଜାଲର ଗୋଟିଏ ମାୟା-ପୁରୀ ଭିତରେ ବୁଲୁଥିଲା ସିନା !” କଲେଜ ଜୀବନଟା ତାକୁ ଲାଗିଲା ଯେମିତିକି ଗୋଟିଏ ରାତିର ସପନ ।

 

ସେ ସ୍ଥିର କଲା–ଆଉ ପଢ଼ିବ ନାହିଁ । ଚାକିରି ଖଣ୍ଡିଏ କରିବ । ଭାଇଭାଉଜ ତା’ରି ପାଇଁ ଦୁଃଖ ଅଭାବରେ ଚୂଡ଼ାନ୍ତ ସହିଲେଣି, ଆଉ ପାରିବେ ନାହିଁ ।

 

ନଅ

 

ରାହାସ ଓ ସୁକୁମାରୀଙ୍କ ମଧ୍ୟରେ କୁଞ୍ଜର ବିଭା କଥା ପଡ଼ିଲା ।

 

ରାହାସ କହିଲେ, “କନ୍ୟା ଠିକ୍ କରିବା ଆଗରୁ ପିଲାଙ୍କର ମତ ଜାଣିବା ଉଚିତ । କାରଣ ଆଜିକାଲିକା ପିଲାଙ୍କର ରୁଚି ଭିନ୍ନ ଧରଣର ।”

 

ଏଇଥି ଲାଗି ସୁକୁମାରୀ ସୁଯୋଗ ଖୋଜୁ ଥାଆନ୍ତି, କୁଞ୍ଜ ଆଗରେ କଥାଟାକୁ କିପରି ଭାବରେ ପକାଇବେ । ପୁଅ ପରି ଆଜିଯାକେ ସେ ତାକୁ ପାଳି ଆସିଛନ୍ତି । ଏଭଳି ଗୋଟିଏ ସଙ୍କୋଚଜନକ ବିଷୟ ଘେନି ତାହା ସହିତ ଆଲୋଚନା କରିବା ନିମନ୍ତେ ସୁକୁମାରୀଙ୍କି ଭାରି ଅଡ଼ୁଆ ଲାଗିଲା । ଯାହାହେଉ, ବୁଝିବାକୁ ହେବ ତ ।

 

ସେଦିନ ଖରାବେଳେ ସୁକୁମାରୀ ବସି ବସି ଖଣ୍ତିଏ ଫତେଇ ସିଲେଇ କରୁଛନ୍ତି । ପାଖରେ ବସି କୁଞ୍ଜ କଟକର ବାରକଥା ଏଣୁ ତେଣୁ କହି ଚାଲିଛି । ହଠାତ୍ ମଝିରେ ଗୋଟିଏ ପୂର୍ଣ୍ଣଛେଦ ଟାଣିଲା ଭଳି ସୁକୁମାରୀ ନିଜ ହାତ ଆଡ଼କୁ ନଜର ରଖି ଗମ୍ଭୀର ଭାବରେ କହିଲେ, “ହଁ କୁଞ୍ଜ ! ତମେ ଇଲେ କଟକ ଯିବ ଯେ କଅଣ କରିବ ? ଆଉ ତ ପଢ଼ାଇବାର ଶକ୍ତି ତମ ନନାଙ୍କର ନାହିଁ ।”

 

କୁଞ୍ଜ ଭାଉଜଙ୍କ ଆଡ଼କୁ ଚାହିଁ କହିଲା, “କଅଣ ଆଉ କରିବି ? ଆଜିକାଲି ସମୟରେ ଚାକିରି ଖଣ୍ତେ ମିଳିବା ଏତେ ସହଜ ନୁହଁ । ଦେଖିବି ଯଦି ପାରେ ଖଣ୍ତେ ଦିଖଣ୍ଡ ଟିଉସନ କରିବି । କିଛି ଉପାର୍ଜନ ନ କଲେ ଆଉ ଚଳିବ ନାହିଁ । ତମମାନଙ୍କର ଯାହା ଅବସ୍ଥା ହେଲାଣି, ସେଥିଲାଗି ମୁଇଁ ଦାୟୀ ଯେ ।”

 

“ହଁ, ତା’ତ କରିବ । ଏଣେ ଏ ଘରକରଣା କରିବ କିଏ ? ମୋର ଏ ଭଙ୍ଗା ସ୍ୱାସ୍ଥ୍ୟ ଘେନି ମୁଁ ଆଉ ଏକା ଚଳି ପାରିବି ନାହିଁ । ନନା ବି ତମର ସେଇ କଥା କହୁଥିଲେ ।”

 

କଥାଟାର ମର୍ମ ଅନୁଭବ କରି କୁଞ୍ଜ ତଳକୁ ମୁହଁ ନୁଆଁଇଲା । ଟିକିଏ ସାହସ ପାଇ ସୁକୁମାରୀ ପୁଣି ଆରମ୍ଭକଲେ–“ନନାଙ୍କର ଇଚ୍ଛା ଗୋଟିଏ ଭଲ ପିଲା ଦେଖି ବୋହୂକରି ଆଣିବେ । ଟିକିଏ କିଛି ପଢ଼ାପଢ଼ି କରିଥିବ, ଭଦ୍ର ପରିବାରର ପିଲା ହୋଇଥିବ, ଦରିଦ୍ର ଘର ହୋଇଥିଲେ ଉତ୍ତମ କଥା । କାହିଁକିନା ବଡ଼ଘରର ଝିଅଗୁଡ଼ିକ ଉପର-ମୁହୀଁ, ଗର୍ବରେ ସଢ଼ି ପଡ଼ନ୍ତି । ସ୍ୱାମୀ ଶ୍ୱଶୁରଙ୍କ ପ୍ରତି ଅନାସ୍ଥା ଭାବ ଦେଖାନ୍ତି । ଆଉ ବି, ସେମାନଙ୍କ ଲାଗି ଦାସୀ ଚାକର ଖଞ୍ଜିବାକୁ ଆମର ଶକ୍ତି କାହିଁ” ?

 

ନୂଆବୋଉ ଆଜି ନୂଆ ନୂଆ କଥା କହିଲେ । କୁଞ୍ଜ କଅଣ ଉତ୍ତର ଦେବ । ଯୌବନ ଦୁଆରେ ତା’ର ଆଜି ଏହା ପ୍ରଥମ କରାଘାତ । ନବ ବସନ୍ତ ଦୁଆରେ କୋକିଳର ପ୍ରଥମ କୁହୁତାନରେ ସେ ଚମକି ପଡ଼ିଲା–ସାରା ଅଙ୍ଗରେ ତା’ର ପୁଲକ । ଉଠି ପଳାଇ ଯିବାକୁ ଇଚ୍ଛା ହେଲା, କିନ୍ତୁ ହାତ ଗୋଡ଼ ଅବଶ ଲାଗିଲା । ସୁକୁମାରୀ ଅଲକ୍ଷିତ ଭାବରେ କୁଞ୍ଜର ମୁହଁଆଡ଼କୁ ଆଖି ଫେରାଇ ଦେଖିଲେ–ରାଗରଞ୍ଜିତ ଆଖିଯୋଡ଼ିକ ଲାଜରେ ଇଷତ୍ ବୁଜି ହୋଇ ପଡ଼ିଚି; ଅଧରରେ ମୃଦୁ ହାସ୍ୟ । ନିଜର ସିଦ୍ଧାନ୍ତକୁ ଦୃଢ଼ମୂଳ କରିବା ଲାଗି ପୁଣି ଥରେ ସେ କଥା ଉଠାଇଲେ–“କଅଣ କୁହ କୁଞ୍ଜ, ତୁମର ଅଭିରୁଚି ଜାଣିବା ଆମର କର୍ତ୍ତବ୍ୟ । ଇଚ୍ଛା ବା ସଙ୍କୋଚ କରିବାର କିଛି ହେତୁ ନାହିଁ । ଧର୍ମପତ୍ନୀ ଗ୍ରହଣ କରିବା ସଂସାରୀ ମାତ୍ରେ ସମସ୍ତଙ୍କର କର୍ତ୍ତବ୍ୟ । ତୁମେ କଅଣ ଚିରଦିନ ପିଲାଟିଏ ହୋଇଥିବ ?”

 

ଲଜ୍ଜାର ଚରମ ସୀମାରେ ପହଞ୍ଚି କୁଞ୍ଜ ଦେଖିଲା–ଆଉ ସେଠାରେ ମୁହୂର୍ତ୍ତେ ଅପେକ୍ଷା କରି ହେବ ନାହିଁ । ମୁହଁ ବୁଲାଇ ଉଠି ଛିଡ଼ା ହେଲା । ସେ ଏକା ମୁହାଁ ହୋଇ ଦାଣ୍ତଘର ଆଡ଼କୁ ପଲାଇଗଲା ।

 

ସୁକୁମାରୀ ଛାଡ଼ିବାର ପାତ୍ର ନୁହଁନ୍ତି । ଶୁଣାଇ ଶୁଣାଇ ପୁଣିଥରେ ପଚାରିଲେ କଅଣ କିଛି କହିଲ ନାହିଁ କୁଞ୍ଜ ? ନନା ତମର ଘୂରି ଘୂରି ବୁଲୁଛନ୍ତି, ଆଉ ତମଠୁଁ ଉତ୍ତର ମିଳୁନାହିଁ । ଇଆ ମାନେ ?”

 

ଶାସନ ପାଇ କୁଞ୍ଜ ଉଢ଼ୁଆଳରେ ଥାଇ କହି ପକାଇଲା, “ଏକଥା ମତେ କାହିଁକି ପଚାରୁଛ ? ତୁମ୍ଭମାନଙ୍କୁ ଯାହା ଭଲ ତା କରିଯିବ; ମୁଁ ଗୋଟାଏ କ’ଣ କହିବି ? ତେବେ ପଇସା କଉଡ଼ିର ଅଭାବ । କିଛିଦିନ ବିଳମ୍ବ ହେଲେ କ’ଣ ଚଳନ୍ତା ନାହିଁ ?”

 

ଉଢ଼ୁଆଳରେ ଥିବାରୁ କୁଞ୍ଜ ଏତେଗୁଡ଼ାଏ କଥା କହିଗଲା । ଆଖି ଆଗରେ ମୁହଁକୁ ମୁହଁ ଯେଉଁ କଥା କହି ହୁଏ ନାହିଁ ଦୂରରେ ଥାଇ ସେ କଥା କହିହୁଏ ।

 

ସୁକୁମାରୀ ଜାଣିଲେ କୁଞ୍ଜର ଅନିଚ୍ଛା ନାହିଁ । ପଇସାକୌଡ଼ିର ଅଭାବ କଥା ଯାହା ସେ କହିଲା ସେଇଟା ବାହରର–ଅନ୍ତରର ନୁହେଁ ।

 

କିଛିଦିନ ପରେ କୁଞ୍ଜ ଗଲା କଟକ । ସୁକୁମାରୀ ରାହାସ ସଙ୍ଗରେ ଲଗାଇଲେ, “ଆଉ ବିଳମ୍ବ କର ନାହିଁ । କନ୍ୟା ଦେଖି କୁଞ୍ଜକୁ ଯେମିତି ହେଉ ବୈଶାଖରେ ବିଭା କରାଇବାକୁ ହେବ ।”

 

କୁଞ୍ଜ କଟକରେ ପହଞ୍ଚି ଦୁଇ ଖଣ୍ତି ଟିଉସନ ଧରିଲା । ମାସକୁ ପଚାଶଟି ଟଙ୍କା । ଦିନକୁ ଚାରିଘଣ୍ଟା ଲେଖାଁ ପଢ଼ାଇବାକୁ ହୁଏ । କଲେଜ ଛାଡ଼ିବା ଦିନୁ ଭାଇଭାଉଜଙ୍କ ଅବସ୍ଥା ଦେଖି ତା’ର ଜୀବନଯାତ୍ରା ପୁଣି ପୂର୍ବପରି ସରଳ ଓ ସହଜ କରି ସେ ଗଢ଼ିନେଲା । ଖୁବ୍ ଅଳ୍ପ ଖର୍ଚ୍ଚରେ ଚଳି, ସେ ବଳକା ଟଙ୍କାତକ ନୂଆବୋଉଙ୍କ ପାଖକୁ ପଠାଇ ଦିଅନ୍ତି । ସୁକୁମାରୀ ସାଇତି ରଖି ଦିଅନ୍ତି କୁଞ୍ଜର ବିଭାଲାଗି । ଏଣେ ରାହାସ ଗୋଟିଏ ସୁଶ୍ରୀ ଶିକ୍ଷିତା କନ୍ୟା ଲାଗି ଘୂରି ଘୂରି ବ୍ୟତିବ୍ୟସ୍ତ ହୋଇଗଲେ । ଏଣେ ତେଣେ ଚାରିଆଡ଼େ ମଧ୍ୟସ୍ଥ ପଠାଇଲେ । ମାସେ ଗଲା, ଦୁଇମାସ ଗଲା, ତିନି ମାସ ବି ଗଲା । ମନ ଲାଖି ପାତ୍ରୀଟିଏ ମିଳୁ ନାହିଁ ଦେଖି ସେ ବଡ଼ ଚିନ୍ତିତ ହୋଇପଡ଼ିଲେ ।

 

ଜମିଦାରୀ କଚିରିରେ ଚକିରି; ଦିନକୁ ଆଠ ପହର ଇନ୍ତିଜାରି । ଛୁଟି ମିଳେ ନାହିଁ । ହାତରେ ମଧ୍ୟ ଯଥେଷ୍ଟ ଅର୍ଥ ନାହିଁ। ମାସକୁ ମାସ ରୀତିମତ ଦରମା ଗଣ୍ତାକ ମିଳେ ନା । ତହିଁ ଉପରେ ପାତ୍ରୀଟିଏ ଲାଗି ଖରା ନାହିଁ, ତରା ନାହିଁ, ଉପାସ ଭୋକରେ ବାର ରାଇଜରେ ବୁଲି ବୁଲି ରାହାସ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ । କିନ୍ତୁ ଉପାୟ ନାହିଁ–କର୍ତ୍ତବ୍ୟ । ପୁଣି, ଘରେ ପହୁଞ୍ଚିଲେ ସୁକୁମାରୀ କାନକୋଳି କଣ୍ଟା ପରି ନିଟିପିଟି ହୋଇ ଲାଗି ଯାଆନ୍ତି–“ପାତ୍ରୀ ଯୁଟିଲା ?”

 

ଚାହୁଁ ଚାହୁଁ ବୈଶାଖ ଗଲା, ଜ୍ୟେଷ୍ଠ ଆଷାଢ଼ ଗଡ଼ିଗଲା । ଗାଁରେ କୌଣସି ବିଭା ବାଦ୍ୟ ଶୁଭିଲେ ସୁକୁମାରୀ ଘର କୋଣରେ ବସି ଆଖିରୁ ଲୁହ ପୋଛିଲେ । ଶେଷକୁ କଡ଼ା କଡ଼ା କରି ସେ ରାହାସଙ୍କ ପାଖକୁ ଚିଠି ଲେଖିଲେ । ତେବେ ବି ଭଲ ପାତ୍ରୀ ମିଳିଲା ନାହିଁ । ରାହାସ ହତାଶ ହୋଇ ପଡ଼ିଲେ ।

 

ସେଦିନ ଝମ୍ ଝମ୍ ବରଷା ହେଉଛି । ରାହାସ ତିନି ମାସ ପରେ ଘରକୁ ଆସିଛନ୍ତି, ଦୁଇଟି ଦିନ ଲାଗି । ସୁକୁମାରୀ କହିଲେ, “କନ୍ୟା ପାତ୍ର ପାଇଲ ? ନାଁ, ନିଶ୍ଚିନ୍ତ ହୋଇ ବସି ରହିଲ-? ଏତେ ନିରାଲମ୍ବ ହୋଇ ବସି ରହିଲେ କିଛି କରଣ ଘର ହୋଇ ନାହିଁ ଯେ ଲୋକ ଆସି ଝିଅଟିଏ ଗୁଞ୍ଜିଦେଇ ଯିବେ । ତହିଁକି ସମ୍ପତ୍ତି ବାଡ଼ି ତ ଯାହା ଅଛି । ତେମେ ବସି ରହିଛ କାହିଁକି ? ଯାଉ ନା, ଘେରାଏ କୁଆଡ଼ୁ ବୁଲି ଆସିବ ?”

 

ରାହାସ ନିରାଶ ଭାବରେ ସୁକୁମାରୀ ଆଡ଼କୁ ଦଣ୍ତେ ଚାହିଁଲେ–କଅଣ ଉତ୍ତର ଦେବେ । ଘଡ଼ିଏ ଗଲାରୁ କହିଲେ “ବର୍ଷା ଟିକେ କମି ଯାଉ, ବଜରଙ୍ଗପୁର ଆଡ଼େ ଯିବି ।”

 

କଥାଟା ଶୁଣି ସୁକୁମାରୀଙ୍କି କାହିଁକି ହସ ମାଡ଼ିଲା । ସେ କହିଲେ “ଖରାରେ କହିଲ ଖରା ହେଲା, ବର୍ଷା ଦିନେ ତ କହିଲ ବର୍ଷା ହେଲା; ପୁଣି ଶୀତ ଦିନେ ତ ଶୀତ, ଆଉ କେଉଁଦିନ ଘରୁ ବାହାରିବ ?”

 

ସୁକୁମାରୀଙ୍କ ମୁହଁରୁ ରାହାସ ଏଭଳି ବେତ୍ରାଘାତ ପାଇବାର ଆଶା କରି ନଥିଲେ । ସେହି ଦିନ ଉପରଓଳି ସେ ନିଜ କାର୍ଯ୍ୟ ସ୍ଥାନକୁ ବାହାରିଲେ । କହିଗଲେ, ‘‘କନ୍ୟା ସ୍ଥିର କଲେ ଆସିବି, ନୋହିଲେ ଆଉ ଫେରିବି ନାହିଁ” । ବାଟରେ ଆଖିରୁ ଲୁହ ଝରିଲା ଅଝର ଝର । “ହାୟ ବିଧାତା ! କୁଞ୍ଜ ଲାଗି କଅଣ କନ୍ୟା ପାତ୍ରଟିଏ ଏ ବିଶାଳ ବ୍ରହ୍ମାଣ୍ତ-ଖଣ୍ତରେ ନାହିଁ ?”

 

ଦଶ

 

ସରାଳ କଚେରି ଘର ଖୁବ୍ ସମାରୋହରେ ପ୍ରତିଷ୍ଠିତ ହେଲା । ବିଶ୍ୱନାଥ ବାବୁ ସେଠାରେ କିଛିଦିନ ପାଇଁ ରହିଲେ । ପଇସା ଆଦାୟ ହୁଏ ପ୍ରଜାଙ୍କଠାରୁ–ଅପର୍ଯ୍ୟାପ୍ତ । ଖର୍ଚ୍ଚ ମଧ୍ୟ ହୁଏ ଅପର୍ଯ୍ୟାପ୍ତ । ତେବେ, ଦରିଦ୍ର ପ୍ରଜାଙ୍କଠାରୁ ଆସିଥିବା ଧନ ତାଙ୍କ ହାତକୁ ଲେଉଟି ଯାଏ ନାହିଁ-। କଚେରି ଘରେ ରାଜନୀତି କାରଖାନା, ନିତି ଲାଗିଥାଏ ଧୁମ୍‍ଧାମ୍–ମୌଜ ମଜଲିସ୍‍ । ଭାଙ୍ଗ ଘୋଟା ହୁଏ । ସଙ୍ଗୀତ ପିଲା ଓ ବାଈ ଆସନ୍ତି । ଭ୍ରମଣ ହୁଏ, ନାବକେଳି ହୁଏ । ସବୁ ହୁଏ; କିନ୍ତୁ ବାପାଙ୍କ ଗନ୍ତା ଘରୁ ପାହୁଲାଟିଏ ଆସେ ନାହିଁ କିମ୍ବା ପ୍ରଜାଙ୍କଠାରୁ ଆଦାୟ ହେଉଥିବା ଖଜଣା ଗଣ୍ତାକରୁ ଖର୍ଚ୍ଚ ହୁଏ ନାହିଁ । ଉପୁରି ଆୟରେ ଏ ସବୁ ହେଉ ଥାଏ ।

 

କଥାରେ କହନ୍ତି ଯମଠାରୁ ଯମଦୂତମାନେ ବେଶି ଭୟଙ୍କର । ବାବୁଙ୍କଠାରୁ ତହସିଲ ଅମଲାଏ ବେଶି ଭୀଷଣ । ବାବୁଙ୍କ ନାଆଁରେ ସେମାନେ ସବୁ କରି ଯାଆନ୍ତି । ଆଙ୍ଗୁଳି ଦେଖାଇ ଦେଲେ ସେମାନେ ବାହାଯାକେ ଗିଳି ଯାଆନ୍ତି । ବାବୁଙ୍କ ପାଖରେ କେହି ହାରି ଗୁହାରି କଲେ ବାବୁ ତାକୁ ତହସିଲଦାର ପାଖକୁ ପଠାଇ ଦିଅନ୍ତି । ତେଣୁ କେହି ଆପତ୍ତି କରିବାକୁ ସାହାସ କରନ୍ତି ନାହିଁ-। ଦୀପ ତେଜି ଅମଲାଙ୍କର ହାତ ଦି’ଟା ବେଶ୍ ଚିକଣ ହୁଏ ।

 

ଥରକର ଘଟଣା । ବଢ଼ାଳିଆ ଗ୍ରାମର ତେଲି ପ୍ରଜାଙ୍କ ଉପରେ କୌଣସି କାରଣରୁ ତହସିଲଦାରଙ୍କ ମୋହରିରଙ୍କ ପିଆଦା ବାବୁ ସୀତାନାଥ ମଳିକଙ୍କ କୋପଦୃଷ୍ଟି ପଡ଼ିଲା । ବିନା ଅପରାଧରେ ସେ ଗାଆଁର ସମସ୍ତଙ୍କ ଗାଈଗୋରୁ ଅଡ଼ାଇ ନେଇ କାଞ୍ଜିଆଗଦାରେ ଭର୍ତ୍ତି କରି ଦିଆଗଲା । ଅକାରଣ ପଇସାଗୁଡ଼ିଏ ଗଣି ପ୍ରଜାଏ ତହସିଲଦାରଙ୍କ ପାଖରେ ଆସି ଦୁଃଖ ଜଣାଇଲେ । କିନ୍ତୁ ଫଳ ଫଳିଲା ଓଲଟା । ତହସିଲଦାର ବାବୁ, ମୋହରିର ବାବୁ, ଆଉ ପିଆଦା ବାବୁ ସୀତାନାଥ ମଳିକ ଥାଇ ଗୋଟାଏ କମିଟି ବସିଲା । ବିଶ୍ୱନାଥ ବାବୁଙ୍କୁ ଯାଇଁ କହିଲେ “ହଜୁର-! ବଢ଼ଳିଆ ଗାଆଁର ପ୍ରଜାଏ ମେଳି ହୋଇ ହଜୁରଙ୍କ ଖାସ୍ ଦଖଲ୍ ଆମ୍ବ ତୋଟାରୁ ପଚାଶ ଶଗଡ଼ ଆମ୍ବ ବାଡ଼େଇ ନେଇଗଲେ । ଲୋକ ପଠା ଯାଇଥିଲା । ଲୋକଙ୍କୁ ମାଡ଼ଦେଲେ ।”

 

ସେତେବେଳେ ବାବୁଙ୍କ ପାଖରେ ବସିଥିଲେ ଭାଙ୍ଗୁଆ କେତେଜଣ । ଏକ ସ୍ୱରରେ ସମସ୍ତେ କହି ଉଠିଲେ “କଅଣ ? ଛାର ତେଲି ବାପୁଡ଼ା ଗୁଡ଼ାଙ୍କର ଏଡ଼େ ବଡ଼େଇ ! ତାଙ୍କୁ ଦେଖିଦେବା ଉଚିତ ।”

 

ବିଶ୍ୱନାଥ ବାବୁ ଭାଙ୍ଗ ନିଶାରେ ତେଜି ଉଠି ହାଙ୍କିଦେଲେ–“ତହସିଲଦାର !”

 

କରପତ୍ର ଯୋଡ଼ି ତହସିଲଦାର ବାବୁ କହିଲେ–“ହଜୁର” ।

 

“ମୋ କାନକୁ ଏ କଥା ଆସିବା ଯାକେ ଗଲା ?” ଚାଲିଲା ହିନ୍ଦି–“ତୁମ୍ କୁଛ କାମ୍ କର୍ ନେହିଁ ହେ ।”

 

ତହସିଲଦାର–“ହଜୁର ! କସୁର ମାଫ୍–’’ । ଆଉ ସେ କହି ପାରିଲେ ନାହିଁ ।

 

ବାବୁ ଆଦେଶ ଦେଲେ “ଯାଅ, ଗୁଣ୍ତା ନେଇ ଆଜି ତାଙ୍କ ଗାଆଁରେ ପଶି ଲୁଟପାଟ୍ କରି ଆସ । ଆଉ, ତାଙ୍କ ଝିଅ ବୋହୂଙ୍କୁ ଭଲ କରି ବେଜ୍ଜିତ୍ କର । ଯାହା ଲାଗେ ଖରଚ କର” ।

 

“ଯୋ ହଜୁର !” କହି ତହସିଲଦାର ଚାଲିଲେ ଆପଣା କାମରେ ।

 

ସେଦିନ ଦରିଦ୍ର ପଲ୍ଲୀ ବଡ଼ାଳିଆ ଗ୍ରାମରେ ଯାହା ଘଟିଲା ତାହା କାଳି କଲମରେ ଲେଖି ହେବ ନାହିଁ । ନିରୀହ ପ୍ରଜାଙ୍କର ଆଉ କିଛି ବାକି ରହିଲା ନାହିଁ । ଧନ, ମାନ, ମର୍ଯ୍ୟାଦା, ମହତ୍ତ୍ୱ, ସ୍ୱାସ୍ଥ୍ୟ, ସତୀତ୍ୱ ସବୁ ହରାଇ ଆବାଳବୃଦ୍ଧବନିତା ବିକଳରେ କାନ୍ଦି କାନ୍ଦି ଆସି ସରାଳ କଚେରି ଆଗେର ଉଦୁଉଦିଆ ଖରାରେ ପଡ଼ି ଡାକିଲେ–“ହଜରୁ ! ଗରିବଗୁଡ଼ାଙ୍କର ଦୁଃଖ ଶୁଣାଯାଉ । ହଜୁର ମା ବାପ, କି ଅପରାଧରେ ଏଡ଼େ କୋପ ? ରକ୍ଷକ ହୋଇ ଭକ୍ଷକ ହେଲେ ତୁଣ୍ତ ମୁଣ୍ତ ନାହିଁ ଯାର ସେଗୁଡ଼ାକ ହେବେ କାହାର ?” କିନ୍ତୁ ଜମିଦାର ବାବୁଙ୍କ ଦର୍ଶନ ପାଇଲେ ନାହିଁ । ବରଂ ବରକନ୍ଦାଜ ଦି’ଟା ଆସି ଖୋଲଟି ବୋଲିରେ ଯାହା ଇଚ୍ଛା ତାହା ଗାଳି ଦେଇ ବେତ ମାଡ଼ ବସେଇ ହତା ଭିତରୁ ବିଦା କରିଦେଲେ ।

 

ମର୍ମ୍ମେ ମର୍ମ୍ମେ ଜଳି ପୋଡ଼ି କବାଟ କିଳି ମହାତ୍ମାଙ୍କ ଫଟୋ ତିନ୍ତାଇ ସାରା ରାତି ଜାଗି କାନ୍ଦିଲେ ରାହାସ, ଜମୀଦାରଙ୍କ ଇନ୍‍ସପେକ୍ଟର । କିନ୍ତୁ ଶୂନ୍ୟ ଘରେ ଶୂନ୍ୟ ବାୟୁମଣ୍ତଳର ଅନ୍ଧକାର ମଧ୍ୟରେ ତାଙ୍କ ଅଶ୍ରୁକଣା ବାଷ୍ପ ହୋଇ ମିଶିଯିବା ସାର ହେଲା ମାତ୍ର !

 

ବିଶ୍ୱନାଥ ବାବୁ ବୟସରେ ଯୁବକ । ଧନ ସମ୍ପଦ ତାଙ୍କର ଅତୁଳ । ପ୍ରଭୁତ୍ୱ ବିଷୟରେ ସେ ଅଞ୍ଚଳରେ ନିର୍ଦ୍ୱନ୍ଦୀ । ଏ ତିନୋଟି କଥା ସେ ପ୍ରତି ମୁହୂର୍ତ୍ତ ଜୀବନ ଯାତ୍ରା ମଧ୍ୟରେ ଆପେ ଅନୁଭବ କରନ୍ତି ଏବଂ ଅନ୍ୟ ସମସ୍ତଙ୍କୁ ହୃଦୟଙ୍ଗମ କରାଇ ଦିଅନ୍ତି । ନୀତି ପ୍ରବଚନ ଅନୁସାରେ ମନୁଷ୍ୟ ପଶୁତ୍ୱ ପ୍ରାପ୍ତ ହେବାଲାଗି ଯେଉଁ ଚାରୋଟି ଜିନିଷ ଲୋଡ଼େ ତହିଁ ଭିତରୁ ଆଉ ବାକି ରହିଲା ଗୋଟିଏ–ଅବିବେକିତା । ସେ ନିଜେ ଅବଶ୍ୟ ସେ ଗୁଣଟା ତାଙ୍କର ସ୍ୱୀକାର କରିପାରିବେ ନାହିଁ । ହେଲେହେଁ ଅନ୍ୟର ଦୃଷ୍ଟିରେ ତାହା ସ୍ପଷ୍ଟ ଦେଖାଯାଏ ।

 

ଯାହାହେଉ ବାବୁ ଯାହା କହନ୍ତି, ପାରିଷଦମାନେ ବିନା ଆପତ୍ତିରେ ତାହା ମାନି ନିଅନ୍ତି-। କିନ୍ତୁ ଏକା ମାନି ପାରେ ନାହିଁ ରାହାସଙ୍କ ମନ । କିନ୍ତୁ ତୁଣ୍ଡ ଫିଟାଇ ପ୍ରକାଶ କରିବାର ଉପାୟ ନାହିଁ । ସେ ଯେ ପରାଧୀନ ! ଶୁଣିବ ବା କିଏ ।

 

ଏଣିକି ବାବୁଙ୍କ ମୁଣ୍ତରେ ଗୋଟାଏ ଖିଆଲ ପଶିଲା–ନଈରେ ବନଶି ପକାଇ ମାଛ ଧରିବା, ଛକୁଆ କେଳାକୁ ସାଙ୍ଗରେ ନେଇ ବଣ ବୁଦାରେ ଚଢ଼େଇ ଧରିବା ଓ ବଇଆ ବାଉରି ଟୋକା ଏବଂ କୁକୁର ଗୋଟାକୁ ଘେନି ଠେକୁଆ ନେଉଳ ଧରିବା । ସୁତରାଂ ଛକୁଆ କେଳା ଓ ବଇଆ ବାଉରି ବାବୁଙ୍କର ଭାରି ସାଙ୍ଗ । ତାଙ୍କ ହାତକୁ ବାବୁ ଖଡ଼ ଗଢ଼ାଇ ଦେଲେ; କାନକୁ ଯୋଡ଼ି ବାଉଳି, ଅଣ୍ଟାକୁ ପଚାଶ ଭରିଆ ଗୋଠ । ଟୋକା ଦି’ଟା କଳା ମଚ ମଚ । ଦିହରୁ ସତେକି ତେଲ ନିଗିଡ଼ି ପଡ଼ୁଚି । ପୁଣି ତାଙ୍କ ସାଙ୍ଗକୁ ଅଣ୍ଟାଏ ଉଞ୍ଚର ଗୋଟାଏ କୁକୁର । ଦେଖିଲେ ଲୋକେ ଭେଟଣା ହୋଇଯିବେ । ଦିନ ପହରେ ଥାଉଁ ବାବୁ ସାଙ୍ଗ ପାଙ୍ଗଙ୍କୁ ଘେନି ହାତରେ ଗୋଟାଏ ବନଶିଖଡ଼ା ଧରି ବାହାରି ପଡ଼ନ୍ତି । ଫେରୁ ଫେରୁ ରାତି ଅଧ । କେଉଁଠାରେ କି ଶିକାର ଧରନ୍ତି ସେଇ ଜାଣନ୍ତି–ଆଉ ଜାଣନ୍ତି ତାଙ୍କ ଅନୁଚର ଯାକ । ମୋଟ ଉପରେ ବାବୁ ଜଣେ ବଡ଼ ଶିକାରୀ ।

 

X X X

 

ସେଦିନ ବିଶ୍ୱନାଥ ବାବୁ ଅନୁଚରମାନଙ୍କୁ ଶିକାରକୁ ପଠାଇଦେଲେ । ଆପେ ଗଲେ ନାହିଁ । ଦେଖୁ ଦେଖୁ ସଞ୍ଜ ବୁଡ଼ିଲା–ଅନ୍ଧକାର ଆସିଲା । କଚେରି ଘରଠାରୁ ଦୂରକୁ ଖଣ୍ଡିଏ ନିରୋଳା ଫୁଲ ବଗିଚା ଭିତରେ ବାବୁଙ୍କର ବୈଠକଖାନା । ବାବୁ ଆଜି ସେଠାରେ ଏକା ଏକା କାହିଁକି କେଜାଣି ଛଟପଟ ହେଲା ଭଳି ବାହାରକୁ ବାରମ୍ବାର ଆସୁଛନ୍ତି ଓ ଘର ଭିତରକୁ ଯାଉଛନ୍ତି-। କଚେରି ଘରେ ମଧ୍ୟ ସେ ଦିନ କେହି ଅମଲା ନଥାନ୍ତି । ସମସ୍ତେ ଗସ୍ତରେ ଯାଇଥାନ୍ତି । ରାତି ଘଡ଼ିଏ ହେଲା, ପହଡ଼େ ହେଲା । ବଇଆ ଛକୁଆ ମନ ଆନନ୍ଦରେ ଗୋଟା ନୂଆ ଶିକାର ଘେନି ବୈଠକଖାନା ପିଣ୍ତା ଉପରକୁ ଉଠିଲେ । ଅଳ୍ପ ଆଲୁଅ ପଡ଼ିଥାଏ । ବିଶ୍ୱନାଥ ବାବୁ ଘର ଭିତରୁ ଦୌଡ଼ି ଆସିଲେ । ଆନନ୍ଦରେ ଅଧୀର ହୋଇ ଅନୁଚର ଦୁହିଁଙ୍କୁ କହିଲେ “ସାବାସରେ ଛକୁଆ ବଇଆ, ନୋହିଲେ କିରେ !”

 

ସେ ଦିନର ଶିକାର ଗୋଟିଏ ବାର ତେର ବର୍ଷର ଅବିବାହିତା ବାଳିକା । ସୁନ୍ଦର ସୁଢଳ ରୂପ, ସୁଗଠିତ ସମବିଭକ୍ତ ଅବୟବ । ଯୌବନଶ୍ରୀ ଫୁଟି ଆସୁଛି । ଦେଖିଲେ ମନେ ହୁଏ ଯୁବତୀ; କିନ୍ତୁ ଯୁବତୀ ନୁହେଁ । ବଳପୂର୍ବକ ଅଣା ହୋଇଛି । ବାଳିକାଟି ସଚେତ ଥିଲେ ସୁଦ୍ଧା କଥା କହିବାର ଶକ୍ତି ହରାଇଛି–ଭୟରେ ଓ ଲଜ୍ଜାରେ ।

 

ବିଶ୍ୱନାଥ ବାବୁ ବାଳିକାର ହାତଟିଏ ଧରି ଘର ଭିତରକୁ ନେବା ଲାଗି ଭିଡ଼ିଲେ । ଛକୁଆ ବଇଆ ଅଦୃଶ୍ୟ ହୋଇଗଲେ ।

 

ଏଗାର

 

ବିଶ୍ୱନାଥ ବାବୁ ନିରୋଳା ବୈଠକଖାନା ବରଣ୍ତା ଉପରେ ଛିଡ଼ା ହୋଇ ସୁନ୍ଦରୀ ବାଳିକାଟିର ହାତ ଧରି ଘରଭିତରକୁ ଭିଡ଼ିଲେ । ବାଳିକାଟି ଆପଣାର ଅବସ୍ଥା ଓ ବାବୁଙ୍କର ଅଭିସନ୍ଧି ଭଲ ଭାବରେ ନ ବୁଝିଲେ ସୁଦ୍ଧା ମନେ ମନେ ଆତଙ୍କିତ ହୋଇ ଆତ୍ମରକ୍ଷା କରିବା ଲାଗି ଯଥାଶକ୍ତି ବାହାର ଆଡ଼କୁ ଭିଡ଼ି ଓଟାରି ହେଲା । ବିଶ୍ୱନାଥ ବାବୁ ପ୍ରେତହାସ୍ୟ ହସି କହିଲେ “ହାଃ ହାଃ ! ବୃଥା ଚେଷ୍ଟା ସୁନ୍ଧରୀ ! ଅନେକ ଦିନର ଲକ୍ଷ୍ୟ ଆଜି ମୋର ସଫଳ ହୋଇଛି । ସିଂହର ଗୁହା ଭିତରେ ଆଜି ହରିଣୀ, ଛଞ୍ଚାଣର ଥଣ୍ଟ ଭିତରେ ହଳଦି ବସନ୍ତ, କୁମ୍ଭୀରର ମୁହଁ ଭିତରେ ତା’ର ଶିକାର । ବୃଥା ଚେଷ୍ଟା କରି ଲାଭ କ’ଣ ?”

 

ବାଳିକାଟି କିଛି ବୁଝିଲା ନାହିଁ । ଆତଙ୍କରେ ଚିତ୍କାର କରିବାକୁ ଚେଷ୍ଟା କଲା; କିନ୍ତୁ ବିଶ୍ୱନାଥ ବାବୁ ରୁମାଲ ଦେଇ ମୁହଁ ତା’ର ବନ୍ଦ କରିଦେଲେ । ଝାଳରେ ପିଲାଟିର ସାରା ଅଙ୍ଗ ବୁଡ଼ିଗଲା । ଲୁହ ଧାର ଆଖିରୁ ଝରି ପଡ଼ିଲା । ସହାୟ-ହୀନା ଦୁର୍ବଳ ବାଳିକାଟି, କୋମଳ ତା’ର ଅଙ୍ଗ-ଅବୟବ; ସଂସାରର କପଟତା ତାକୁ ସ୍ପର୍ଶ କରିନାହିଁ । ସେ ଗୋଟିଏ ସୁକୁମାର ଶିରୀଷ ଫୁଲ, ଯାହା ଟିକିଏ ଉତ୍ତାପରେ ଝାଉଁଳି ପଡ଼େ । ବିଶ୍ୱନାଥ ବାବୁଙ୍କ ଭଳି ନର-ରାକ୍ଷସର ନିର୍ମମ ବ୍ୟବହାରରେ ସେ ଏକାବେଳକେ ଦରମରା ହୋଇଗଲା ।

 

ଏକା ସେହି ବାଳିକାଟି ନୁହେଁ । ନିତି ନିତି ଏହିଭଳି ନୃଶଂସ ଲୀଳା କେତେ ଯେ ଘଟି ଯାଉଛି ତାହାର ହିସାବ ମିଲିବ ନାହିଁ । କାରଣ ବଡ଼ ଲୋକଙ୍କୁ ଉତ୍ତର ନାହିଁ, ସ୍ୱର୍ଗକୁ ନିଶୁଣି ନାହିଁ ।

 

ଠିକ୍ ଏତିକି ବେଳେ କଚେରିର ଧାନ ଅମାର ଭିତରେ ଗୋଟିଏ ଲୋକ ଆବଦ୍ଧ ହୋଇ ପଡ଼ିଛି । ହାତ ଗୋଡ଼ ଓ ମୁହଁ ବନ୍ଧା ହୋଇଛି । ଦୁଆର ବାହାରୁ ଶିକୁଳି ଲଗା । କେବଳ ଜୀବନ ଅଛି–କାରଣ ନିଶ୍ୱାସ ଚାଲୁଛି । ଲୋକଟି ନିକଟବର୍ତ୍ତୀ ଗୋଟିଏ ଗ୍ରାମରେ ଶିକ୍ଷକ; ସେହି ଗ୍ରାମରେ ଘର । ଆଜି ଖରାବେଳେ କଚେରିକୁ ଖଜଣା ଦାଖଲ କରିବା ନିମନ୍ତେ ସେ ଆସିଥିଲା । ଜଣେ ଲୋକ ତାଙ୍କୁ ଭିତରକୁ ଡାକିଲା । ତା’ପର ବାହାର କବାଟ କିଳି ଦୁଇଜଣ ତାଙ୍କୁ ଧରି ମୁହଁ ହାତ ଗୋଡ଼ ବାନ୍ଧି ଅମାର ଭିତରେ ବନ୍ଦ କରି ଦେଲେ । କାରଣ କଅଣ, ଉଦ୍ଦେଶ୍ୟ କଅଣ, ଆଦେଶ ବା କାହାର, କିଛି ସେ ବୁଝି ପାରିଲେ ନାହିଁ ।

 

ଦରିଦ୍ର ହେଲେହେଁ ଲୋକଟି ଭଦ୍ର । ଉଚ୍ଚ ଶିକ୍ଷିତ ନ ହେଲେ ସୁଦ୍ଧା ଆଧୁନିକ ରୁଚି-ସମ୍ପନ୍ନ । ନିଜର ଅଧ୍ୟବସାୟ ବଳରେ ସଂସ୍କୃତ ସାହିତ୍ୟରେ ସେ ବେଶ୍ ପାଣ୍ତିତ୍ୟ ଅର୍ଜନ କରି ପାରିଛନ୍ତି । ସଂସାର ମଧ୍ୟରେ ସେ ଏକା ଓ ଗୋଟିଏ ମାତ୍ର କନ୍ୟା; କନ୍ୟାଟିର ନାମ ଜାହ୍ନବୀ । ଅନେକ ଦିନରୁ ପତ୍ନୀ ବିୟୋଗ ଘଟିଛି । ସଂସାରରେ ଏକମାତ୍ର ଅବଲମ୍ବନ ଜାହ୍ନବୀ । ଆଜି ଝିଅଟିର ବୟସ ବାର କି ତେର ହେବ । ମହାତ୍ମା ଗାନ୍ଧିଙ୍କର ମହିମାମୟୀ ବାଣୀ ଶୁଣିବା ଦିନ ସେ ନିଜକୁ ଓ ନିଜର କନ୍ୟାଟିକୁ ଗୋଟିଏ ନୂତନ ଆଦର୍ଶରେ ଗଢ଼ୁଛନ୍ତି । ନିଜ ହାତରେ ସେ ନିତି ସୂତା କାଟନ୍ତି । କନ୍ୟାଟିକୁ ସୂତା କାଟିବା ନିମନ୍ତେ ଶିକ୍ଷା ଦିଅନ୍ତି । ବ୍ରାହ୍ମଣ ଘର ହେଲେ ସୁଦ୍ଧା, ସହସ୍ର ଲୋକ ସହସ୍ର ପ୍ରକାର ନିନ୍ଦା କଲେ ସୁଦ୍ଧା କନ୍ୟାଟିକୁ ସ୍ୱେଚ୍ଛା କ୍ରମେ ସେ ବିବାହ ନ ଦେଇ ଓଡିଆ ଓ ସଂସ୍କୃତ ପଢ଼ାଉଛନ୍ତି । ସେ କହନ୍ତି–“ଜାହ୍ନବୀଟି ମୋର ଝିଅ ନୁହେଁ, ପୁଅ । ଋଷିର କନ୍ୟା, ଆଶ୍ରମରେ ବଢ଼ୁଛି, ବଢ଼ୁ । ସାରଦା ଆଇନ ପାସ୍ ହୋଇଛି ଆମର ମଙ୍ଗଳ ଲାଗି ।

 

ବାସ୍ତବିକ ଶିକ୍ଷକ ମହାଶୟଙ୍କର ଦରିଦ୍ର କୁଟୀର ଖଣ୍ତିକ ଗୋଟିଏ ଋଷିର ଆଶ୍ରମ । ତାଙ୍କର ନାମ ଚନ୍ଦ୍ରଶେଖର ନନ୍ଦ । ନନ୍ଦ ମହାଶୟ ଭ୍ରମରେ ସୁଦ୍ଧା କାହାରି ଅମଙ୍ଗଳ ଚିନ୍ତା କରନ୍ତି ନାହିଁ । ଅତି ନିର୍ମାୟା ପୁରୁଷ । ସଂସାରରେ କଟୂ କପଟତାର ଧାର ଧାରନ୍ତି ନାହିଁ ।

 

ଜମିଦାରଙ୍କ କଚେରିରେ କାହିଁକି ଯେ ତାଙ୍କ ଭଳି ନିରୀହ ଲୋକଟିକୁ ଏଭଳି ନୃଶଂସ ଭାବରେ ଆବଦ୍ଧ କରାଗଲା–ତା’ର ଯଥାର୍ଥ କାରଣ ସେ କିଛି ମାତ୍ର ବୁଝିପାରିଲେ ନାହିଁ । କେବଳ ଅନ୍ଧକାର କାରାଗାର ମଧ୍ୟରେ ବିଧାତାକୁ ଉଦ୍ଦେଶ୍ୟ କରି ଜଣାଇଲେ–“ମଙ୍ଗଳମୟ ବିଶ୍ୱପିତା ! ଅଜ୍ଞାନ୍ତସାରରେ ସନ୍ତାନ ତୁମର କି ଅପରାଧ କଲା ଜାଣିପାରୁ ନାହିଁ । ନିଜ ଗୁଣରେ କ୍ଷମ ଦିଅ ।”

 

ଅତି ସରଳ ଲୋକ ସେ । ଭ୍ରମରେ ସୁଦ୍ଧା କଳ୍ପନା କରି ପାରିଲେ ନାହିଁ ଯେ ତାଙ୍କୁ ଏଭଲି ଭାବରେ ଆବଦ୍ଧ ରଖି ଦୁର୍ବୃତ୍ତ ବିଶ୍ୱନାଥ ନିରୀହ ଜାହ୍ନବୀଟିକୁ ଧରି ଆଣିଛି–ନିଜର ପଶୁ ପ୍ରବୃତ୍ତିର ଚରିତାର୍ଥ ଲାଗି ।

 

ବାର

 

ଜାହ୍ନବୀର ହାତ ଧରି ବିଶ୍ୱନାଥ ଘର ଭିତରକୁ ଭିଡ଼ିଲେ । ଜାହ୍ନବୀ ଆତ୍ମରକ୍ଷାର ଉପାୟ ନ ଦେଖି ପ୍ରାଣର ଆତଙ୍କରେ ଚିତ୍କାର କରି ଉଠିଲା–“ବାପା ହୋ ! ରକ୍ଷା କର ।”

 

ପାପୀ ସବୁବେଳେ ସାବଧାନ ହୋଇପାରେ ନାହିଁ । ଜାହ୍ନବୀର ମୁହଁ ବନ୍ଦ କରିବା ଆଗରୁ ଚିତ୍କାର ଧ୍ୱନି ଗଗନ ଭେଦ କରି ଖେଳିଗଲା । ବିଶ୍ୱନାଥ ବାଳିକାଟିକୁ ଘର ଭିତରକୁ ନେବା ଲାଗି ସଜୋରେ ଆକର୍ଷଣ କଲା । କିନ୍ତୁ ମୁହୂର୍ତ୍ତକ ମଧ୍ୟରେ ପାଖରେ ଥିବା ଗୋଟିଏ ଫୁଲ ବୁଦା ପଛଆଡ଼ୁ କିଏ ଜଣେ ଚିତ୍କାର କରି ଉଠିଲା “ଭୟ ନାହିଁ ମା ! ମୁଁ ଆସିଛି ।” ସଙ୍ଗେ ସଙ୍ଗେ କିଏ ଜଣେ ଦୀର୍ଘକାୟ ବଳିଷ୍ଠ ପୁରୁଷ ବିଜୁଳି ଭଳି ବରଣ୍ଡା ଉପରକୁ ଦୌଡ଼ି ଆସିଲା–ଡାହାଣ ହାତରେ ଗୋଟାଏ ଠେଙ୍ଗା । ବାଁ ହାତରେ ଜାହ୍ନବୀର ଗୋଟିଏ ହାତ ଧରି, ବିଶ୍ୱନାଥ ହାତରୁ ତାକୁ ଛଡ଼ାଇ ନେଲା । ଭୟରେ ଦୁର୍ବୃତ୍ତର ହାତ ଖସିଗଲା । ବିପଥଗାମୀ ପାତକୀଗୁଡ଼ାଙ୍କର ନୈତିକ ଦୁର୍ବଳତା ଖୁବ୍ ବେଶି । ଭୟ ଓ ଆତଙ୍କରେ ବିଶ୍ୱନାଥର କଲିଜା କମ୍ପି ଉଠିଲା । ବଜ୍ରଗମ୍ଭୀର କଣ୍ଠରେ ଲୋକଟି କହିଲା–“ବର୍ବର ବିଶ୍ୱନାଥ ! ତୁ ମନୁଷ୍ୟ ନୋହୁଁ–ରାକ୍ଷସ । ନିରାଶ୍ରୟା ବାଳିକା ଉପରେ ଏ କି ଅତ୍ୟାଚାର ? ପାଷଣ୍ତ ! ପିତା ତୋର ଅନ୍ନ ଦାତା ମୋର । ନୋହିଲେ ଏହି ମୁହୂର୍ତ୍ତରେ ଏ ଦଣ୍ତ ପ୍ରହାରରେ ତୋର ଅଭଦ୍ରତାର ଯଥାର୍ଥ ଦଣ୍ତ ବିଧାନ କରିଥାଆନ୍ତି ।”

 

ବିଶ୍ୱନାଥ ଘର ଭିତରକୁ ପଳାଇ ଗଲା । ଦେଖିଲା, ରାହାସବିହାରୀ–ତା’ରି କର୍ମଚାରୀ । ଇଚ୍ଛାହେଲା ଏଇ ମୁହୂର୍ତ୍ତରେ ରାହାସର ଗଣ୍ତିମୁଣ୍ତ ଖଣ୍ତ ଖଣ୍ତକରି ପୋତି ପକାଇବାକୁ ଆଦେଶ ଦେବ, କିନ୍ତୁ ସାହସ ହେଲା ନାହିଁ ।

 

ରାହାସବିହାରୀ ସାତ ଦିନ ହେଲା ଗସ୍ତରେ ଯାଇଥିଲେ । ସେଦିନ ସଞ୍ଜବେଳେ ଫେରି ବିଶ୍ୱନାଥ ବାବୁଙ୍କ ସଙ୍ଗରେ ସାକ୍ଷାତ କରିବା ନିମନ୍ତେ ଆସୁଥିଲେ । ଅନ୍ତରାଳରୁ ଯାହା ସେ ଦେଖିଲେ, ତହିଁରେ ସ୍ତମ୍ଭୀଭୂତ ହୋଇ ଗୋଟିଏ ଗଛ ଉଢ଼ୁଆଳରେ ଦଣ୍ତେ ଛିଡ଼ା ହେଲେ । ଅନ୍ଧକାର ମଧ୍ୟରେ ଆସୁଥିବାରୁ ହାତରେ ତାଙ୍କର ଖଣ୍ତିଏ ବାଉଁଶ ବାଡ଼ି ଥିଲା । ସମସ୍ତ ଘଟଣା ସ୍ୱଚକ୍ଷୁରେ ଦେଖି ସେ ଛକୁଆ ବଇଆ ଲୋକ ଦୁଇଟା ଦୂର ହୋଇଯିବା ପର୍ଯ୍ୟନ୍ତ ଅପେକ୍ଷା କଲେ । ଶେଷକୁ ସଂକଳ୍ପ କଲେ, “ଆଜି ଚାକିରିର ମାୟା ଛାଡ଼ି ମନୁଷ୍ୟର କର୍ତ୍ତବ୍ୟ କରିବି ।”

 

ଜାହ୍ନବୀ ବଡ଼ ବ୍ୟାକୁଳ ଭାବରେ ରାହାସ କୋଳକୁ ଆଉଜି ପଡ଼ି ପଚାରିଲା “କିଏ ତୁମେ-? ବାପା ? ପ୍ରବୋଧ ଦେବାକୁ ଯାଇ ଅନିଚ୍ଛା ସତ୍ତ୍ୱେ ରାହାସଙ୍କ ତୁଣ୍ତରୁ ବାହାରି ପଡ଼ିଲା “ହଁ ମା, ଭୟ ନାହିଁ ।”

 

ରାହାସ ବିଶ୍ୱନାଥକୁ ଶାସନ କରି, ଚାକିରିର ମାୟା ଛିଡ଼ାଇ ଜାହ୍ନବୀର ହାତ ଧରି ତଳକୁ ଓହ୍ଲାଇଲା କ୍ଷଣି ଦେଖିଲା କିଏ ଗୋଟିଏ କଚେରି ଆଡ଼ୁ ବାତୁଳ ପରି ଧାଇଁଛି । ଅତି ବିକଳରେ କହୁଛି–“ମାଆ ମୋର ଜାହ୍ନବୀ କି ରେ ?”

 

ରାହାସ ଛିଡ଼ା ହେଲେ । ଜାହ୍ନବୀ ଚିହ୍ନିଲା ବାପା ତା’ର–ଚନ୍ଦ୍ରଶେଖର । ଜାହ୍ନବୀ କାନ୍ଦି ଉଠିଲା ।

 

ଚନ୍ଦ୍ରଶେଖର ଅମାର ଭିତରେ ଆବଦ୍ଧ ଥିଲେ । ଜାହ୍ନବୀର ଚିତ୍କାର ତାଙ୍କ କାନରେ ବାଜି ହୃଦୟ ଆଲୋଡ଼ିତ କରିଦେଲା । ପ୍ରାଣର ଆତଙ୍କରେ ସେ ହୁଁଙ୍କାର ଦେଇ ଉଠିଲେ । ଠିକ୍ ଏଇ ସମୟରେ ମନୁଷ୍ୟ ଶତ ସିଂହର ବଳ ପାଇଥାଏ । ହାତ ଗୋଡ଼ର ଡୋରି ଟିକି ଟିକି ହୋଇ ଛିଡ଼ିଗଲା । ମୁହଁରୁ ବନ୍ଧନ ଫିଟାଇ ବଜ୍ର ହୁଙ୍କାରରେ ସେ ଅମାର କବାଟରେ ପଦାଘାତ କଲେ । କବାଟ ଭାଙ୍ଗିଗଲା । ଦ୍ୱାର ମେଲା ହୋଇଗାଲ । ଚନ୍ଦ୍ରଶେଖର ତଳକୁ ଡେଇଁ ପଡ଼ି ସିଡ଼ିରେ ଚଢ଼ି ପାଚିରି ଉପରକୁ ଉଠିଲେ । ପାଚିରି ଡେଇଁ ତଳକୁ କୁଦି ରକ୍ତାକ୍ତ ହୋଇ ଉଲଗ୍ନ ଅବସ୍ଥାରେ ଧାଇଁ ଆସିଲେ ଜୀବନର ଏକମାତ୍ର ସଙ୍ଖାଳି ଜାହ୍ନବୀର ରକ୍ଷା କରିବା ଲାଗି । ବୈଠକଖାନା ହତା ବାହାରେ ରାହାସକୁ ଭେଟି ସେ ମନେକଲେ, ବୋଧହୁଏ ସେହି ଲୋକଟା ଆତତାୟୀ । ଜ୍ଞାନ-ଶୂନ୍ୟ ହୋଇ ଭୀଷଣ ବେଗରେ ସେ ରାହାସଙ୍କ ଉପରକୁ କୁଦିପଡ଼ିଲେ ।

 

ଶେଷକୁ ବାପାଙ୍କ ଭ୍ରାନ୍ତି ଦୂର କଲା ଜାହ୍ନବୀ । କାଳ ବିଳମ୍ବ ନ କରି ତିନିଜଣ ଯାକ ଚନ୍ଦ୍ରଶେଖରଙ୍କ ଘରକୁ ପଳାଇଲେ । ଚନ୍ଦ୍ରଶେଖର ଆପଣାର କୃତଜ୍ଞତା ଜଣାଇବାକୁ ଯାଇ ରାହାସଙ୍କ ହାତ ଧରି କହି ପକାଇ କାନ୍ଦିଲେ–“ମହାଶୟ, ଆପଣ ମୋର କନ୍ୟାର ଉଦ୍ଧାରକାରୀ, ମୋର ପରମବନ୍ଧୁ । ମୁଁ ଦରିଦ୍ର ଭିକାରୀ । ଆପଣଙ୍କ ଋଣ ପରିଶୋଧ କରିବାର ସାମର୍ଥ୍ୟ ମୋର ନାହିଁ ।” ରାହାସ କହିଲେ “ଆପଣ ମୋତେ ଏତେ ଦୂର କାହିଁକି କହୁଛନ୍ତି । ମୁଁ ନିମିତ୍ତ ମାତ୍ର; ଉଦ୍ଧାରକର୍ତ୍ତା ଜଣେ, ସେ ଭଗବାନ।” ରାହାସ ଯିବାକୁ ବାହାରିଲେ ।

 

ମାତ୍ର ଜାହ୍ନବୀ ଆସି ତାଙ୍କ ପାଦତଳେ ପଡ଼ି ବଲାଇଲା, “ଆପଣ ମୋର ରକ୍ଷାକର୍ତ୍ତା, ମୋର ପିତା । ଆଜି କୁଆଡ଼େ ଯାଇ ପାରିବେ ନାହିଁ ।”

 

ରାହାସ ଅଟକି ରହିଲେ । କଥାବାର୍ତ୍ତାରେ ଅନେକ ବେଳ କଟିଲା ।

 

ଖାଇବସି ଉଭୟେ ଉଭୟଙ୍କ ନିକଟରେ ପରିଚିତ ହୋଇ ଗଲେ । ଶେଷକୁ ଚନ୍ଦ୍ରଶେଖର କହିଲେ, “ମହାଶୟ, କନ୍ୟାଟି ମୋର ନୁହେଁ, ଆପଣଙ୍କର ।”

 

ରାହାସ ମୃଦୁ ହସି କହିଲେ, “ଚନ୍ଦ୍ରଶେଖର ବାବୁ ! ବାସ୍ତବିକ୍ କନ୍ୟାଟି ମୋର । ବିଧାତା ଘଟସୂତ୍ର କେହି ଅନ୍ୟଥା କରି ପାରିବେ ନାହିଁ । କୁଞ୍ଜବିହାରୀ ମୋର ସାନ ଭାଇ । ଏ ବର୍ଷ ବି.ଏ. ପାସ୍ କରିଛି । ସାନ ଭାଇ ନୁହେଁ, ସେ ମୋର ପୁଅ । ତା ଲାଗି ଉପଯୁକ୍ତ ପାତ୍ରୀଟିଏ ଖୋଜି ଖୋଜି ମୁଁ ବିବ୍ରତ ହୋଇ ପଡ଼ିଥିଲି । କିନ୍ତୁ ଆଜି ଦେଖୁଛି, ବିଧାତାର ବିଧାନ ବିଚିତ୍ର । କାହାଲାଗି କାହାକୁ ଗଢ଼ି କେଉଁଠାରେ ରଖିଥାଏ ପୁଣି କେଉଁ ମୁହୂର୍ତ୍ତରେ କି ଭଳି ଭାବରେ ଆଣି ମିଳାଇଦିଏ, ତାହା ଏକା ତାକୁଇ ଜଣା ।”

 

ଚନ୍ଦ୍ରଶେଖରଙ୍କ ଦୁଇ ଆଖିରୁ ଦୁଇ ବିନ୍ଦୁ ଅଶ୍ରୁ ଝରିପଡ଼ିଲା । ସେ କହିଲେ, “ରାହାସ ବାବୁ ! ଅନ୍ନ ଥାଳିରେ ବସି ମୁଁ ସତ୍ୟକଲି; ମୋର କନ୍ୟାଟିକୁ ମୁଁ ଆପଣଙ୍କ କୁଞ୍ଜବିହାରୀଙ୍କ ହସ୍ତରେ ସମର୍ପଣ କଲି । ସମ୍ପ୍ରଦାନ ସରିଗଲା । ବାକି ରହିଲା ଲୋକାଚାର ଓ କୁଳାଚାର । ଆଜି ଆପଣଙ୍କ ତୁଲ୍ୟ ମହାତ୍ମାଙ୍କୁ ବନ୍ଧୁ ରୂପରେ ପାଇ ମୁଁ ନିଜକୁ କୃତାର୍ଥ ମନେ କରୁଛି ।”

 

ଭାତ ଗୁଣ୍ଡା ତୁଣ୍ଡ ପାଖକୁ ଉଠାଇ ଥିଲେ ରାହାସ । ହାତରେ ରହିଗଲା । କହିଲେ “ମଙ୍ଗଳମୟ ! ବିଚିତ୍ର ତୋର ଲୀଳା ।”

 

ଚନ୍ଦ୍ରଶେଖର କନ୍ୟାକୁ ଉଦ୍ଦେଶ୍ୟ କରି ଡାକିଲେ, “ମା’ ନବୀ !”

 

ଚନ୍ଦ୍ରଶେଖର ସ୍ନେହରେ ଜାହ୍ନବୀକୁ ‘ନବୀ’ ବୋଲି ଡାକନ୍ତି । ଜାହ୍ନବୀ ଆସି ଛିଡ଼ା ହେଲା–ସରଳ ଓ ସହଜ ଭାବରେ । ପିତା ଆଦେଶ କଲେ–“ମହାଶୟଙ୍କୁ ପ୍ରଣାମ କର ମା ! ତୁ ତାଙ୍କର ଭ୍ରାତୃବଧୂ । ସେ ତୋର ଏଇ ମୁହୂର୍ତ୍ତରୁ ଶ୍ୱଶୁର ।”

 

ଜାହ୍ନବୀ ସାଷ୍ଟାଙ୍ଗ ପ୍ରଣାମ କରି ଉଠି ଛିଡ଼ାହେଲା । ଓଢ଼ଣାଟି କିଞ୍ଚିତ ଟାଣି ଦେଇ ସେ ପାଦତଳକୁ ଆଖି ନୁଆଁଇଲା ।

 

ରାହାସ ଆଶୀର୍ବାଦ କଲେ–ମଙ୍ଗଳମୟ ମଙ୍ଗଳ କରନ୍ତୁ ମା, ଦୀର୍ଘଜୀବୀ ହୁଅ ।

 

ଏହିଭଳି ଭାତ ଥାଳି ଉପରେ ବସି କୁଞ୍ଜବିହାରୀ ଓ ଜାହ୍ନବୀର ବିବାହ ଲାଗି ନିର୍ବନ୍ଧ ସରିଗଲା । ବିବାହ କାର୍ଯ୍ୟ ବଢ଼ିଗଲା ବୋଲି କହିଲେ ମଧ୍ୟ ଚଳେ ।

 

ରାହାସ ନିଜ ହାତରେ ନବୀଟିକୁ ଦୁର୍ବୃତ୍ତ କବଳରୁ ରକ୍ଷା କରିଛନ୍ତି । ନିଜ ଆଖିରେ ସମସ୍ତ ଘଟଣା ଦେଖିଛନ୍ତି । ନବୀ ମଧ୍ୟ ଅପ୍ରାପ୍ତବୟସ୍କା ବାଳିକା । ସୁତରାଂ ତାହାର ଚରିତ୍ର ଏବଂ ସତୀତ୍ୱ ବିଷୟରେ ତାଙ୍କର ସନ୍ଦେହ ଜନ୍ମିବାର କୌଣସି କାରଣ ନ ଥିଲା ।

 

ଅନେକ ସମୟରେ ଅନେକ ଘଟଣା ଏଭଳି ଅଦ୍ଭୁତ ଭାବରେ ଘଟିଯାଏ, ଯାହାକି ମନୁଷ୍ୟ କଳ୍ପନା କରିପାରେ ନାହିଁ । ଅନେକ ସତ୍ୟ ଉପନ୍ୟାସ ପରି ଲାଗେ, ମାତ୍ର ତାହା ସତ୍ୟ ।

 

ତେର

 

ତହିଁଆର ଦିନ ସକାଳେ ଚନ୍ଦ୍ରଶେଖର କନ୍ୟାଟିକୁ ସଙ୍ଗରେ ଘେନି ଦୂରବର୍ତ୍ତୀ ଗୋଟିଏ ବନ୍ଧୁ ଘରକୁ ଚାଲିଗଲେ–କାରଣ, ନୃଶଂସ ବିଶ୍ୱନାଥର ଭୟ । ରାହାସବିହାରୀ ଗ୍ରାମକୁ ଫେରି ଯାଇ ଜମିଦାରୀ କାଗଜପତ୍ର ସଙ୍ଗେ ଇସ୍ତଫା ପତ୍ର ଖଣ୍ଡିଏ ଚଣ୍ଡେଶ୍ୱର ମିଶ୍ରଙ୍କ ନିକଟକୁ ପଠାଇଦେଲେ ।

 

କିଛିଦିନ ପରେ କୁଞ୍ଜବିହାରୀ ଓ ଜାହ୍ନବୀ ଦେବୀର ବିବାହ କାର୍ଯ୍ୟ ସମ୍ପନ୍ନ ହେଲା । ଛୁଆ ବୋହୂଟିକୁ କୋଳରେ ବସାଇ ସୁକୁମାରୀ ଆନନ୍ଦରେ ଆଖିରୁ ଲୁହ ଗଡ଼ାଇଲେ । କୁଞ୍ଜବିହାରୀକୁ ଦେଖି ଚନ୍ଦ୍ରଶେଖରଙ୍କର ଆନନ୍ଦର ସୀମା ରହିଲା ନାହିଁ । ତା’ପର କୁଞ୍ଜ ଗଲା କଟକ, ଜାହ୍ନବୀ ଗଲା ବାପ ଘରକୁ ।

 

ନିଶ୍ଚେଷ୍ଟ ହୋଇ ବସିବା ଅପେକ୍ଷା ରାହାସ ମନେକଲେ କଙ୍ଗ୍ରେସ କାମରେ ଲାଗି ପଡ଼ିବା ଭଲ ।

 

ପୁରୁଷର ଭାଗ୍ୟ ପତର ତଳେ । ପତର ଓଲଟିଲେ ହେଲା । କୁଞ୍ଜର ଭାଗ୍ୟ-ପରିବର୍ତ୍ତନ ଘଟିଲା । ବି.ଏ. ପାସ୍‍ କଲାବେଳେ କୌଣସି ଗୋଟାଏ ଭଲ ସରକାରୀ ଚାକିରି ପାଇବା ନିମନ୍ତେ ପାଟନା ବିଶ୍ୱବିଦ୍ୟାଳୟ ତରଫରୁ ସେ ସୁପାରିସ୍ ପତ୍ର ପାଇଥିଲା । ତାହାରି ବଳରେ ସେ ଡିପୋଟି ଚାକିରି ଲାଗି ଦୁଇଥର ଛିଡ଼ାହେଲା । ମାତ୍ର ଭାଇନା ରାହାସ କଙ୍ଗ୍ରେସ କାର୍ଯ୍ୟରେ ଜେଲ୍‍ ଯାଇ ଥିବାରୁ ଦୁଇଥର ଯାକ ତା’ର ବାଧା ପଡ଼ିଲା । ଶେଷକୁ ଭଗବାନଙ୍କ ଦୟାରୁ ହେଉ ବା ବିଶ୍ୱବିଦ୍ୟାଳୟର ସୁପାରିସ ବଳରୁ ହେଉ, ଅଥବା ହାକିମମାନଙ୍କ ଅନୁଗ୍ରହରୁ ହେଉ, କୁଞ୍ଜ ଖଣ୍ଡିଏ ସବ୍‍ ଡେପୁଟି ଚାକିରି ପାଇଲା । ମାସକୁ ଦେଢ଼ଶହ ଟଙ୍କା ଦରମା !

 

କୁଞ୍ଜ ବଡ଼ ଚିନ୍ତାରେ ପଡ଼ିଲା–“ଭାଇଭାଉଜ କଙ୍ଗ୍ରେସ କର୍ମୀ, ସୁତରାଂ ସରକାରୀ ଚାକିରି କରି ସେମାନଙ୍କ ସହିତ କିଛି ସମ୍ପର୍କ ରଖିବା ଠିକ୍ ନୁହେଁ । ସ୍ତ୍ରୀ ଜାହ୍ନବୀ ମଧ୍ୟ କଙ୍ଗ୍ରେସ କର୍ମୀ–କାରଣ ସେ ଖଦଡ଼ ପିନ୍ଧେ ଓ ସବୁବେଳେ ଦେଶର ଚିନ୍ତା କରେ । ବାପ ମା କ’ଣ ସେ ଜାଣେ ନା । ଭାଇନା ଓ ନୂଆବୋଉ କୋଳରେ ସେ ମଣିଷ ହୋଇଛି । ସେହିମାନେହିଁ ତା’ର ବାପ ମାଆ । ସାରା ଜୀବନ ଦୁଃଖ ସହି ସେମାନେ ତାକୁ ପଢ଼ାଇଛନ୍ତି, ନୂଆବୋଉ ସୂତାକାଟି ପେଟ ପୋଷିଛନ୍ତି । ଭାଇନା ନିଜର ଆତ୍ମମର୍ଯ୍ୟଦାକୁ ପରଦୁଆରେ ବଳି ଦେଇଛନ୍ତି–ତା’ରି ଲାଗି । କିନ୍ତୁ ଆଜି ସାମାନ୍ୟ ଦେଢ଼ଶହ ଟଙ୍କାର ଚାକିରି ଲାଗି ସେମାନଙ୍କଠାରୁ ସମସ୍ତ ସମ୍ପର୍କ ତୁଟାଇ ଦେବାକୁ ହେବ । ସଂସାରର ସ୍ନେହ ଓ ମାୟାର ବନ୍ଧନ ଲାଗି ମନୁଷ୍ୟ ଚାକିରି କରେ, ଅର୍ଥ ଉପାର୍ଜନ କରେ । କିନ୍ତୁ ସେହି ସ୍ନେହ ଭକ୍ତିର ଆଧାର ଠାରୁ ଯେବେ ନିର୍ବାସିତ ହେବାକୁ ହୁଏ ତେବେ ତା’ର ଚାକିରି କ’ଣ ହେବ ?

 

ଭାବି ଭାବି ସେ ସ୍ଥିର କଲା–ନା, ସେ ଏ ଚାକିରି ବଜାଏ ରଖି ପାରିବ ନାହିଁ । ଇସ୍ତଫା ଦାଖଲ କରି ହାକିମଙ୍କୁ ନମସ୍କାରଟିଏ ପକାଇ ବିଦାୟ ଘେନିବ ।

 

କିନ୍ତୁ ସବ୍ ଡେପୁଟି ଚାକିରି ଖଣ୍ଡକର କୁହୁକ କମ୍ ନୁହେଁ । ସବ୍ ଡେପୁଟିରୁ ଡେପୁଟି, ଡେପୁଟିରୁ କିଲଟର, କିଲଟରରୁ ଭାଗ୍ୟରେ ଥିଲେ ଆହୁରି କିଛି । ବିଲାତ ଯିବାକୁ ମଧ୍ୟ ସୁବିଧା ମିଳିପାରେ । ଏଣେ ଦେଢ଼ଶହରୁ ପାଞ୍ଚଶହ, ପାଞ୍ଚଶହରୁ ହଜାରେ, ହଜାରରୁ ଆହୁରି ବେଶି । ମାସ ଗୋଟାଏ ମାତ୍ର ତିରିଶିଟି ଦିନ, ତହିଁ ମଧ୍ୟରେ ପୁଣି ରବିବାର ଅଛି; ଛୁଟି ବି ଅଛି । କେତେ ବଡ଼ ପ୍ରଭୁତ୍ୱ, କେତେ ଅଧିକାର; ଅଙ୍ଗୁଳି ଦେଖାଇଲା ମାତ୍ରେ ହଜାର ଜଣ ସଲାମ ଦେଇ ଛିଡ଼ା ହେବେ । ହଜୁର୍ ହଜୁର୍ କହି ଓକିଲ ବାରିଷ୍ଟରଙ୍କ ଦିନ ସରିବ ନାହିଁ ।

 

କୁଞ୍ଜ ଭାବିଲା–କଟକରେ ଗୋଟାଏ ମସ୍ତବଡ଼ କୋଠା ତିଆରି କରିବ । ଆଗରେ ମୋଟର ଗ୍ୟାରେଜ୍ । ଡ୍ରଇଂ ରୁମ୍ ଭିତରୁ ଶୁଭୁଥିବ ସୁନ୍ଦରୀ ସହଧର୍ମିଣୀଙ୍କ ମଧୁର କଣ୍ଠର ବୀଣା-ଜିଣା ଝଙ୍କାର । ପରଦା ଆଡ଼େଇ ଦେଇ ସେ ଭିତରକୁ ଯାଇ ଡାକିବ–“ଶୁଣୁଚ ?”

 

ତେଣୁ ଉତ୍ତର ଆସିବ–“କଅଣ କହୁଛ ?”

 

“ମୁଁ ଆଜି ଟୁରରେ ଯିବି । ତୁମେ ଯିବ ଯେବେ ଚାଲ ।”

 

“ହଉ ଯିବା ତ ଚାଲ ।”

 

“ତେବେ ଶୀଘ୍ର ପ୍ରସ୍ତୁତ ହୁଅ”।

 

“ଆଗୁବାଗ ଡାକବଙ୍ଗ୍ଲୋରେ ତିନିଦିନ ରହିବାକୁ ହେବ ।”

 

ତା’ପର ଡ୍ରଇଂ ରୁମ୍‍କୁ ଆସି ବେଲ୍ ଟିପିବ–ଟ୍ରିଂ ଟ୍ରିଂ ।

 

ଅଡ଼ର୍ଲି ଆସି ସଲାମ୍ ଦେବ । କୁଞ୍ଜ କହିବ–“ବୋଲାଓ ଡ୍ରାଇଭର୍ କୋ !”

 

“ଯୋ ହଜୁର !”

 

ଡ୍ରାଇଭର୍ ଆସିବ । କୁଞ୍ଜ ଆଦେଶ ଦେବ–“ମୋଟର ରେଡି କର ।’’

 

“ହଜୁର !’’–କହି ଡ୍ରାଇଭର୍ ବିଦାୟ ନେବ ।

 

କୁଞ୍ଜ ଭାବିଲା । ଭାବନାର ପର ଭାବନା–ଉଜ୍ଜ୍ୱଳ ସୁନ୍ଦର ଭବିଷ୍ୟତ, କ୍ଷମତା, ପ୍ରତିପତ୍ତି, ଧନ, ମାନ, ଯଶ । କୁହୁକୁର ମାୟା ପରଶରେ ସେ ଉବୁଡୁବୁ ହୋଇ ସ୍ଥିର କଲା “ନା, ଏ ଚାକିରି ଛାଡ଼ି ପାରିବି ନାହିଁ । ଛାଡ଼ିବାର ନୁହଁ । ପୂର୍ବ ସୁକୃତ ଥିଲେ ମିଳେ । ଲକ୍ଷ୍ମୀ ନିଜେ ହାତରେ ଧରା ଦେଇଛନ୍ତି । ପାଦରେ ଠେଲି ଫିଙ୍ଗିଦେବା ବିବେକୀର କାର୍ଯ୍ୟ ନୁହଁ । ସରକାରୀ ପଦସ୍ଥ ଚାକିରି । ସେ ଭାଇଭାଉଜଙ୍କୁ ବରଂ ପରିତ୍ୟାଗ କରିବ । ଚାକିରିର ମାୟା ତ୍ୟାଗ କରି ପାରିବ ନାହିଁ ।”

 

କୁଞ୍ଜ ଅପରିପକ୍ୱ ଜ୍ଞାନବିଶିଷ୍ଟ ଅବ୍ୟବସ୍ଥିତ-ଚିତ୍ତ ଯୁବକ । ପ୍ରଲୋଭନର ଉତ୍ତେଜନାରେ ଅଧଃପତନର ପିଚ୍ଛିଳ ପଥରେ ସେ ପାଦ ଖସାଇ ଦେଲା ।

 

ଜାହ୍ନବୀ ଶାଶୁ ଘରକୁ ଆସିଲା ଭାର ନେଇ । ଦରିଦ୍ର ଚନ୍ଦ୍ରଶେଖର ଯଥାଶକ୍ତି ଦାନ ଯୌତୁକ ଦେଇଛନ୍ତି । ଲୁଗାଗୁଡ଼ିକ ଦେଇଛନ୍ତି ଖଦଡ଼ର । ଆଉ ଅତି ଯତ୍ନରେ ଝିଅ ହାତରେ ଦେଇଛନ୍ତି ଖଣ୍ଡିଏ ଚରଖା ଓ ମହାତ୍ମାଙ୍କର ଗୋଟିଏ ଛବି । ବିଦାୟ ଦେବାବେଳେ ସୁଆରି ବାଡ଼ ଧରି କାନ୍ଦି କାନ୍ଦି କହୁଛନ୍ତି “ମାଆ ମୋର ! ଚିରଦିନ ଲାଗି ମୋ କୋଳରୁ ଯାଉଛୁ । ଗୋଟିଏ ମାତ୍ର ଅନୁରୋଧ ମୋର ରଖିବୁ । ନିତି ସକାଳେ କିଛି ସୂତା କାଟିବୁ, ମହାତ୍ମାଙ୍କ ଛବି ପୂଜା କରିବୁ । ଏ ଦରିଦ୍ର ଦେଶର ଚିନ୍ତାରେ ସମୟ ଅତିବାହିତ କରିବୁ ।” ଜାହ୍ନବୀ ଆଖିରୁ ଲୁହ ଢାଳି ବାପାଙ୍କ ପାଦ ଛୁଇଁ ପ୍ରତିଜ୍ଞା କଲା–“ବାପା ! ଜୀବ ଥିବାଯାକେ ତୁମ ଆଦେଶ ଲଙ୍ଘନ କରିବି ନାହିଁ ।”

 

କିନ୍ତୁ ଘରେ ଗୋଡ଼ ଦେଇ ଦେଖିଲା ବିପରୀତ କଥା–ସ୍ୱାମୀ ତା’ର ଡିପୋଟି, ଖଦଡ଼–ବିରୋଧୀ । ଚରଖା ଦେଖି କୁଞ୍ଜ ନାକ ଛିଞ୍ଚାଡ଼ିଲା, ଭୟଙ୍କର ବିରକ୍ତ ହେଲା । ରାଗରେ ଗରଗର ହୋଇ ସେ ଯେଉଁ ଭାଇଙ୍କ ଆଗରେ ଆଜିଯାକେ ସଳଖ ହୋଇ ଛିଡ଼ା ହୋଇ ନ ଥିଲା ତାଙ୍କୁ ଜବାବ ଦେଲା, “ନନା ! ତୁମ ଉପରେ ନିର୍ଭର କରିଥିଲି ବୋଲି କାହୁଁ ଗୋଟିଏ ଅମଙ୍ଗଳ-ଚଣ୍ଡୀ ଆଣି ମୋ ବେକରେ ବାନ୍ଧି ଦେଲ !”

 

ରାହାସ କଅଣ ଉତ୍ତର ଦେବେ କିଛି ସ୍ଥିରକରି ପାରିଲେ ନାହିଁ । ଅପରାଧଟା କେଉଁଠାରେ ଅଛି କିଛି ସେ ଠଉରାଇ ପାରିଲେ ନାହିଁ । ଶେଷକୁ କୁଞ୍ଜ ମାତୃସମା ନୂଆବୋଉଙ୍କ ଉପରେ ଭାରି ବିରକ୍ତ ହେଲା–“ଶୁଣ ତୁମେ ନୂଆବୋଉ ! ନନାଙ୍କୁ କୁହ ତାଙ୍କର ବୋହୂଟି ଘରେ ଥାଉ, ମୁଁ ବାହାରିଲି । ଚରଖା ଖଦଡ଼ ଆଦି ମୋ ଧାତୁରେ ଚଳିବ ନାହିଁ ।”

 

ଜାହ୍ନବୀ ଆଡ଼କୁ ହୋଇ ସୁକୁମାରୀ ପଚାରିଲେ “କାହିଁକି କୁଞ୍ଜ ? ଖଦଡ଼ ପିନ୍ଧିଲେ ବା ସୂତା କାଟିଲେ ଏମିତି କଅଣ ଅପରାଧ ହୋଇଗଲା ? ଆଜିକାଲି ତ ବଡ଼ଲୋକେ ଖଦଡ଼ ପିନ୍ଧୁଛନ୍ତି-।’

 

କୁଞ୍ଜ ଏକଥା ଶୁଣି ବେଶି ବିରକ୍ତ ହେଲା । ତୁମମାନଙ୍କୁ ମୁଁ ବାସ୍ତବିକ ପାରିବି ନାହିଁ । ମଣିଷର ଉନ୍ନତି ପଥରେ ତୁମେମାନେ କଣ୍ଟକ । ମୁଁ ସରକାରଙ୍କର ଡିପୋଟି । ମୋର ସ୍ତ୍ରୀ ସୂତା କାଟିବ, ଖଦଡ଼ ପିନ୍ଧିବ ?”

 

ସୁକୁମାରୀ କହିଲେ “ସେଥିରେ ବାଧା କଅଣ କୁଞ୍ଜ ! ଛୁଆବୋହୂତ କିଛି ଏଜଲାସକୁ ଯାଉ ନାହିଁ ? କୁଳବୋହୂ ଘରେ ରହିବ । ନିଜର ରୁଚି ଅନୁସାରେ ଲୁଗା ଖଣ୍ଡେ ପିନ୍ଧିବ କିମ୍ୱା କୁଟୀର ଶିଳ୍ପ ହିସାବରେ ସୂତା ଟିକେ କାଟିବ; ଏଥିରେ ତୁମର ବାଧା କାହିଁକି ବୁଝି ପାରୁନାହିଁ ।”

 

ଏଥରକ କୁଞ୍ଜ ରାଗିଗଲା । ନୂଆ ଡିପୋଟି, ମିଜାଜ୍ ଟିକେ ଚଢ଼ା । ସେ କହିଲା, “ଏସବୁ ଯୁକ୍ତି ତର୍କ ଶୁଣିବା ନିମନ୍ତେ ଆମେ ପ୍ରସ୍ତୁତ ନୋହୁଁ ନୂଆବୋଉ !”

ସୁକୁମାରୀ ହସି ହସି କଥାର ଗୁରୁତ୍ୱକୁ ଉଡ଼ାଇ ଦେଇ କହିଲେ, “ପିଲାମନ ତୁମର । ଦିନାକାତେ ଥୟ ଧର ।”

 

ସେ ଦିନ ଏଭଳି ଭାବରେ କଥାଟା ଶେଷ ହେଲା । କୁଞ୍ଜ ବଡ଼ ଗମ୍ଭୀର ହୋଇ ଅନ୍ୟ ଘରକୁ ଉଠି ଚାଲିଗଲା ।

 

କିନ୍ତୁ କୁଞ୍ଜ ଆଜି ହାକିମ । ସେ ଯେଉଁ ରାୟ ଦେବ ତାହାହିଁ ବାହେଲେ କରିବାକୁ ହେବ-। ସେ ନବୀକୁ କେତେ ଥର କହିଲା–“ଖଦଡ଼ ଛାଡ଼;” ମାତ୍ର ନବୀ କଥାଟାକୁ ବାଆଁରେଇ ଦେଇ ଚାଲିଯାଏ । କ୍ରମେ କୁଞ୍ଜର ଅସହ୍ୟ ହେଲା । ଦିନେ ସେ ନବୀର ଖଦଡ଼ ଲୁଗା ଗୁଡ଼ିକୁ ଆଣି ଅଗଣାରେ ଠୁଳ କଲା । ସୁକୁମାରୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ–“ଏ ପୁଣି କଅଣ କରୁଚ ହେ କୁଞ୍ଜ ?”

 

କୁଞ୍ଜ ସବୁଗୁଡ଼ିକୁ ଠୁଳ କରୁ କରୁ ଉତ୍ତର ଦେଲା “କଅଣ କରୁଛି ଦେଖ ।’’ ଏହାବୋଲି ଲୁଗା ଗଦା ଉପରେ କିଛି କିରାସିନି ଢାଳି ଦିଆସିଲି ମାରି ଲଗାଇ ଦେଲା । ସୁକୁମାରୀ ତଟସ୍ଥ ହୋଇ ଛିଡ଼ା ହୋଇ ଖାଲି ପାଟିକରି ଉଠିଲେ, “କଅଣ କଲୁରେ ଚଣ୍ଡାଳ ! ଏ ଦୁର୍ବୁଦ୍ଧି କିଏ ତୋତେ ଦେଲା ?” କିନ୍ତୁ କୁଞ୍ଜ କିଛି ଶୁଣିଲା ନାହିଁ ।

 

ମୁହୂର୍ତ୍ତକ ମଧ୍ୟରେ ଗୋଟାଏ କାଣ୍ଡ ଘଟିଗଲା । ଦାଣ୍ଡଘରେ ବସି ବସି ରାହାସ ତୁନି ହୋଇ ଚାହିଁ ଥିଲେ । ସମ୍ଭାଳି ପାରିଲେ ନାହିଁ । “ଆରେ ଚଣ୍ଡାଳ ! କଅଣ କଲୁ ? ମଙ୍ଗଳ କାର୍ଯ୍ୟର ଲୁଗାଗୁଡ଼ାକୁ ପୋଡ଼ି ପକାଇଲୁରେ”–କହି ଦୌଡ଼ି ଆସି ଲିଭାଇବା ଲାଗି ନିଆଁ ଉପରକୁ ଡେଇଁ ପଡ଼ିଲେ । ନିଆଁ ଲିଭାଇବାକୁ ଚେଷ୍ଟା କଲେ; କିନ୍ତୁ ସଫଳ ହେଲେ ନାହିଁ । ଶେଷକୁ କୁଞ୍ଜ ଓ ଜାହ୍ନବୀ ଲାଗି ଆସିଥିବା ପାଞ୍ଚି ବଉଳବାଟ ଲୁଗା ଦିଖଣ୍ଡକୁ ଅଣ୍ଡାଳି ଘେନି ପଳାଇ ଆସିଲେ । ଦିହ ହାତ ମୁହଁ ତାଙ୍କର ପୋଡ଼ି ଫୋଟକା ହୋଇଗଲା ।

 

ସେତେବେଳକୁ କୁଞ୍ଜ ରାକ୍ଷସ ଭଳି ହୋଇଥାଏ । ସେ ରାହାସଙ୍କଠାରୁ ସେ ଲୁଗାଗୁଡ଼ାକ ଭିଡ଼ି ଆଣିବାକୁ ଦୌଡ଼ିଗଲା, କିନ୍ତୁ ପାରିଲା ନାହିଁ । ରାହାସ ସେ ଲୁଗା କେତେ ଖଣ୍ଡ ଆପଣାର ଛାତି ଉପରେ ଭିଡ଼ି ଧରିଲେ ।

 

ତା’ପର କୁଞ୍ଜ ଦୌଡ଼ିଗଲା ଜାହ୍ନବୀ ନିକଟକୁ । ଚରଖା ଖଣ୍ଡକ ନୃଶଂସ ଭାବରେ ତାହାଠାରୁ ଭିଡ଼ି ଆଣି ସେ ନିଆଁ ଗଦା ଉପରକୁ ଫିଙ୍ଗିଦେଲା ।

 

ଜାହ୍ନବୀ ଘର କୋଣରୁ ଏସବୁ କାଣ୍ଡ ଦେଖି ତାଟକା ହୋଇଗଲା । ଦେଖିଲା ଦେଢ଼ଶୁର ତା’ର ଦେବତା, କିନ୍ତୁ ସ୍ୱାମୀ ରାକ୍ଷସ । ତା’ର ମନେ ପଡ଼ିଲା–ଦୁର୍ବୃତ୍ତ ବିଶ୍ୱନାଥ ହାତରୁ ତାକୁ ଉଦ୍ଧାର କରିଥିଲେ ଦେଢ଼ଶୁର ତା’ର । ସେଇ ଦେଢ଼ଶୁରଙ୍କୁ ଆଜି ପୋଡ଼ି ପକାଇଲା ତା’ର ନିର୍ମମ ସ୍ୱାମୀ–କୁଞ୍ଜବିହାରୀ ।

 

ବିକଳ ହୋଇ ଜାହ୍ନବୀ ଧାଇଁ ଆସିଲା ରାହାସଙ୍କ ପାଖକୁ । ଲଜ୍ଜା ସଙ୍କୋଚ ଭୁଲି ଛୁଆଁ ଅଛୁଆଁ ନ ବାରି ତାଙ୍କର ପରିଚର୍ଯ୍ୟାରେ ଲାଗିଗଲା । ସେ ଜାଣେ ରାହାସ ତା’ର ଦେଢ଼ଶୁର ନୁହଁ; ଶ୍ୱଶୁର, ପିତା । “ବାପା ! ତୁମ୍ଭର କଅଣ ହୋଇଗଲା ?” ବୋଲି ଅତି ବିକଳ ଭାବରେ କାନ୍ଦି ପକାଇ ରାହାସଙ୍କ ଲୁଗାପଟାରୁ ନିଆଁ ଲିଭାଇବାକୁ ଲାଗିଲା ।

 

ରାହାସଙ୍କ ମୁହଁରେ ଗୋଟିଏ ମାତ୍ର କଥା–“ଚଣ୍ଡାଳ ! ତୁ କଅଣ କଲୁରେ ? ଦେଶଦ୍ରୋହୀ, ପିତୃମାତୃଦ୍ରୋହୀ ଏ ଅଧଃପତନ ତୋର କେବଠୁଁ ହେଲାରେ ?” ସୁକୁମାରୀ ଆବା କାବା ହୋଇ ମୁଣ୍ଡରେ ହାତ ଦେଇ କାନ୍ଥକୁ ଆଉଜି ବସିପଡ଼ିଲେ । ଦୁଇ ଆଖିରୁ ଦୁଇଧାର ଲୁହ ଝରିପଡ଼ିଲା ।

 

ସରଳ କୁଞ୍ଜର ମନ ଭିତରେ କ୍ରମେ କ୍ରମେ ବିଦ୍ରୋହ ଭାବ ଜାତ ହେଲା । ଭାଇଭାଉଜଙ୍କ ପ୍ରତି ତା’ର ଘୃଣା ହେଲା । ତା’ର ମନେ ହେଲା–ଆଜି ହେଉ, କାଲି ହେଉ, ତାଙ୍କଠାରୁ ସମସ୍ତ ସମ୍ପର୍କ ତୁଟାଇ ନ ଦେଲେ ତା’ର ଚାକିରିରେ ବାଧା ପଡ଼ିବ। ପୁଣି ଭାଇଭାଉଜ ତା ମତ ଗ୍ରହଣ କରିବାକୁ ନାରାଜ ।

 

ଜାହ୍ନବୀ କଥା ଭାବି ସେ ମନେକଲା,–ନନା ତାକୁ ଖିବ୍ ଠକାଇଛନ୍ତି । ନବୀ ବୋଧହୁଏ ଚରିତ୍ରହୀନା । ଜମିଦାର ପୁଅ ବିଶ୍ୱନାଥ ମିଶ୍ରଙ୍କ ସହିତ ବୋଧହୁଏ ତା’ର କୁତ୍ସିତ ସମ୍ପର୍କ ଥିଲା । ମନ ଭିତରେ କୁଞ୍ଜର ରାକ୍ଷସ ଆବିର୍ଭୂତ ହେଲା । ସ୍ଥିର କଲା–ଏମାନେ ତିନିଜଣଯାକ ତା’ର ଶତ୍ରୁ । ତେଣୁ ତାଙ୍କଠାରୁ ତୁରନ୍ତ ବିଦାୟ ନେବା ତା ପକ୍ଷେ ମଙ୍ଗଳ ।

 

କିଛିଦିନ ପରେ ଦିନେ ସକାଳେ ଭାଇଭାଉଜଙ୍କୁ କୁଞ୍ଜ ଶୁଣାଇ ଦେଲା, “ନୂଆବୋଉ ! ମୁଁ ତୁମାନଙ୍କ ସହିତ ଏକମତ ହୋଇ ପାରିବି ନାହିଁ । ତୁମେ ମୋତେ ଆଜିଯାକେ ମଣିଷ କରିଚ; ସେ କଥା ମୁଁ ମାନୁଛି । କିନ୍ତୁ ସେଇଟା ତୁମର କର୍ତ୍ତବ୍ୟ ଥିଲା । ମୁଁ ନମସ୍କାର କରି ବିଦାୟ ଘେନୁଛି । ତୁମମାନଙ୍କ ସହିତ ମୋର ସମସ୍ତ ସମ୍ପର୍କ ଏହି ମୁହୂର୍ତ୍ତରୁ ମୁଁ ସମ୍ପୂର୍ଣ୍ଣ ରୂପେ ତୁଟାଇ ଦେଇ ଯାଉଛି । କାରଣ ମୋର ଉଜ୍ଜ୍ୱଳ ଭବିଷ୍ୟତ ମୁଁ ଜାଣୁ ଜାଣୁ ନଷ୍ଟ କରି ପାରିବି ନାହିଁ । ତୁମେ ତୁମର ମହାତ୍ମା ଗାନ୍ଧି, ଖଦଡ଼ ଓ ଦେଶସେବା ଏବଂ ଜେଲଖାନା ଘେନି ଶାନ୍ତିରେ ଥାଅ । ଦୟା କରି ମୋ ଦୁଆରେ ପାଦଧୂଳି ଦେବାକୁ ଯାଇ ମୋର ମୂଲ୍ୟବାନ୍ ଚାକିରିରେ ବାଧା ଦେବ ନାହିଁ–ଏତିକି ମାତ୍ର ଶେଷ ଅନୁରୋଧ ।”

 

ରାହାସ ବସିଲା ଥାନରେ ପଥର ପାଲଟି ଗଲେ । ସୁକୁମାରୀ କାଠର ପିତୁଳା ପରି କାନ୍ଥକୁ ଆଉଜି ଛିଡ଼ା ହୋଇ ରହିଲେ । ଦୁଇଟି ଆଖିରୁ ଦୁଇଟି ଧାର ଲୁହ ଝରି ବକ୍ଷ ତିନ୍ତାଇଲା–“ହାଇ ରେ ଚଣ୍ଡାଳ ! କେଡ଼େ ବେଗି ଏତେ ତୋର ପରିବର୍ତ୍ତନ ? ଏଇଥି ପାଇଁ ତୋତେ ମୁଁ କୋଳରେ କାଖରେ ମଣିଷ କରିଥିଲି ?”

 

ତା’ପର କୁଞ୍ଜ ଡାକିଲା ଜାହ୍ନବୀକି, “ତୁମେ ମୋର ପତ୍ନୀ–ମୋ ସହିତ ଯିବାକୁ ହେଲେ ତୁମକୁ ଖଦଡ଼ ଛାଡ଼ିବାକୁ ହେବ, ଚରଖା ଛାଡ଼ିବାକୁ ହେବ; ଆଉ ମହାତ୍ମା ଗାନ୍ଧିଙ୍କ ଫଟ ପୋଡ଼ି ପକାଇବାକୁ ହେବ । ପାରିବ ତ ?’

 

ଜାହ୍ନବୀ କବାଟ ଉଢ଼ୁଆଳରେ ଥାଇ କାନ୍ଦିଲା–କିନ୍ତୁ କିଛି ଉତ୍ତର ଦେଲା ନାହିଁ ।

 

କୁଞ୍ଜ ପୁଣି ଥରେ ପଚାରିଲା, “ସ୍ପଷ୍ଟ କଥା କହିଦିଅ, ମୋର ବିଳମ୍ୱ ହେଉଛି । ପାରିବ ତ-?”

 

ଜାହ୍ନବୀ ନୃଶଂସ ସ୍ୱାମୀର ଆଉ ଅଧିକ ଅତ୍ୟାଚାର ସହି ପାରିଲା ନାହିଁ । ମନୁଷ୍ୟ ହାତରେ ସେ ତିଆରି ହୋଇଛି । ମନୁଷ୍ୟ ପରି ଉତ୍ତର ଦେବାକୁ ସେ ଆଜିଯାକେ ଶିଖି ଆସିଛି । ଏତେ ବେଳଯାକେ ସେ ବହୁତ କଥା ସହି ଆସିଥିଲା । ଆଉ ପାରିଲା ନାହିଁ । ସ୍ୱାମୀ ଆଡ଼କୁ ତୀକ୍ଷ୍ଣ ଦୃଷ୍ଟି ପକାଇ ସେ ସ୍ପଷ୍ଟ ସ୍ୱରରେ ଉତ୍ତର ଦେଲା–“ନା, ମୁଁ ତା ପାରିବି ନାହିଁ ।”

 

ଗୁରୁଗମ୍ଭୀର କଣ୍ଠରେ କୁଞ୍ଜ ଡାକିଲା–“ମୋ ସାଥିରେ ଆସ ।”

 

ରାହାସ ନିକଟରେ ବସିଥିଲେ । ଜାହ୍ନବୀକୁ ଲକ୍ଷ୍ୟ କରି କହିଲେ, “ମା, କୁଞ୍ଜର ପିଲାମନ । ଆଜି କୌଣସି କାରଣରୁ ଭୁଲ ବୁଝିଛି–କାଲି ବଦଳି ଯିବ । ତୁମେ ତା’ର କଥା ମାନି ଯାଅ !” ସୁକୁମାରୀ କହିଲେ, “ମା ମୋର ! କୁଞ୍ଜ କଥାରେ ବଳାନା–ପାଗଳା ପିଲା; କାଲି ପୁଣି ମନ ତା’ର ଫେରି ପଡ଼ିବ ।”

 

ନୂଆ ଦୋପଟି କୁଞ୍ଜର ମିଜାଜ୍‍ଟା ସବୁବେଳେ ଅସ୍ୱାଭାବିକ ରୂପେ କଡ଼ା । ନୂଆ ଚାକିରିର ମାୟାରେ ସେ ଆକଣ୍ଠ ମଜ୍ଜମାନ । ଖଦଡ଼, ଚରଖା କିମ୍ୱା ଖଦଡ଼ଧାରୀଙ୍କ ନାମ ଶୁଣିଲେ ସେ ଆଜି ଅଗ୍ନିଶର୍ମା । ମନୁଷ୍ୟର ପରିବର୍ତ୍ତନ ଏତେ ଶୀଘ୍ର ଆସେ ବୋଲି ସହଜେ କେହି କଳ୍ପନା କରି ପାରିବେ ନାହିଁ ସତ, ମାତ୍ର ସଂସାରରେ କୌଣସି କଥା ବିଚିତ୍ର ନୁହେଁ । ଯେଉଁ ଭାଇଭାଉଜଙ୍କୁ ସେ ଏତେ ଭକ୍ତି କରୁଥିଲା ସେ ଆଜି ଚକ୍ଷୁଶୂଳ, ପରିତ୍ୟକ୍ତ । ପରିଣୀତା ସ୍ତ୍ରୀ ଜାହ୍ନବୀ କୁଞ୍ଜ ସହିତ ତାଳ ମିଶାଇ ଚଳିବାକୁ ନାରାଜ । କାରଣ ଛୋଟ ହେଲେ ସୁଦ୍ଧା ନବୀର ବିବେକ ବୁଦ୍ଧି ଅଛି । ସେ ଦେଖିଲା–ଗୋଟିଏ ଦିଗରେ ଅଧଃପତନଗାମୀ ସ୍ୱାମୀ; ଅନ୍ୟ ଦିଗରେ ପିତାଙ୍କ ଅନୁରୋଧ ଏବଂ ପଇଁତ୍ରିଶ କୋଟି ଭାରତବାସୀଙ୍କ ପ୍ରତି କର୍ତ୍ତବ୍ୟ । ତା’ର ମନ ଓ ବିବେକ ଦ୍ୱିତୀୟଟାର ଗୁରୁତ୍ୱ ଉପଲବ୍ଧି କରି ପ୍ରଥମକୁ ଗ୍ରହଣ କରି ପାରିଲା ନାହିଁ ।

 

ଆଉ ମଧ୍ୟ ନବୀ ଦେଖିଲା–ସ୍ୱାମୀ ତାକୁ ସବୁବେଳେ ଘୃଣା କରନ୍ତି, ତା ଚରିତ୍ରରେ ସ୍ୱମୀଙ୍କର ପୂରା ସନ୍ଦେହ । ଶତ ଶପଥ କୁଞ୍ଜର ସନ୍ଦେହୀ ମନରୁ ମଳିନତା ଦୂର କରି ପାରୁ ନାହିଁ । କୁଞ୍ଜ ଆଜି ଭାଇଭାଉଜଙ୍କୁ ସାତ ଶତ୍ରୁ କରି ଦେଖୁଛି । କେବଳ ଏଇଥି ପାଇଁ ସବୁବେଳେ କହୁଛି–“ଛି ଛି, ନନାଙ୍କୁ ଆଉ କନ୍ୟା ପାତ୍ର ମିଳିଲା ନାହିଁ ଯେ ଖୋଜି ଖୋଜି ଏଉଟିକୁ ଆଣି ଯୁଟାଇଲେ–ଯାହାର ବଂଶ ଗୌରବ ନାହିଁ, ସତୀତ୍ୱ ନାହିଁ ।”

 

କୁଞ୍ଜର ପଶୁତ୍ୱ ବ୍ୟାଧିର ଏହା ମଧ୍ୟ ଗୋଟିଏ ହେତୁ ।

 

ସତୀ ସ୍ୱାଧ୍ୱୀ ସୀତାଙ୍କୁ ଲୋକେ ସନ୍ଦେହ କରିଥିଲେ ।

 

ଉପଯୁକ୍ତ ବୟସ୍କ ହୋଇ ନ ଥିଲେ ସୁଦ୍ଧା ଜାହ୍ନବୀ ଏଥିରୁ ମୁକ୍ତ ହୋଇ ପାରିଲା ନାହିଁ ।

 

ସେ ଦିନ ଏତେ କାଣ୍ଡ ଘଟାଇ କୁଞ୍ଜ ଜାହ୍ନବୀକୁ ଡାକିଲା, “ଆସ ମୋ ସଙ୍ଗରେ, ଖଦଡ଼ ଛାଡ଼ । ସ୍ୱାମୀ ଛଡ଼ା ସ୍ତ୍ରୀର ସ୍ୱାତନ୍ତ୍ର୍ୟ କିଛି ନାହିଁ ।”

 

ବାହାରକୁ ଏତେକ ସେ କହିଲା ସତ; ମାତ୍ର ମନ ଭିତରେ ସେ ଜାହ୍ନବୀକୁ ଚାହେଁ ନାହିଁ, ଏ କଥା ଜାହ୍ନବୀ ବେଶ୍ ବୁଝିଛି । ଯାହା ନିକଟରେ ଏ ହୃଦୟର ମେଳ ହୋଇ ପାରିବ ନାହିଁ, ଯିଏ କୁକୁର ବିରାଡ଼ିଠାରୁ ତାକୁ ଆହୁରି ବେଶି ଘୃଣାକରେ, ତାକୁ ନେଇ ଚଳିବା ଅସମ୍ଭବ । ନବୀ ମନାକଲା, “ନା, ମୁଁ ଯାଇ ପାରିବି ନାହିଁ–ଯେତେଦିନ ପର୍ଯ୍ୟନ୍ତ ତୁମ୍ଭର ଏ ମନର ପରିବର୍ତ୍ତନ ନ ଘଟିଛି ।”

Unknown

 

ଚଉଦ

 

ସମସ୍ତଙ୍କ ଉପଦେଶ ଶୁଣିଲା ଜାହ୍ନବୀ; ସ୍ୱାମୀଙ୍କର ଧମକ ମଧ୍ୟ । ପୁଣି କୁଞ୍ଜ କହିଲା, “ଆଉ ବିଳମ୍ୱ କରନା, ଉତ୍ତର ଦିଅ । ଭାବି ଦେଖ; ମୋ କଥା ମାନି ମୋରି ନୀତି ଅନୁସରଣ କରିଯାଅ । ସଙ୍ଗରେ ଘେନିଯିବି । ନୋହିଲେ ତୁମକୁ ମୁଁ ଏହି ମୁହୂର୍ତ୍ତରୁ ତ୍ୟାଗକରି ଯିବି । ଯାହାର ସ୍ନେହରେ ଆଜୀବନ ଲାଳିତପାଳିତ ହୋଇ ଆସିଥିଲି, ତାଙ୍କୁ ସାରା ଜୀବନ ଲାଗି ପରିତ୍ୟାଗ କରି ଦେବାକୁ ମୁହୂର୍ତ୍ତେ ଲାଗିଲା ନାହିଁ ମୋତେ । ଆଉ ତୁମେ, ତୁମେ ନିତାନ୍ତ ପର, ତୁମ ସହିତ ମୋର ପରିଚୟ ହୋଇ ନାହିଁ କହିଲେ ଚଳେ । ମୁଁ ପଦସ୍ଥ କର୍ମଚାରୀ । ପୁଣି ବିବାହ କରିବି ।”

 

ଜାହ୍ନବୀ ସବୁ ଶୁଣିଲା । କିନ୍ତୁ ଅବିଚଳିତ ଚିତ୍ତରେ ଅଳପ ହସି କୁଞ୍ଜର ସମ୍ମୁଖୀନ ହେଲା-। କହିଲା–“ବୃଥାରେ ଆପଣ ଏତେ ଭୟ ଦେଖାଉଛନ୍ତି କାହିଁକି ? ମୁଁ ଆପଣଙ୍କର ସ୍ତ୍ରୀ । ଆପଣ ମୋର ସ୍ୱାମୀ । ମୁଁ ହିନ୍ଦୁ କୁଳର କନ୍ୟା । ଆପଣଙ୍କ ପ୍ରତି ସମ୍ପୂର୍ଣ୍ଣ ସମ୍ମାନ ରଖି କହୁଛି, ଆପଣଙ୍କୁ ବିବାହ କରିଥିଲେ ସୁଦ୍ଧା ମୋର ନିଜର ହୋଇ କିଛି ଗୋଟାଏ ସ୍ୱାତନ୍ତ୍ର୍ୟ ଓ ସ୍ୱାଧୀନ ମତ ଅଛି । ବଳାତ୍କାର କରି ଆପଣ ମୋର ବିବେକ ଉପରେ ଅଧିକାର ଦାବୀ କରୁଛନ୍ତି । ମୁଁ ଆପଣଙ୍କର ଅଯଥା ଆଦେଶ କେମିତି ମାନିନେବି ? ଆପଣ ମୋର ସ୍ୱାମୀ–ମୋର ଦେବତା–ମୋର ନମସ୍ୟ; ମୁଁ ଆପଣଙ୍କର ପାଦତଳର ଦାସୀ । ତଥାପି ପ୍ରକାଶ ନ କରି ରହି ପାରୁ ନାହିଁ–କ୍ଷମା କରିବେ । ଆପଣ ଏ କେତେ ଦିନ ମଧ୍ୟରେ ଯେଉଁ ଅଭିନୟ ଦେଖାଇଲେ, ତହିଁରୁ ମୋର ସ୍ଥିର ବିଶ୍ୱାସ ଯେ ଆପଣ ମନୁଷ୍ୟୋଚିତ କାର୍ଯ୍ୟ କରିନାହାନ୍ତି । ମୁଁ ଜାଣେ ଆପଣ ମୋତେ ଘୃଣା କରନ୍ତି । ଆଉ ଦଶଟା ବିବାହ କରିବେ, କରନ୍ତୁ । ସେଥିରେ ମୁଁ ବାଧା ଦେଉ ନାହିଁ । ମୋତେ ତ୍ୟାଗ କରିବେ ? କରନ୍ତୁ । ସେଥିଲାଗି ମୋର ତିଳେ ମାତ୍ର ଭ୍ରୂକ୍ଷେପ ନାହିଁ । କିନ୍ତୁ ମୋର ଏତିକି ମାତ୍ର ଅନୁରୋଧ–ଆପଣ ପିତୃସମ ନନା ଓ ମାତୃସମା ନୂଆବୋଉଙ୍କ ପାଦତଳେ ଯେଉଁ ଅପରାଧ କଲେ ତାହା ଅମାର୍ଜନୀୟ । ତାଙ୍କ ପାଦତଳେ ମୁଣ୍ଡ ରଖି କ୍ଷମା ଭିକ୍ଷା କରନ୍ତୁ ।”

 

କୁଞ୍ଜର କ୍ରୋଧ ଆହୁରି ବଢ଼ିଲା । ସାମାନ୍ୟ ବାଳିକା ଜାହ୍ନବୀ, ଆଉ ସେ–ଉଚ୍ଚଶିକ୍ଷିତ, ଉଚ୍ଚପଦସ୍ଥ କର୍ମଚାରୀ । ଇଚ୍ଛା ହେଲା, ଏଇ ମୁହୂର୍ତ୍ତରେ ଆଦେଶ ଦେଇ ଦେବ ଚପଳା ବାଳିକାକୁ ଧରି ନେଇ ଫାସି କାଠରେ ଝୁଲାଇ ଦେବାକୁ; କିନ୍ତୁ ତା’ର ସେ ଅଧିକାର ପାଇବାକୁ ବିଳମ୍ୱ ଅଛି । ଶେଷକୁ ନିଜ ବିଷରେ ନିଜେ ଜର୍ଜରିତ ହୋଇ ଦୁମ୍ ଦୁମ୍ ହୋଇ ଚାଲିଗଲା । ଆଉ ଗଲାବେଳେ ଜାହ୍ନବୀକୁ ଉଦ୍ଦେଶ୍ୟ କରି ଶୁଣାଇ ଦେଇଗଲା–“ତୁମକୁ ମୁଁ ଚିରଦିନ ଲାଗି ତ୍ୟାଗ କଲି । ଆବଶ୍ୟକ ହେଲେ ଖୋରାକ ପୋଷାକ ଦାବୀ କରି ପାର ।”

 

ଜାହ୍ନବୀ ମଧ୍ୟ ହସି ହସି ପାଦ ତଳେ ମଥା ଥୋଇ କହିଲା, “ସେଭଳି ଆଶଙ୍କା କରିବେ ନାହିଁ । ହସି ହସି ଅଗ୍ନି କୁଣ୍ଡରେ ପ୍ରବେଶ କରିବାକୁ ଜାହ୍ନବୀ ପ୍ରସ୍ତୁତ ଅଛି ।”

 

ଜାହ୍ନବୀ ପୁଣି କହିଲା–“ଆଉ ଗୋଟିଏ କଥା ଶୁଣି ଯାଇ ଥାଅ–ତୁମେ ମୋତେ ଘୃଣା କରୁଛ କର, ମାତ୍ର ମୁଁ ଯେବେ ସତୀ ସ୍ୱାଧ୍ୱୀ ହୋଇଥିବି, ମୋର ଯେବେ ଗୁରୁଜନଙ୍କ ପାଦତଳେ କାଣିଚାଏ ମାତ୍ର ଭକ୍ତି ଥିବ–ତେବେ କହୁଛି, ଶୁଣିଯାଅ–ତୁମକୁ ମୋ ନିକଟକୁ ଫେରି ଆସିବାକୁ ହେବ । ଯେଉଁ ଭାଇଭାଉଜ-ରୂପୀ ନର-ଦେବତାଙ୍କୁ ଆଜି ତୁମେ ପଦାଘାତ କରି ଯାଉଛ; ତାଙ୍କର ପାଦ ତଳକୁ ତୁମର ମୁଣ୍ଡ ଦିନେ ଟାଣି ହୋଇ ଆସିବ ନିଶ୍ଚୟ; ଆଜି କାଲି ହେଉ ବା ଯୁଗକ ପରେ ହେଉ । ଏ କଥା ମୋର ଧ୍ରୁବ୍ୟ ସତ୍ୟ । ମନେ ରଖିବ ।”

 

କୁଞ୍ଜ ଗର୍ବ ଓ ଦମ୍ଭରେ ପାଦ ପକାଇ ଚାଲିଗଲା । ରାହାସ ଓ ସୁକୁମାରୀ କାଠର ପିତୁଳା ପରି ତାହାରି ଆଡ଼କୁ ଅନାଇ ରହିଲେ । ଇଚ୍ଛା ହେଲା, ଫେରାଇ ଆଣିବେ । କିନ୍ତୁ ପାଦ ଚଳିଲା ନାହିଁ । ଶେଷକୁ ଜାହ୍ନବୀ ଆସି ନିଃସଙ୍କୋଚ ଚିତ୍ତରେ ଉଭୟଙ୍କର ହାତ ଧରି ଉଠାଇଲା । “ଆସ ବାପା ! ଆସ ବୋଉ ! ମୁଁ ତୁମର ଝିଅ, ମୁଁ ଡାକୁଛି, ଭିତରକୁ ଉଠି ଆସ ।”

 

ଠାକୁରଙ୍କ ଛଡ଼ାଫୁଲ ପାଦତଳେ ଦଳି ହୋଇଗଲେ ମନୁଷ୍ୟ ଯେମିତି ଚମକି ପଡ଼େ, ରାହାସ ଠିକ୍ ସେମିତି ଚମକି ପଡ଼ିଲେ । କାରଣ ଜାହ୍ନବୀ ତାଙ୍କର ଭାଇବୋହୂ । ପରମ୍ପରାଗତ ସଂସ୍କାରର କିଛି ପରିବର୍ତ୍ତନ ଘଟିଲେ ମନୁଷ୍ୟ ମନରେ ଏହିଭଳି ଭୟ ଜାତ ହୋଇଥାଏ ।

 

ପନ୍ଦର

 

କୁଞ୍ଜ ଦିନ କେତୁଟା ପାଇଁ ଘରକୁ ଆସିଥିଲା । ଜାଳି ପୋଡ଼ି ଦେଇ ଚାଲିଗଲା । ପ୍ରଲୋଭନ ଓ ପ୍ରଭୁତ୍ୱର ଉତ୍ତେଜନାରେ ଏତେ ବଡ଼ କାଣ୍ଡଟାଏ ସେ କରି ଦେଇ ଗଲା । ଏଇଥି ଲାଗି ସେ ଅନେକ ଦିନରୁ ଭାବିଚିନ୍ତି ପ୍ରସ୍ତୁତ ହୋଇ ଆସିଥିଲା । ଆସି ଭାଇଭାଉଜଙ୍କର ସମସ୍ତ ମାୟା ମମତା ଛିଡ଼ାଇ ଦେଇ ଚାଲିଯିବାକୁ । ଜାହ୍ନବୀର କଥାଗୁଡ଼ାକ ତା କଲିଜା ଉପରେ ଚାବୁକ୍ ବସାଇଦେଲା । ରାକ୍ଷସ ଭଳି ସେ ସ୍ଥିର କଲା–ଜାହ୍ନବୀ ଭିକ୍ଷା କରି ବୁଲୁ ବା ଗଣିକା ଶ୍ରେଣୀରେ ନାମ ଲେଖାଉ କିମ୍ୱା ନଈ ପୋଖରୀକି ଡେଇଁ ପଡ଼ୁ, ତା କଥା ସେ ଆଉ ଭାବିବ ନାହିଁ । ସେ ପୁଣି ବିବାହ କରିବ । ଆପଣାର ରୁଚି ଘେନି ଆପଣାର ନୂତନ ଧର୍ମପତ୍ନୀ ଆପେ ସେ ବାଛି ନେବ । ଜାହ୍ନବୀ ତା’ର କେହି ନୁହେଁ, ଗୋଟିଏ ରାତିର ସ୍ୱପ୍ନ ମାତ୍ର । ଜାହ୍ନବୀ ରସାତଳକୁ ଯାଉ, ସେଥିଲାଗି ତା’ର ଚିନ୍ତା କରିବାର କାରଣ ନାହିଁ ।

 

ଠିକ୍ ଏଇ ସମୟରେ ତା’ର ପୁରାତନ ସାଙ୍ଗମାନେ ଆସି ଯୁଟିଲେ–ମହେଶ, ହରିଶ, ବୈକୁଣ୍ଠ; ଆଉରି ବି କେତେଜଣ ସମସ୍ତେ କଙ୍ଗ୍ରେସ୍ ବିରୋଧୀ । ବେକାର ହୋଇ ବସିଥାନ୍ତି । ସମସ୍ତେ କୁଞ୍ଜକୁ ଉତ୍ସାହିତ କଲେ “ବେଶ୍‍ କରିଛୁ ଭାଇ ! ଭାଇଭାଉଜ ବୋଲି କଅଣ ତାଙ୍କର ସବୁ କଥାଗୁଡ଼ାକ ସୁନ୍ଦର ? ସେ ଚୋରି କଲେ କଅଣ ତୁ ହାକିମ ହୋଇ ଜେଲକୁ ପଠାଇବୁ ନାହିଁ ? ସେମାନେ ବେଆଇନ କାମ କଲେ କଅଣ ତୋ ଏଜଲାସରେ ସେମାନେ ଅସାମୀ ରୂପେ ଛିଡ଼ା ହେବେ ନାହିଁ ? ଛାଡ଼ ଭାଇ, ଉଚିତ କାର୍ଯ୍ୟ କରିଛୁ । ଭାଇ ଭାଇ, ଠାଇଁ ଠାଇଁ । କିଏ କାହାର ରେ-? ତୋର ଭବିଷ୍ୟତ ଉଜ୍ଜ୍ୱଳ । ସେମାନଙ୍କଠାରୁ ଦୂରରେ ରହିବା ଭଲ । ଆଉ ଗୋଟାଏ କଥା ହେଉଛି, ସ୍ତ୍ରୀ ଜାହ୍ନବୀ । ତାଙ୍କୁ ତ ତୁ ଡାକିଲୁ, ସେ ଯେବେ ନ ଆସିଲେ; ଯେବେ ସେ ତୋ ଆଦେଶ ଉପଦେଶ ଅନୁସାରେ ଚଳିବାକୁ ଇଚ୍ଛୁକ ନ ହେଲେ, ତେବେ ସେ କି ସ୍ତ୍ରୀ ? ତାଙ୍କୁ କି ବିଶ୍ୱାସ ? ସେ ତ କାଲି ସକାଳେ ବିଷ ଦେଇ ପାରନ୍ତି । ଛାଡ଼ ତାଙ୍କ ଚିନ୍ତା । ଯଦି କାହାରି ସ୍ତ୍ରୀ କୁଳ ତ୍ୟାଗ କରି ଦାଣ୍ଡରେ ଛିଡ଼ା ହୁଏ, ତେବେ କ’ଣ ତା’ର ସ୍ୱାମୀ ସ୍ତ୍ରୀ ପଛରେ ଗୋଡ଼ାଇବ ?”

 

ମହେଶ କହିଲା, “ଭାଇ ! ଆଧୁନିକ ରୁଚିର ଲୋକ ହୋଇ ତୁ ଯେ କେମିତି ସେ ମଫସଲିଆଣୀଟାକୁ ବିଭା ହୋଇଥିଲୁ–ମୁଁ ଆଶ୍ଚର୍ଯ୍ୟ ହେଉଛି । ଛାଡ଼ ସେ କଥା । ମନେକର ପିଲାଦିନେ ଅଜ୍ଞାତସାରରେ କେବେ ଗୋଟାଏ ଭୁଲ୍‍ କରି ପକାଇ ଥିଲୁ । ସେଥିଲାଗି କଅଣ ସେ ଭୁଲ୍‍ଟାକୁ ଆଜୀବନ ମଥା ପୋତି ମାନି ନେବୁ ? ଠିକ୍ କରିଛୁ ଭାଇ ! ବେଦି ଉପରେ ବସାଇ ସୂତାଖିଏ ବାନ୍ଧି ଦେଲେ କିଛି ବିବାହ ହୁଏ ନାହିଁ । ମନ ସହିତ ମନ ମିଳିବା ଚାହି । ପ୍ରାଣ ସହିତ ପ୍ରାଣ; କାନ୍ଧକୁ କାନ୍ଧ ମିଶାଇ ଦୁହେଁ ସମତାଳରେ ଚାଲି ପାରିଲେ ଯାଇଁ ବିବାହ ସିଦ୍ଧ ହୁଏ । ସେଭଳି ରୂଢ଼ ସ୍ୱଭାବୀ ସ୍ତ୍ରୀକୁ ପରିତ୍ୟାଗ କରି ଆସିଛୁ–ଉତ୍ତମ କରିଛୁ।”

 

ହରିଶ କହିଲା “ଇଚ୍ଛାକଲେ କାଲି ସକାଳେ ଆଧୁନିକ ରୁଚିର ଶିକ୍ଷିତା ସ୍ତ୍ରୀ ଆସି ମିଳିବେ-। ଏଥିଲାଗି ଭାବନା କାହିଁକି ?”

 

କୁଞ୍ଜ ବୁଝିଲା, ବାସ୍ତବିକ ସେ ବଡ଼ ବାହାଦୁରି କରିଛି । ଆନନ୍ଦରେ ତା’ର ମନ ଲୋହିତ ହୋଇଗଲା ।

 

କିଛିଦିନ ପରେ ଦିନେ ସନ୍ଧ୍ୟାବେଳେ କୁଞ୍ଜ ଗୌରିଶଙ୍କର ପାର୍କ ଭିତରେ ବୁଲୁଛି । କାମିନୀ ଗଛ ଆଢ଼ୁଆଳ ବେଞ୍ଚ୍ ଖଣ୍ଡକ ଉପରୁ ବୈକୁଣ୍ଠ ଡାକିଲା, ‘‘ଆରେ କୁଞ୍ଜ ବାବୁ ! ଆସିଛନ୍ତି ବୁଲି କି ? ଆସନ୍ତୁ ଇଆଡ଼େ ।”

 

କୁଞ୍ଜ ବେଞ୍ଚ୍ ନିକଟକୁ ଯାଇଁ ନମସ୍କାର କଲା । ବୈକୁଣ୍ଠ ପ୍ରତିନମସ୍କାର କରି ବେଞ୍ଚ୍‍ର ଗୋଟାଏ କଡ଼କୁ ସ୍ଥାନ ଛାଡ଼ି ଦେଲା । କୁଞ୍ଜ ବସିଲା । ଦେଖିଲା, ବୈକୁଣ୍ଠର ଡାହାଣକୁ ବସିଛି ଗୋଟିଏ ତରୁଣୀ । ବୈକୁଣ୍ଠ ମୃଦୁ ହସି କହିଲା, “କୁଞ୍ଜ, ଏଙ୍କୁ ଚିହ୍ନିଚ ? ଇଏ ହେଉଛନ୍ତି ଶ୍ରୀମତୀ ବିଜୟିନୀ ଦେବୀ । ରେଭେନ୍‍ସା କଲେଜରେ ବି.ଏ. ପଢ଼ୁଛନ୍ତି । ମୋର ପୀଉସୀ ଝିଅ ଭଉଣୀ ।”

 

କୁଞ୍ଜ ବିଜୟିନୀଙ୍କୁ ନମସ୍କାର କଲା ।

 

ତା’ ପରେ ବୈକୁଣ୍ଠ ବିଜୟିନୀ ନିକଟରେ କୁଞ୍ଜର ସବିଶେଷ ପରିଚୟ ଦେଲା । ବିଜୟିନୀ ମୃଦୁ ହସି କୁଞ୍ଜ ବାବୁଙ୍କୁ ପ୍ରତିନମସ୍କାର ଜଣାଇଲା ।

 

ତା ପର କେତେ ଆଡ଼ୁ କେତେ କଥା ପଡ଼ିଲା–କେତେ ବାଦାନୁବାଦ....କେତେ ଆଲୋଚନା; ଶେଷକୁ ବିଜୟିନୀ ଓ କୁଞ୍ଜ ମଧ୍ୟରେ ପରିଚୟଟା ଏକ ପ୍ରକାର ଦୃଢ଼ୀଭୂତ ହୋଇଗଲା-

 

କ୍ରମେ ସନ୍ଧ୍ୟାହୋଇଆସିଲାରୁ ପାର୍କ ଛାଡ଼ି ଯେଝାଘରକୁ ଯେଝା ଫେରିବାକୁ ବାହାରିଲେ । ରାସ୍ତାର ମୋଡ଼ ଉପରେ କୁଞ୍ଜଠାରୁ ବିଦାୟ ନେବାକୁ ଯାଇ ବିଜୟିନୀ ଅନୁରୋଧ କଲା, “କୁଞ୍ଜବାବୁ ! ଏତିକିରେ ଆପଣ ବିଦାୟ ନେଉଛନ୍ତି କି ? କାଲି ସକାଳକୁ ନିମନ୍ତ୍ରଣ ରହିଲା । ଅନୁରୋଧ; ଆପଣ ନିଶ୍ଚୟ ଆସିବେ ।”

 

ବିଜୟିନୀର ସୁନ୍ଦର ଅଧରରେ ମୃଦୁ ହାସ୍ୟ, ପୃଷ୍ଠ ଦେଶରେ କୃଷ୍ଣ ବେଣୀ ଦୋହଲୁଛି । ସୁଢଳ ଚକ୍ଷୁର କୋଣରେ ସୁନୀଳ ତାରକା ଖେଳି ଯାଉଛି । କୁଞ୍ଜବିହାରୀ ସ୍ୱୀକୃତ ହେଲା । ମନାକରି ପାରିଲା ନାହିଁ ।

 

ଷୋହଳ

 

“ନମସ୍କାର କୁଞ୍ଜବାବୁ ! ଆସ, ଆସ”–କହି ବୈକୁଣ୍ଠ କୁଞ୍ଜକୁ ମେଲାଘର ଭିତରକୁ ଘେନିଗଲା । ଖଣ୍ତିଏ ଗୋଲ୍ ଟେବୁଲ୍‍ ଉପରେ ସୁନ୍ଦର ଚାଦର ଖଣ୍ତିଏ ପଡ଼ିଛି । ଚାରିପାଖ ଯାକ ତିନି ଖଣ୍ତି ଚୌକି ରଖା ହୋଇଛି । କୁଞ୍ଜକୁ ବସାଇ ବୈକୁଣ୍ଠ ବସିଲା ।

 

ଗୋଟିଏ ମଧ୍ୟଭଳିଆ କ୍ୱାଟର୍‍ । ଚାରି ପାଞ୍ଚୋଟି କୋଠରୀ । ଦୂରକୁ ଖଣ୍ତିଏ ରୋଷେଇ ଘର, ଆଉ ଘରର ଚାରି ପାଖ ଯାକ ମୋହିନ୍ଦି କଣ୍ଟାର ବେଢ଼ା ବୁଲିଛି ।

 

ବୈକୁଣ୍ଠର ସ୍ୱର୍ଗୀୟ ପିତା ନଟବର ଦାସ ଅଦାଲତରେ ଚାକିରି କରୁଥିବା ବେଳେ ଏ ଘର ଖଣ୍ତିକ ତିଆରି କରିଥିଲେ । ବର୍ତ୍ତମାନ ବୈକୁଣ୍ଠ ବି.ଏ. ଖଣ୍ତିକ କୌଣସି ପ୍ରକାରେ ପାସ୍ କରି ବେକାର ଜୀବନ କଟାଉଛନ୍ତି । ଅବଲମ୍ବନ–ଦି’ଖଣ୍ତି ଟିଉସନର ଆୟ ମାସକୁ ତିରିଶ ଟଙ୍କା ମାତ୍ର । ବୈକୁଣ୍ଠର ସଂସାର ମଧ୍ୟରେ ଆପଣାର ବୋଲିବାକୁ ପୀଉସୀ ରୋହିଣୀ ଓ ପୀଉସୀଙ୍କ ଝିଅ ବିଜୟିନୀ । ରୋହିଣୀଙ୍କ ଶାଶୁଘରେ କେହି ଆଶ୍ରୟ ନାହିଁ; ସମ୍ପତ୍ତି ବାଡ଼ି ମଧ୍ୟ କିଛି ନାହିଁ । ଦୁଇଟି କୁଳର ସମସ୍ତେ ବିଦାୟ ଘେନି ଛନ୍ତି । ବାକି କେବଳ ତିନି ଜଣ–ରୋହିଣୀ, ବିଜୟିନୀ ଓ ବୈକୁଣ୍ଠ ।

 

କଟକରେ ବୈକୁଣ୍ଠ ଟିଉସନ କରେ । ବିଜୟିନୀ ପାଠ ପଢ଼େ । ରୋହିଣୀ ରାନ୍ଧଣା ଓ ଘରକରଣା କରନ୍ତି । ରୋହିଣୀ ଆଶ୍ରୟ ବିହୀନା ପ୍ରୌଢ଼ା; ଆଉ ଆଧୁନିକ ସ୍ୱାଧୀନ ଯୁଗର ଯୁବକ ବୈକୁଣ୍ଠ ଏବଂ ତରୁଣୀ ବିଜୟିନୀ ଉଭୟେ ଶିକ୍ଷିତ । ସୁତରାଂ ତାଙ୍କ ଉପରେ ଆଙ୍କୁଶ କିଛି ନାହିଁ ।

 

ବୈକୁଣ୍ଠ ଡାକିଲା–“ବିଜୁ ! ବିଜୟିନୀ !”

 

ପରଦା ଅନ୍ତରାଳରେ ସ୍ଲିପର୍‍ ଶବ୍ଦ ଶୁଣାଗଲା । ବୈକୁଣ୍ଠ କହିଲା, “ବେଶ୍ କଥା ତ ବିଜୁ-! ଭଦ୍ର ଲୋକଙ୍କୁ ନିମନ୍ତ୍ରଣ କରି ଖୁବ୍ ନିଶ୍ଚିନ୍ତ ? କୁଞ୍ଜବାବୁ ଆସିଲେଣି ପରା !”

 

ପାଦରେ ମଖମଲର ଚପଲ ଚଟ୍ ଚଟ୍ କରି ବିଜୟିନୀ ବିଜୟ ଗର୍ବରେ ପରଦା ଟାଣି ଡ୍ରଇଁ ରୁମ୍ ଭିତରେ ପଶିଲା । ମୁଖରେ ତା’ର ମୃଦୁ ହାସ୍ୟ ଓ ଆଖିରେ ଚାଞ୍ଚଲ୍ୟ । ମୁଗ୍ଧ ହୋଇ କୁଞ୍ଜ ସେହି ଆଡ଼କୁ ଚାହିଁ ରହିଲା ।

 

ବିଜୟିନୀ ସ୍ୱାଗତ କଲା, “ନମସ୍କାର କୁଞ୍ଜବାବୁ ! ଆଜି ଆମର ସୁପ୍ରଭାତ ।”

 

କୁଞ୍ଜ ଆସନରୁ ଉଠି ଖାଲିଥିବା ଆସନ ଖଣ୍ତିକୁ ନିର୍ଦ୍ଦେଶ କଲା–“ବସନ୍ତୁ ଆଗ ଆପଣ; ତା’ପର ସବୁ କଥା ।”

 

ବିଜୟିନୀ ବସିଲା ।

 

ବୈକୁଣ୍ଠ ଉଠିଗଲା କିଛି ଜଳଖିଆ ଓ ଚାହା ଅଣାଇବା ନିମନ୍ତେ । ଶୂନ୍ୟ ଘରେ ତନ୍ୱୀ ତରୁଣୀ ବିଜୟିନୀ; ସମ୍ମୁଖରେ ଯୁବକ କୁଞ୍ଜବିହାରୀ । କୁଞ୍ଜକୁ କେମିତି କେମିତି ଲାଗିଲା, ଆସନରୁ ଉଠି ବାହାରକୁ ବାହାରିଲା । ମାତ୍ର ଅବସ୍ଥା ବୁଝିପାରି ବିଜୟିନୀ ହସି ଉଠିଲା । କହିଲା “କୁଞ୍ଜବାବୁ ! ଆପଣଙ୍କୁ ସଙ୍କୋଚ ଲାଗୁଛି ବୋଧହୁଏ । ପୁରୁଷ ଜାତିର ଏ ଦୁର୍ବଳତା ଯିବ କେବେ ?”

 

କୁଞ୍ଜବିହାରୀ ଲଜ୍ଜିତ ହୋଇ ହସରେ କଥାଟାକୁ ଏକରକମ ଉଡ଼ାଇ ଦେବାକୁ ଚେଷ୍ଟା କଲା । “ନା । ତା ଠିକ୍ ନୁହଁ ଯେ, ଆପଣ କାଳେ କିଛି ମନେ କରି ପାରନ୍ତି; କାରଣ ନାରୀ ଜାତିଟା ଅବଳା (.....) ଚନା ?”

 

ବିଜୟିନୀ କହିଲା, “କିନ୍ତୁ କୁଞ୍ଜବାବୁ, ମନେ କରନ୍ତୁ ସେ ନାମଟା ପୁରୁଷର ଦିଆ । ଗୋଟାଏ ଜାତିକୁ ଜୋର ଜବରଦସ୍ତ ହାତମୁଠା ଭିତରେ ରଖିବା ଲାଗି ପୁରୁଷ ନାରୀ ଉପରେ ଏତିକି ନୁହେଁ, ବହୁତ ଅନ୍ୟାୟ ଓ ଅତ୍ୟାଚାର କରି ଆସିଛି । କିନ୍ତୁ ଆଉ ଏଣିକି ପାରିବ ନାହିଁ । ଏଣିକି ନାରୀ ମାଳତୀ ଲତା ହୋଇ ପୁରୁଷ ହକାର ଦେହରେ ଲଟାଇବାକୁ ଚାହେଁ ନାହିଁ । ତା’ର ମେରୁଦଣ୍ତ ଭାଙ୍ଗି ଦେଇଥିଲା ପୁରୁଷ । କିନ୍ତୁ ସେ ଏଣିକି ତା’ର ମେରୁଦଣ୍ତ ସଳଖ ରଖି ସିଧା ହୋଇ ଛିଡ଼ାହେବ । ଏଣିକି ପୁରୁଷକୁ ସେ ବାଟ କଢ଼ାଇବ ।”

 

କୁଞ୍ଜବିହାରୀ ଏଭଳି ପ୍ରଗଳ୍‍ଭା ତରୁଣୀ ସହିତ ମିଶିବାର କେବେହେଁ ସୁଯୋଗ ପାଇ ନଥିଲା । ବିଜୟିନୀର କଥା-ଭାଷା ଓ ଚାଲିଚଳନର କାଇଦା କଟକଣା କାହିଁକି କେଜାଣି ତାକୁ ଭାରି ଭଲ ଲାଗିଲା । ଆଧୁନିକ ଯୁଗର ଶିକ୍ଷିତ ଯୁବକ ସେ । ଆଧୁନିକ ରୁଚି ଓ ଭାବ-ସମ୍ବଳିତ ମସ୍ତିଷ୍କ ତା’ର । ବିଜୟିନୀ ସହିତ ବିଶେଷ କିଛି ପ୍ରତିବାଦ ନ କରି ଆପଣାର ଚୌକି ଖଣ୍ଡକ ଉପରେ ପୁଣି ସେ ବସିପଡ଼ିଲା ।

 

ବିଜୟିନୀ ପୁଣି ଆରମ୍ଭ କଲା, “ଦେଶ ବିଦେଶରେ ଜୋର କରି ପୁରୁଷଠାରୁ ନାରୀ ତା’ର ସ୍ୱାଧୀନତା କାଢ଼ି ନେଇ ସାରିଲାଣି । ରୁଷିଆକୁ ଚାହାନ୍ତୁ; ନାରୀ କାହାରି ପାଖରେ ସାରା ଜୀବନ ବନ୍ଧା ହୋଇ ପଡ଼ିବାକୁ ଚାହୁଁ ନାହିଁ । କେହି କାହାରି ସ୍ତ୍ରୀ ନୁହନ୍ତି ବା କେହି କାହାରି ପୁରୁଷ ନୁହେଁ । ବିବାହ ବୋଲି ଗୋଟିଏ ଯେ ପ୍ରହସନ ଆମ ଦେଶରେ ହୁଏ ସେ ସବୁ ସେଠାରେ ନାହିଁ । ସମାଜର ବନ୍ଧନ କିଛି ନୁହେଁ । ଦେଶ ମଧ୍ୟରେ ପୁରୁଷ ଯେପରି ଇଚ୍ଛାମତେ ଭ୍ରମଣ କରି ପାରେ, ନାରୀର ମଧ୍ୟ ଠିକ୍ ସେହି ଅଧିକାର ଅଛି ।”

 

କୁଞ୍ଜବିହାରୀ ବିଜୟିନୀର କଥାର ଉତ୍ତର ଦେଇ ପାରିଲା ନାହିଁ । ତା’ର ପ୍ରତି ପଦକ କଥାରେ, ପ୍ରତି ଅଙ୍ଗ ଚାଳନାରେ ଓ ଚକ୍ଷୁର ପ୍ରତି ଉନ୍ମେଷରେ ସତେ କି ବୈଦ୍ୟୁତିକ ଶକ୍ତି ବିଚ୍ଛୁରିତ ହୋଇ ତୀର ବେଗରେ କୁଞ୍ଜବିହାରୀ ଶରୀର ମଧ୍ୟରେ ପ୍ରବେଶ କରି ତାକୁ ଏକାବେଳକେ ଅବଶ କରି ପକାଇଲା । ସେ ମନ ଭିତରେ କେତେ ଦମ୍ଭ ବାନ୍ଧିଲା–ବିଜୟିନୀ କଥାରେ କୌଣସି ଗୋଟାଏ ଉତ୍ତର ଦେବ; କିନ୍ତୁ ତୁଣ୍ତ ଫିଟିଲା ନାହିଁ । ମନେ ମନେ ସେ ବିଜୁକୁ ଲକ୍ଷ୍ୟ କରି କହିବାକୁ ଲାଗିଲା, ‘‘ସୁନ୍ଦରି ! ତୁମେ ପୁରୁଷ ଜାତିକୁ ମନଇଚ୍ଛା ଗାଳି ଦିଅ, ସବୁ ଶୁଣିବାକୁ ପ୍ରସ୍ତୁତ ଅଛି ! କିନ୍ତୁ ପ୍ରଗଳଭେ ! କହିଯାଅ ଆହୁରି, ସୁନ୍ଦର ଆନନରେ ସୌନ୍ଦର୍ଯ୍ୟର ଲହରି ଖେଳାଇ, କଣ୍ଠ-ବୀଣାରେ ଝଙ୍କାର ଉଠାଇ, ସୁଢଳ ନୟନରେ ତାରକା ନଚାଇ, ତୁମେ କହିଯାଅ ସୁନ୍ଦରି ! ଅଧର-ବଧୂଲି କୋଳକୁ କୁନ୍ଦ କଳିକା ଫୁଟି ଉଠୁ । ଚମ୍ପକର ଅଙ୍ଗୁଳି ଅଗ୍ରରେ ହୀରକର କରଜ ଝଲସି ଦିଶୁ । ଆଉ ଅଙ୍ଗଲତାର କମ୍ପନରେ ନୀଳବେଣୀ ପୃଷ୍ଠଦେଶରେ ଖେଳିଯାଉ । ତୁମେ ଯାହା ଇଚ୍ଛା ତାହା କହିଯାଅ । ସେହି ଲାଞ୍ଛନାରେ ହିଁ ପୁରୁଷର ଆନନ୍ଦ, ସେହି ଅବମାନନାରେ ହିଁ ପୁରୁଷର ସୁଖ । ନାରୀ ନିକଟରେ ଜୟଠାରୁ ପରାଜୟରେ ପୁରୁଷର କୃତିତ୍ୱ ଅଧିକ । ସୁନ୍ଦରି ! ବିଜୟିନୀ ! ଆଜି ତୁମ ନିକଟରେ ମୋର ବିଦ୍ୟା, ବୁଦ୍ଧି ଓ ବ୍ୟକ୍ତିତ୍ୱ ସବୁ ପରାଜୟ ସ୍ୱୀକାର କରେ ।”

 

ବିଜୟିନୀ ଦରବିକଶିତ ଅଧର ଖେଳାଇ ଅଙ୍ଗୁଳି ଚଳାଇ କେତେ କଅଣ କହିଗଲା । ମୁଗ୍ଧ ପୁଲକିତ ହୋଇ କୁଞ୍ଜବିହାରୀ ଏକ ଦୃଷ୍ଟିରେ ତାହାରି ଆଡ଼କୁ ଚାହିଁ ରହିଲା ।

 

ସତର

 

ସାମାନ୍ୟ ଟିକିଏ ସ୍ୱାତନ୍ତ୍ର୍ୟ ଦେଇ ନ ପାରି କୁଞ୍ଜବିହାରୀ ଜାହ୍ନବୀକୁ ତ୍ୟାଗ କରି ଆସିଲା-। କିନ୍ତୁ ବିଜୟିନୀ ସମ୍ପୂର୍ଣ୍ଣ ସ୍ୱାତନ୍ତ୍ର୍ୟ ଦାବୀ କଲା । ତହିଁରେ ସେ କିଛି ମାତ୍ର ଆପତ୍ତି କରି ପାରିଲା ନାହିଁ । ଏହାହିଁ ସଂସାରର ବୈଚିତ୍ର୍ୟ ।

 

କଥାର ସ୍ରୋତ ହଠାତ୍ ବନ୍ଦ କରି କୁଞ୍ଜ ଆଡ଼କୁ ବିଜୟିନୀ ମୁହୂର୍ତ୍ତେ ଚାହିଁଲା, ଅଳପ ହସି ଉଠି ଛିଡ଼ା ହେଲା । ଶେଷକୁ ଛୋଟ ଟେବୁଲଟିର ଉପର ଦେଇ ହାତଟିଏ ବଢ଼ାଇ କୁଞ୍ଜର ଗୋଟିଏ ହାତ ଧରି ପକାଇ କହିଲା, “ଆହା କୁଞ୍ଜବାବୁ ! କ୍ଷମା କରିବେ, ଆପଣଙ୍କ ମନରେ ବଡ଼ ଦୁଃଖ ଦେଲି । ପୁରୁଷ ଜାତିର ଏତେଗୁଡ଼ାଏ ନିନ୍ଦା କରି ପକାଇଲି ଆପଣଙ୍କ ଆଗରେ ।”

 

କରପରଶ ଲାଗି କୁଞ୍ଜର ସାରା ଅଙ୍ଗରେ ବୈଦ୍ୟୁତିକ କମ୍ପନ ଖେଳିଗଲା । ଅବଶ ହୋଇ ପଡ଼ି ସେ କିଛି ସମୟ କୌଣସି ଉତ୍ତର ଦେଇ ପାରିଲା ନାହିଁ । ବିଜୟିନୀ ତା’ର ମର୍ମ ବେଶ୍‍ ଅନୁଭବ କଲା । ହାତ ଛାଡ଼ି ଦେଇ ସେ ଆପଣାର ଚୌକି ଖଣ୍ତିକ ଉପରେ ବସି ପଡ଼ିଲା–ନୀରବରେ । କିନ୍ତୁ ସ୍ମିତହାସ୍ୟ ହସି ଅପାଙ୍ଗ ଚାଳନାରେ ସତେ କି ସେ କହିଲା, “ବନ୍ଧୁ ! ପାରିଲ ନାହିଁ, ହାରିଗଲ ?”

 

କୁଞ୍ଜ ବହୁତ କଷ୍ଟରେ ଆପଣାକୁ ସଂଯତ କରିନେଇ କହିଲା, “ନା ନା, ଆପଣ ସେଭଳି କିଛି ଭାବନ୍ତୁ ନାହିଁ । ମୋ ମନରେ ଦୁଃଖ କାହିଁକି ହେବ ? ଆଜିଯାକେ ବାସ୍ତବିକ ନାରୀ ଉପରେ ପୁରୁଷ ଅନ୍ୟାୟ ଅବିଚାର କରି ଆସିଛି । ଏଣିକି ଏ ସାମ୍ୟବାଦ ଯୁଗରେ ତା’ର ଦାବୀ ତାକୁ ନିଶ୍ଚୟ ଫେରାଇ ଦେବାକୁ ହେବ ।”

 

ବିଜୟିନୀ ଧୀରେ ଧୀରେ ଉଠି ଛିଡ଼ାହେଲା । ଅଧରରେ ମୃଦୁହାସ୍ୟ ଫୁଟାଇ ନିଃଶବ୍ଦରେ ଘରୁ ଚାଲି ଯିବାକୁ ବାହାରିଲା । ଏରୁଣ୍ତି ବନ୍ଧ ଉପରେ ପାଦ ରଖି ଗୋଟିଏ ହାତରେ ରଙ୍ଗିନ୍ ପରଦାଟି ଧରି ପଛକୁ ଚାହିଁ କହିଲା, “ଯାହା କହିଲେ କୁଞ୍ଜବାବୁ, ତାହା ଆପଣଙ୍କ ମନର କୁଥା ନୁହଁ । ଆପଣ ଲୁଚାଇଲେ, ମୁଁ ବି ପ୍ରକାଶ କରିବାକୁ ଇଚ୍ଛୁକ ନୁହଁ ସତ; କିନ୍ତୁ ଆପଣଙ୍କ ଶରୀର କମ୍ପନରୁ ମୁଁ ବୁଝିଛି–ବୁଝିଛି କୁଞ୍ଜବାବୁ, ଆପଣଙ୍କ ଅନ୍ତରର ବ୍ୟଥା ।”

 

କଥା ଶେଷ ନ ହେଉଣୁ ବିଜୟିନୀ ପରଦାଟି ପକାଇ ଦେଇ ବିଜୟ ଗର୍ବରେ ବରଣ୍ତା ଉପରେ ଅଦୃଶ୍ୟ ହୋଇଗଲା । କଥାର ଶେଷ କେତେକ ପଦ ଅନ୍ତରାଳରୁ ଶୁଣାଗଲା ମାତ୍ର । କୁଞ୍ଜବିହାରୀ ଉଦ୍‍ଗ୍ରୀବ ହୋଇ ସେ ଆଡ଼କୁ ଖାଲି ଚାହିଁ ରହିଲା ।

 

ଜଳଖିଆ ଓ ଚାହା ଖାଇ କୁଞ୍ଜ ସେଦିନ ଫେରି ଆସିଲା । କିନ୍ତୁ ମନଟାକୁ ତା’ର ସେ ସେହିଠାରେ ହଜାଇ ଦେଇ ଆସିଲା ।

 

ଫାଟକ ପାଖରେ ବିଜୟିନୀ ଓ ବୈକୁଣ୍ଠ ବଳାଇ ଦେଇ ଗଲେ । ବୈକୁଣ୍ଠ କହିଲା, “କେବେ ପୁଣି ଆସିବ କୁଞ୍ଜ ?” କୁଞ୍ଜ ଉତ୍ତର ଦେଲା, “ନା, ତୁମେ ସବୁ ମୋ ବସାକୁ ଆଗ ନ ଗଲେ ଆଉ ଆସିବି ନାହିଁ ।”

 

ବୈକୁଣ୍ଠ ହସିଲା । ବିଜୟିନୀ ପଚାରିଲା, “ତୁମେ ସବୁ’ ମାନେ କ’ଣ ଡେପୁଟିବାବୁ ? ବହୁବଚନ କାହିଁକି ? ଭାଇ ଯାଇ ପାରନ୍ତି; ମୋତେ କିନ୍ତୁ ହିସାବ କରନ୍ତୁ ନାହିଁ ।”

 

କୁଞ୍ଜ ହସିଲା ।

 

ବିଜୟିନୀ ତା’ର ମର୍ମ ବୁଝିପାରି ନମସ୍କାର କରି କହିଲା, “କାଲି ନଦୀ କୂଳରେ ଦେଖାହେବ ।”

 

ତହିଁଆର ଦିନ ଅଫିସରୁ ଫେରି କୁଞ୍ଜ ନଈକୂଳ ଆଡ଼େ ବୁଲି ବାହାରିଲା । ବାଟଯାକ ମନେ ମନେ ସେ ଓଜନ କରି ଚାଲିଲା–ବିଜୟିନୀ ସୁନ୍ଦରୀ ଓ ଉଚ୍ଚ ଶିକ୍ଷିତା; ଭାଷା ତା’ର ପ୍ରାଞ୍ଜଳ, ଭାବ ସୁରୁଚିସମ୍ପନ୍ନ । ବୟସରେ ସେ ତରୁଣୀ; କବିତାର ମୂର୍ଚ୍ଛନା ଦେଇ କଳାକୁଶଳତାର ପରିପାଟି ମିଳାଇ ବିଧାତା ତାକୁ ଗଢ଼ିଛି । ଥରେ ଦେଖିଲେ ଆଖିରେ ତା’ର ରୂପ ଆଙ୍କି ହୋଇ ରହେ–ସେ ରୂପ ସାଗର ଚନ୍ଦ୍ରମା । ଜାହ୍ନବୀ ତାହା ତୁଳନାରେ ଅତି ତୁଛ । ସେ ଏକ ପ୍ରକାର ଅଶିକ୍ଷିତା । ମଫସଲରେ ବଢ଼ିଛି । ଆଧୁନିକ ସଭ୍ୟତାର ସେ କାଣିଚାଏ ମାତ୍ର ଧାର ଧାରେ ନାହିଁ । ତାକୁ କଥା କହି ଆସେ ନାହିଁ । ଅହଙ୍କାର ଓ ଅଭିମାନ ତା’ର ଖୁବ୍ ବେଶି । ସେ ମନୁଷ୍ୟ ନୁହେଁ–ପଶୁ; ବିଜୟିନୀ ସ୍ୱର୍ଗର ଦେବୀ !

 

ଭାବନାର ନିକିତିରେ ଦିହିଙ୍କି ତଉଲି ତଉଲି କୁଞ୍ଜ ନଈ ବନ୍ଧ ଉପରକୁ ଉଠିଲା । ଜାହ୍ନବୀ ତା’ର ସ୍ତ୍ରୀ ହେବାର ଯୋଗ୍ୟ ନୁହେଁ । କୁଞ୍ଜ ତାକୁ ସାରାଜୀବନ ଲାଗି ତ୍ୟାଗ କରି ଆସିଛି–ଉଚିତ କାର୍ଯ୍ୟ କରିଛି । ବିଜୟିନୀକି, ସେ ଯଦି ପାରେ, ଗ୍ରହଣ କରିବ ।

 

ସମାଜର ଶାସନ ସେ ମାନିବ ନାହିଁ । ବିଜୟିନୀ ଅମୂଲ୍ୟ ନିଧି । ଜାତିଭେଦ ମନୁଷ୍ୟର ମନଗଢ଼ା; ସେ ତାହା ମାନିବ ନାହିଁ । ବିଜୟିନୀକୁ ସେ ଗ୍ରହଣ କରିବ । ଭାଇ ତା’ର କେହି ନୁହେଁ, ଭାଉଜ ତା’ର କେହି ନୁହେଁ, ଜାହ୍ନବୀ ତ କେହି ନୁହେଁ । ବିଜୟିନୀ ତା’ର ସ୍ତ୍ରୀ, ତା’ର ସହଧର୍ମିଣୀ, ତା’ର ସବୁ ହେବାର ଯୋଗ୍ୟ ।

 

ଭାବି ଭାବି ସେ ସବୁ କଥା ସ୍ଥିର କରିଗଲା । କିନ୍ତୁ ଚିନ୍ତାର ଗୋଟାଏ ମୋଡ଼ ଉପରେ ପହଞ୍ଚି ସେ ଦେଖିଲା–ସତେ କଅଣ ବିଜୟିନୀ ତା’ର ଆପଣାର ହେବ ? ସେ ତ ସରଗର ଚାନ୍ଦ; ସେ କଅଣ ଏ ବାମନ ହାତରେ ଧରାଦେବ ?

 

କୁଞ୍ଜ ଚମକି ପଡ଼ିଲା–“ସତେ ତ ! କି ଅଭଦ୍ରତା ତା’ର ? ବିଜୟିନୀ କାହିଁକି ଏ ବିବାହିତ ଯୁବକର ପତ୍ନୀତ୍ୱ ଗ୍ରହଣ କରିବାକୁ ରାଜି ହେବ ?” କୁଞ୍ଜର ହୃଦୟ ଭାରାକ୍ରାନ୍ତ ହୋଇ ପଡ଼ିଲା ।

 

“ବିଜୟିନୀ ତେବେ କଅଣ ମୋର ହେବ ନାହିଁ ?”

 

ନଈବନ୍ଧ ଉପର ସେତେବେଳେ ପୂରା ନିରୋଳା । ନିରୋଳା ଆକାଶରେ ତରଳ ଜୋଛନାର ଢେଉ । ଗୋଟିଏ ବେଞ୍ଚ୍‍ ଉପରୁ କିଏ ଡାକିଲା, “କୁଞ୍ଜବାବୁ !”

 

କୁଞ୍ଜ ଚମକି ପଡ଼ି ଚାହିଁଲା–ବିଜୟିନୀ ଡାକୁଛି । ପାଖରେ କେହି ନାହିଁ–ସେ ଏକା । କିଛି ଦୂରରେ ନଦୀ ଶଯ୍ୟାରେ ବୈକୁଣ୍ଠ । ଏଠାରେ କଥାଭାଷା ତାହା ନିକଟରେ ପହଞ୍ଚିବ ନାହିଁ । ବିଜୟିନୀ ନମସ୍କାର କଲା । କୁଞ୍ଜ ପ୍ରତିନମସ୍କାର ଜଣାଇଲା । ବିଜୟିନୀ ଉଠିଆସି କୁଞ୍ଜର ହାତ ଧରି ଆପଣା ନିକଟରେ ବସାଇ ଦେଲା । କୁଞ୍ଜର ସାରା ଅଙ୍ଗ ଥରି ଉଠିଲା । ସେ ଟିକିଏ ଦୂରକୁ ଘୁଞ୍ଚି ଯିବାକୁ ବସିଲା; ମାତ୍ର ବିଜୟିନୀ ମୃଦୁ ହସି ମଧୁର ଭର୍ତ୍ସନା କରି କୁଞ୍ଜ ଆଡ଼କୁ ଲାଗିଆସି କହିଲା, “ଛି ଛି କୁଞ୍ଜବାବୁ ! ଏ ଯୁଗରେ ଆପଣଙ୍କର ଏଡ଼େ ଦୁର୍ବଳତା ସାଜେ ନା ।”

 

କୁଞ୍ଜ ଅବାକ୍ ହୋଇ ପ୍ରଗଳ୍‍ଭା ବିଜୟିନୀ ଆଡ଼କୁ ଅନାଇ ରହିଲା । ମନ ଭିତରେ ତା’ର କେତେ ଗୁଡ଼ାଏ କଥା । କିନ୍ତୁ ସେ ଖୋଲି କହି ପାରିଲା ନାହିଁ । ବିଜୟିନୀ ସ୍ୱାଧୀନା ତରୁଣୀ । କୁଞ୍ଜ ପକ୍ଷରେ ସିନା ଏ ଅନୁଭୂତି ନୂଆ, ମାତ୍ର ତାହା ପକ୍ଷେ ଏହା ନୂଆ ନୁହେଁ । ବୟସ ତା’ର ବାଇଶ ହେବ । ଆଙ୍କୁଶ ତା’ର କିଛି ନାହିଁ । ସୁତରାଂ ଏ ସାମ୍ୟବାଦ ଯୁଗରେ ସେ ତା’ର ଯୌବନ ମଧ୍ୟରେ କୁଞ୍ଜବିହାରୀ ତୁଲ୍ୟ କେତେ ଯୁବକର ହୃଦୟ-ରାଜ୍ୟ ଉପରେ ଜୟ ଡିଣ୍ତିମ ବଜାଇ ରସିଛି । ପ୍ରଥମେ ସେ ହୃଦୟ ଖୋଲି ଦେଇ କହିଲା, “କୁଞ୍ଜବାବୁ । ଆପଣଙ୍କ ମନ ଭିତର କଥା ମୋର ନଖ ଦର୍ପଣରେ ସ୍ପଷ୍ଟ ଦେଖା ଗଲାଣି । ଆଉ ଲୁଚାଉଛନ୍ତି କାହିଁକି ? ଦୁଇଟା ହୃଦୟ ମିଳିବାକୁ ଲଳାୟିତ; ଆପଣ ବାଧା ଦେଉଛନ୍ତି କାହିଁକି ?”

 

X X X

 

କୁଞ୍ଜର କୋଳ ଉପରେ ମୁଣ୍ତ ଥୋଇ ବିଜୟିନୀ ଆପଣାର ବାହୁ-ଲତାରେ କୁଞ୍ଜର ଗଳା ବେଷ୍ଟିତ କରି କହିଲା, “ଦେଖିଲ ପ୍ରିୟ ! ଅନନ୍ତ ଆକାଶରୁ କେମିତି ସୁଧାକରର ସୁଧାଧାରା ଝରି ପଡ଼ୁଛି ।”

 

ନୂତନ ସମ୍ବୋଧନରେ କୁଞ୍ଜର ସାରା ଅଙ୍ଗ ପୁଲକି ଉଠିଲା । ତା’ର ମନେ ହେଲା ଆକାଶର ଚାନ୍ଦ ତା’ ହାତରେ ଧରା ଦେଲା କି ଆଉ ! ସେ ଉହୁଙ୍କି ପଡ଼ିଲା–ବିଜୟିନୀର ବକ୍ଷ ଉପରେ ।

 

ବିଜୟିନୀ ଡାକିଲା–ପ୍ରିୟ !

 

କୁଞ୍ଜ ଡାକିଲା–ପ୍ରିୟେ !

 

ବିଜୟିନୀ କହିଲା–ବନ୍ଧୁ ! ମୁଁ ଯେ ତୁମର ।

 

କୁଞ୍ଜ କହିଲା–ସର୍ବସ୍ୱ ମୋର । ମୁଁ ଯେ ତୁମର ।

 

X X X

 

ଠିକ୍ ଏତିକିବେଳେ ବର ଗଛରୁ ପେଚାଟାଏ ଡାକିଲା । ନିୟତିର ନିର୍ଦ୍ଦେଶ ବାଣୀ–ଭ୍ରାନ୍ତ ମାନବ ! ମରୀଚିକାରେ ଜଳ ନାହିଁ । ବିଜୟିନୀ ତୁମର ଏକା ନୁହେଁ । ଏ ପ୍ରହସନ ତାହା ଜୀବନରେ ନୂତନ ନୁହେଁ । ପୁତନା ସେ, ତାହାର ବକ୍ଷତଳେ ବିଷ ପୂରି ରହିଛି କୁଞ୍ଜ !

 

ଅଠର

 

ଦୀର୍ଘ ନିଶ୍ୱାସଟିଏ ପକାଇ ରାହାସ କହିଲେ, “ତୁମେ ସେଭଳି ଗୁଡ଼ାଏ କାହିଁକି ଚିନ୍ତା କରୁଛ ?”

କିଛି ଦୂରରେ ସୁକୁମାରୀ ମୁଣ୍ତରେ ହାତଦେଇ ବସିଥିଲେ । “ଚିନ୍ତା କରୁଛି, ଚିନ୍ତା କରିବାର ଯଥେଷ୍ଟ କାରଣ ଅଛି ବୋଲି । ଜାହ୍ନବୀଟି କଅଣ ହୋଇଗଲାଣି ଦେଖିଛ ? ଅଭାଗୀଟାର କର୍ମରେ ପୁଣି ଏଇଆ ଥିଲା ? ସେଦିନ ମଉସା ଆସିଥିଲେ; ସବୁ କଥା ଶୁଣି ମୁଣ୍ତରେ ହାତଦେଇ ବସିଲେ । କେତେ ବୁଝାଇ କହିଲେ,–ଚାଲ ମା ମନ ଖରାପ ଥିବ; କିଛିଦିନ ତେଣେ ବୁଲି ଆସିବୁ । କିନ୍ତୁ ନବୀ କଅଣ ଉତ୍ତର ଦେଲା ଜାଣ ?”

ରାହାସ ସୁକୁମାରୀ ଆଡ଼କୁ ଚାହିଁଲେ । ଆଖିରେ ତାଙ୍କର କେତେ ପ୍ରଶ୍ନ ।

ସୁକୁମାରୀ କହିଲେ, “କହିଲା–ବାପା ! ତେମେ ଯାଅ; ମୁଁ ଯାଇ ପାରିବି ନାହିଁ । ଏଠି ବାପା ଅଛନ୍ତି, ବୋଉ ଅଛନ୍ତି; ମୁଁ ତାଙ୍କ ପାଖରେ ଖୁବ୍ ଆନନ୍ଦରେ ଅଛି । ତାଙ୍କୁ ଛାଡ଼ି ମୁଁ ଯାଇ ପାରିବି ନାହିଁ ।”

ରାହାସର ଆଖିପତା ତଳେ ଅଶ୍ରୁବିନ୍ଦୁ ଢୁଳୁ ଢୁଳୁ ହେଲା ।

ସୁକୁମାରୀ କହିଲେ, “ସେଇ କଥା ମୁଁ ଭାବୁଛି । କଅଣ ହେବ; ଦିନକୁ ଦିନ କାଳ ରାତି ପରି ଅଭାବ ଘୋଟି ଆସୁଛି । ଆଜି ରାତିକି ଘରେ କିଛି ନାହିଁ । ଦିନକୁ ଦିନ ପିଲାଟାର ପେଟ ଶୁଖି ଯାଉଛି । ଆଖିରେ ତା’ର ସବୁବେଳେ ଲୁହ । କୁଞ୍ଜଟା ତ ଏଭଳି ନ ଥିଲା ହେ !”

ରାହାସ ଦମ୍ଭ ଦେଇ କହିଲେ “ଏତେ ଚିନ୍ତା କର ନାହିଁ । କୁଞ୍ଜର ପିଲାମନ । କୌଣସି କାରଣରୁ ଗୋଟାଏ କାଣ୍ତ କରିବସିଲା । କାଲି ସକାଳେ ସେ ଫେରି ଆସିବ ଯେ ।”

 

କଥାଟା ଶୁଣି ସୁକୁମାରୀଙ୍କର ପ୍ରାଣରେ କ୍ରନ୍ଦନର ଉଚ୍ଛାସ ଉଠିଲା । ଗଳା ଫୁଲି ଗଲା । ସେ ବହୁତ କଷ୍ଟରେ ପ୍ରକାଶ କଲେ–“ତୁମେ ଜାଣନା, ମୁଁ ବହୁତ କଥା ଶୁଣି ପାରୁଛି । କୁଞ୍ଜ ଆଉ ମନୁଷ୍ୟ ହୋଇ ନାହିଁ । ସେ ତା’ର ବହୁମୂଲ୍ୟ ଚରିତ୍ର ହରାଇଛି । ପତନର ପଥଟା ଭାରୀ ସହଜ । ବର୍ଷ ଦୁଇଟା ଭିତରେ ସେ ରସାତଳକୁ ଖସି ପଡ଼ିଲାଣି । ମାୟାବିନୀରେ କୁହୁକ ଫାନ୍ଦରେ ସେ ଛନ୍ଦି ହୋଇ ପଡ଼ିଲାଣି–ସେ ଆଉ ଆସିବ ନାହିଁ ।”

 

ରାହାସ ତାଟକା ହୋଇ ସୁକୁମାରୀ ଆଡ଼କୁ ଚାହିଁ ରହିଲେ । କହିଲେ “ତୁମେ ଏକା ଜାଣ ନାହିଁ; ମୁଁ ବି ଜାଣେ । ତେବେ ଚିନ୍ତା କଅଣ; ମନୁଷ୍ୟର ପିବର୍ତ୍ତନ ଆସେ ? ତା’ର ମଧ୍ୟ ପରିବର୍ତ୍ତନ ଆସିବ । ଆଜି ହେଉ ବା କାଲି ହେଉ, ସେ ତା’ର ଭୁଲ ବୁଝିପାରିବ ।”

 

ତା’ପରେ ସୁକୁମାରୀ ପଚାରିଲେ “ଏ ଘରେ ବୋଧହୁଏ ଆଉ ବେଶିଦିନ ନୁହେଁ । ପ୍ରଭାକର ସାହୁ ହାୱା ନିଲାମରେ ଉଠାଇ ସାରିଲାଣି ପରା !”

 

ରାହାସ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଏ ଖବର ତମକୁ କିଏ ଦେଲା ?”

 

“କେହି କହି ନାହିଁ, ନୋଟିସ ଆସିଛି”–ଏହା କହି ସୁକୁମାରୀ ଘର ଭିତରକୁ ଯାଇ ଗୋଟିଏ ନିଲାମ ଇସ୍ତାହାର ଆଣି ରାହାସଙ୍କ ହାତରେ ଦେଲେ । ରାହାସ କପାଳରେ ଆଖି ଖୋସି ଦେଲେ ।

 

ସୁକୁମାରୀ ପଚାରିଲେ, “ତେବେ ଉପାୟ ?”

 

କବାଟ କୋଣରେ ଛିଡ଼ା ହୋଇ ସବୁ କଥା ଶୁଣୁଥିଲା ଜାହ୍ନବୀ । କଥାରେ ଉତ୍ତର ଦେଇ ସେ କହିଲା, “ଉପାୟ ? ଚରଖା ଓ କଙ୍ଗ୍ରେସ ।”

 

ରାହାସ ଓ ସୁକୁମାରୀ ଦେଖିଲେ ଜାହ୍ନବୀ କହୁଛି, “କିଛି ଚିନ୍ତା ନାହିଁ ବାପା ! ମନୁଷ୍ୟ ଲାଗି ଯଥେଷ୍ଟ ସ୍ଥାନ ଅଛି, ଯଥେଷ୍ଟ ଖାଦ୍ୟମଧ୍ୟ ଅଛି । ଦେଶ ଚିନ୍ତା କଲେ ଦୁଶ୍ଚିନ୍ତା ମନ ମଧ୍ୟରେ ପ୍ରବେଶ କରି ପାରେନାହିଁ ।”

 

ସୁକୁମାରୀ କହିଲେ, “ମୁଁ ବି ସେଇ କଥା ଭାବୁଛି ମା ! ଦେଶର ବଡ଼ ବଡ଼ ଚିନ୍ତାଶୀଳ ଲୋକେ ବର୍ତ୍ତମାନ ଗ୍ରାମ ସଂଗଠନ କାର୍ଯ୍ୟରେ ଲାଗି ପଡ଼ିଲେଣି–ମହାତ୍ମା ନିଜେ ମଧ୍ୟ ସେହି କାର୍ଯ୍ୟଲାଗି ଆହ୍ୱାନ କଲେଣି । ଏ ଭିଟାର କାୟା ଛିଡ଼ାଇ ଚାଲ, ଆମେ ବି ସେହି ଦେଶ ମା’ର ସେବାରେ ଯଥାଶକ୍ତି ଲାଗି ପଡ଼ିବା ।”

 

ରାହାସଙ୍କ ମୁହଁରେ ଏତେବେଳକେ ଜ୍ୟୋତିର ଆଭା ଦେଖାଗଲା । ସେ କହିଲେ, “ଉତ୍ତମ ପ୍ରସ୍ତାବ । ମୁଁ ବି ସେଇ କଥା ଅନେକ ଦିନ ହେଲା ଭାବୁଛି । ଭଗବାନଙ୍କ ଇଚ୍ଛା ବୋଧ ହୁଏ ଏହାହିଁ । ନୋହିଲେ କୁଞ୍ଜ ପରା ଭାଇ ହଠାତ୍ ଗୋଟାଏ ଏ ଭଳି କାମ କରି ବସନ୍ତା, ଯାହା କି ମନୁଷ୍ୟ ସ୍ୱପ୍ନରେ ସୁଦ୍ଧା ଭାବିପାରେ ନାହିଁ ?”

 

ଜାହ୍ନବୀ କହିଲା, “ଅଭାବ କିଛି ରହିବ ନାହିଁ ବାପା ? ସେ ବାନାର ଅଭୟ ଛାୟା ତଳେ କାହାରି କିଛି ଅଭାବ ରହିନାହିଁ ।”

 

ସେହି କଥା ସ୍ଥିର ହେଲା । ପ୍ରଭାକର ସାହୁ ମହାଜନ ଘର ବାଡ଼ି ଡିହ ଦଖଲ ନେଲା । ରାହାସ, ସ୍ତ୍ରୀ ସୁକୁମାରୀ ଓ ଭାଇବୋହୂ ଜାହ୍ନବୀକୁ ଘେନି ଗ୍ରାମବାସୀଙ୍କଠାରୁ ବିଦାୟ ନେଲେ । ଦୁଇଦିନ ଉପବାସ ପରେ ଉଦୁଉଦିଆ ଖରାବେଳେ ରାହାସ ବାହାରିଲେ–ମଧୁବନ ଆଶ୍ରମ ଉଦ୍ଦେଶ୍ୟରେ ।

 

ଚାଲି ଚାଲି କ୍ଳାନ୍ତ ହୋଇ ଗୋଟିଏ ବରଗଛର ଛାଇରେ ସେ ବସିପଡ଼ିଲେ–କିନ୍ତୁ ସମସ୍ତଙ୍କ ମୁଖରେ ଆନନ୍ଦ !

 

ଦେଶ ମାତୃକାର ସେବା ଓ ତା ଲାଗି ତ୍ୟାଗରେ ଗୋଟାଏ ମସ୍ତବଡ଼ ଆନନ୍ଦ ଅଛି । ତାହା ଅପର କେହି ଅନୁମାନ କରି ପାରିବେ ନାହିଁ ।

 

ଉଣେଇଶ

 

ମଧୁବନ ଗ୍ରାମର ଶେଷ ମୁଣ୍ତକୁ ଆମ୍ବତୋଟା । ତୋଟା ମଝିରେ କଙ୍ଗ୍ରେସ ଆଶ୍ରମ । ଛୋଟ ଛୋଟ କୁଡ଼ିଆ ଭଳି ଚାଳଘର, ଝାଟିମାଟି କାନ୍ଥ ବାଉଁଶ କବାଟ । ରାହାସ ସୁକୁମାରୀ ଓ ଜାହ୍ନବୀ ସେହିଠାରେ ରହନ୍ତି; ମଧୁବନକୁ କେନ୍ଦ୍ର କରି ସେମାନେ ଗ୍ରାମସଂଗଠନ କାର୍ଯ୍ୟରେ ଲାଗିପଡ଼ିଛନ୍ତି । ସୂତା କଟାହୁଏ, ଲୁଗା ବୁଣାହୁଏ, ପାଖ ଆଖ ଗ୍ରାମରୁ ସ୍ତ୍ରୀଲୋକ କେତେ ଗୁଡ଼ିଏ ଆସି ନିତି ଯୋଗ ଦିଅନ୍ତି । ଗ୍ରାମର ମଇଳା ଆବର୍ଜ୍ଜନା ପରିଷ୍କାର କରାଯାଏ । ଜାତୀୟ ସଙ୍ଗୀତ ବୋଲାଯାଏ, ସଭା ସମିତି ହୁଏ, ରୋଗର ଚିକିତ୍ସା ଓ ସେବା କରାଯାଏ । ଗ୍ରାମର ସେ ମୁଣ୍ତେ ନଈ କୂଳକୁ ଅଚ୍ଛବ ଜାତି ଗୁଡ଼ିକ ଥାଆନ୍ତି । ରାହାସ ସେମାନଙ୍କ ଲାଗି ବଡ଼ ବ୍ୟସ୍ତ । ଗ୍ରାମବାସୀଙ୍କୁ ଭେଳାଇ ଗୋଟିଏ ପାଠଶାଳା କରିଥାଆନ୍ତି । ତହିଁରେ ସବୁ ପିଲା ଆସି ପଢ଼ନ୍ତି । ରାତିରେ ଦୁଇ ଘଣ୍ଟା ଲାଗି ଗୋଟିଏ ନୈଶ ବିଦ୍ୟାଳୟ ବସାଇ ଥାଆନ୍ତି । ତହିଁରେ ବଡ଼ ବଡ଼ ଯାକ ଆସି ପଢ଼ନ୍ତି ।

 

ମେଲେରିଆ ହଇଜା ଆଦି ସଂକ୍ରାମକ ଦୂର କରିବା ନିମନ୍ତେ କୂଅ ପୋଖରୀ ପରିଷ୍କାର କରାଯାଏ । ଗୋ ମଡ଼କ ଉପସ୍ଥିତ ହେଲେ ତା’ର ଯଥା ପ୍ରତିକାର କରାଯାଏ । ଗ୍ରାମ ମଧ୍ୟର ବାଦ ବିବାଦ ଗ୍ରାମରେ ନିସ୍ପତ୍ତି କରାଯାଏ । ଏହିଭଳି ନାନାବିଧ ଉଦ୍ଦେଶ୍ୟ ଘେନି ମଧୁବନ ଆଶ୍ରମରେ ଅବିଶ୍ରାନ୍ତ ଲାଗିପଡ଼ି ଥାଆନ୍ତି ରାହାସ, ସୁକୁମାରୀ ଓ ଜାହ୍ନବୀ । ଗ୍ରାମଟିକୁ ମନେ କରନ୍ତି ତାଙ୍କର ଆପଣାର ପରିବାର ।

 

କିନ୍ତୁ ନବୀର ବୟସ ଖୁବ୍ ଅଳ୍ପ । ଯେତେ ଉପେକ୍ଷା କଲେ ସୁଦ୍ଧା ହୃଦୟର ସୂକ୍ଷ୍ମ କୋମଳତମ ଅଂଶ ଉପରେ ବେଳେ ବେଳେ ଆଘାତ ଲାଗେ । କାହାକୁ କହିବ ସେ ? ଗୋପନରେ ସେ ଦୃଷ୍ଟିର ଅନ୍ତରାଳରେ ନିଜ ଆଖି ଲୁହକୁ ହାତ ପିଠିରେ ପୋଛେ । ସେ ଦିନ ଗାଧୋଇ ଆସି ପୂଜା ପେଡ଼ିଟି ଫିଟାଇ ବସିଲା ନବୀ । ଗାନ୍ଧିଙ୍କର ଫଟ ଆଡ଼କୁ କୁଞ୍ଜବିହାରୀର ଖଣ୍ତିଏ ଫଟ ରଖା ହୋଇଛି । କେତୋଟି ଫୁଲ ଚିତ୍ର ଦୁଇଟି ଉପରେ ଥୋଇ ନବୀ ଦଣ୍ତବତ ହେଲା-। ଗୋଟିଏ ଦୀର୍ଘ ନିଶ୍ୱାସ ପକାଇ ସେ ଆଖିରୁ ଲୁହ ଝରାଇ ହାତ ହୋଡ଼ ଆଣ୍ଠୁମାଡ଼ି ବସିଲା-। କେତେବେଳଯାକେ ସେ ଏଭଳି ବସିଛି ଜାଣେ ନାହିଁ । କିନ୍ତୁ ପଛାଡ଼ୁ ଲକ୍ଷ୍ୟ କରିଛନ୍ତି ରାହାସ ଓ ସୁକୁମାରୀ । ବାହାରେ ଗୋଟିଏ ଗଛର ଅନ୍ତରାଳରେ ଥାଇ ରାହାସ ଆଖି ଲୁହ ଲୁଗା କାନିରେ ପୋଛିଲେ । ସୁକୁମାରୀର ସଦା ପ୍ରଫୁଲ୍ଲ ମୁଖ ଅସ୍ୱାଭାବିକ ଭାବରେ ଗମ୍ଭୀର ହୋଇ ଆସିଲା-। ଧୀରେ ଧୀରେ ଘରଭିତରକୁ ପଶି ଆସି ନବୀ ପଛରେ ଛିଡ଼ା ହୋଇ ରାହାସ ଡାକିଲେ, “ମା-! ଏସବୁ କଅଣ ? ହୃଦୟର ଦୁର୍ବଳତା ନୁହେଁକି ? ଆଶ୍ରମ-ବାସୀର ଆଖିରେ ଲୁହ ସୁନ୍ଦର ଦିଶେ ନାହିଁ-। ତ୍ୟାଗୀର ଆଶା ଆକଙ୍‍କ୍ଷା ଗୋଟାଏ ପୁଣି କଅଣ-?”

 

ସଂଯମର ବେତ୍ରାଘାତ ପାଇଁ ଜାହ୍ନବୀ ମୁଖ ଟେକି ପଛକୁ ଚାହିଁଲା । ମୁଖ ତା’ର ଗମ୍ଭୀର–ଆଖି ଛଳଛଳ । କିଛି ସମୟ ନୀରବ ରହି ସେ କହିଲା, “ତୁମ ଆଖିରେ ତେବେ ଲୁହ କାହିଁକି ବାବା ?” ରାହାସ ଚମକି ପଡ଼ିଲେ–‘ସତେତ; ମୁଁ ବି କାନ୍ଦୁଛି ଯେ !”

 

ରାହାସ ପ୍ରବୋଧ ଦେଇ କହିଲେ, “କୁଞ୍ଜ ମୋର ପାଗଳା ପିଲା; ନିଶ୍ଚେ ଫେରିଆସିବ । ଆସିବାର ଦିନ ତା’ର ନିକଟ ହୋଇ ଆସୁଛି ।”

 

ସୁକୁମାରୀ ନବୀର ହାତ ଧରି ଉଠାଇଲେ । “ଉଠିଆ ମା ! ବୃଥାରେ ଦୁଶ୍ଚିନ୍ତା କରି ନିର୍ମଳ ମନରେ କାଳି ଲଗା ନା–କୁଞ୍ଜ ନିଶ୍ଚେ ଆସିବ ।”

 

ଦୀର୍ଘ ନିଶ୍ୱାସଟିଏ ପକାଇ ନବୀ ପୂଜା ପେଡ଼ି ବନ୍ଦ କଲା । ଦୁଇଟି ବର୍ଷ ହେଲା ଏ ଆଶ୍ରମ-ଜୀବନ ଅତିବାହିତ ହେଲା; କିନ୍ତୁ କେହି ଜାଣେ ନାହିଁ ଆଜି ଯାକେ ନବୀ କାହାର ପୂଜା କରେ ।

 

ରାହାସ କହନ୍ତି–“କୁଞ୍ଜ ଆସିବ” । ସୁକୁମାରୀ ମଧ୍ୟ କହନ୍ତି “କୋଳରେ କାଖରେ ମୁଁ ତାକୁ ମଣିଷ କରିଛି । ତା’ର ହୃଦୟର ପ୍ରତି ଦୁକ୍‍ଦୁକି ମୋ ହୃଦୟ ଭିତରେ ଆଜିଯାକେ ପ୍ରତିଧ୍ୱନିତ ହେଉଛି । ଏ କୋଳର ମାୟା ସେ କେବେହେଁ ଭୁଲି ପାରିବ ନାହିଁ, ନିଶ୍ଚେ ଆସିବ ।” ନବୀ କିନ୍ତୁ ଚାହିଁ ଚାହିଁ ନିରାଶ ହୋଇ ଆଖି ଫେରାଏ, “ସେ ଆସିବେ ନାହିଁ ।”

 

ବାସ୍ତବିକ କୁଞ୍ଜ ଆସିବ କେମିତି ? ସେ ଯେ ବିଜୟିନୀ ନିକଟରେ ବନ୍ଧା ।

 

ତା’ର ସେଦିନର କଳ୍ପନାର ସ୍ୱପ୍ନ କେତେକ ଅଂଶରେ ପୂର୍ଣ୍ଣ ହୋଇଛି । ଦରମା ବଢ଼ିଛି, ସୁଖ୍ୟାତି ବଢ଼ିଛି; ବିଜୟିନୀ ତା’ର ନିକଟରେ ଧରା ହୋଇଛି । ବିଜୟିନୀ ନାମରେ ଜମି କିଣା ହୋଇଛି–କୋଠା ତୋଳା ହୋଇଛି । ମଟର ଗେରେଜରେ ବେବି ଅଷ୍ଟିନ୍ ମଟରଟିଏ । ଡ୍ରଇଁ-ରୁମ୍‍ ପଛକୁ ଝିଲିମିଲି ପରଦାର ଅନ୍ତରାଳରେ ବିଜୟିନୀର କଳକଣ୍ଠର ନିନାଦ ଶୁଭୁଛି । ଆଉ, ଘର ଆଗେର ଫୁଲ ବଗିଚା ।

 

କିନ୍ତୁ ବିଜୟିନୀ ଓ କୁଞ୍ଜର ବିବାହ ହୋଇନାହିଁ । ବିବାହ ହୋଇନାହିଁ ବେଦି ଉପରେ ବା ଗିର୍ଜ୍ଜା ମନ୍ଦିରରେ । ବିଜୟିନୀ ସାମ୍ୟବାଦ ଯୁଗରେ ସ୍ୱାଧୀନ ତରୁଣୀ । ଇଂରେଜୀରେ କଥା କହେ, ହାରମୋନିୟମ ବଜାଇ ଗୀତ ଗାଏ, ମୋଟର କାର୍ ଚଳାଇ ଏକା ବୁଲି ଯାଏ, ସଭା ସମିତିରେ ଛିଡ଼ା ହୋଇ ଅନର୍ଗଳ ବକ୍ତୃତା ଦିଏ, ନାରୀ-ସ୍ୱାଧୀନତା ଓ ଜନ୍ମ ନିରୋଧ ସମ୍ବନ୍ଧରେ ପ୍ରଚାର କରେ-। ସେ ବିବାହର ଅଯଥା କଥା ସ୍ୱୀକାର କରନ୍ତା କାହିଁକି ? ଉଡ଼ା ଚଡ଼େଇର ବନ୍ଧନ ଗୋଟାଏ କଅଣ ହେବ ?

 

କୁଞ୍ଜକୁ ସେ ଧରା ହୋଇଛି । କିନ୍ତୁ କୁଞ୍ଜ ତାହା ହାତରେ କ୍ରୀଡ଼ା ପୁତ୍ତଳିକା । କୁଞ୍ଜ ହାତରେ କିଛି ପଇସା କଉଡ଼ି ରହେ ନାହିଁ । ବିଜୟିନୀ ନାମରେ ଇନ୍‍ସିଓରେନ୍‍ସ ପଲିସି କିଣାଯାଏ, ତା’ରି ନାମରେ ଟଙ୍କା ଜମା ରହେ । ତା’ରି ଲାଗି ଗହଣା ଗଢ଼ାଯାଏ ।

 

ଆପଣାର ସ୍ୱାତନ୍ତ୍ର୍ୟକୁ କୁଞ୍ଜ ସମ୍ପୂର୍ଣ୍ଣରୂପେ ହଜାଇ ବସିଛି–ବିଜୟିନୀର ପ୍ରେମ-ରାଜ୍ୟର ଅନନ୍ତ ଅସୀମତା ମଧ୍ୟରେ । କାରଣ ବିଜୟିନୀ ତା’ର ସବୁ–ନିତାନ୍ତ ଆପଣାର । ଅକୁଣ୍ଠିତ ଚିତ୍ତରେ ବିଜୟିନୀ ନିକଟରେ ଆତ୍ମ-ସମର୍ପଣ କରିଦେଇ କୁଞ୍ଜ ଆପଣାକୁ ମନେ କରେ ଭାଗ୍ୟବାନ୍ ।

 

ତା’ର କାରଣ ବିଜୟିନୀର ସୌନ୍ଦର୍ଯ୍ୟ ଓ ଗୁଣର ପ୍ରଶଂସା କଟକର ଚାରିଆଡ଼େ । ଲୋକେ ତା’ର କୀର୍ତ୍ତି ଗାନ କରିବାରେ ସହସ୍ରଜିହ୍ୱ । ଆଉ, ସେଇ ବିଜୟିନୀ କୁଞ୍ଜବିହାରୀର ଅମୂଲ୍ୟ ଧନ ।

 

କୋଡ଼ିଏ

 

ସବୁଦିନେ କିନ୍ତୁ ସବୁ କଥା ସୁନ୍ଦର ଦିଶେ ନାହିଁ । ଅନେକ ଗୁଡ଼ାଏ ଜିନିଷ ଅଛି, ତା’ର ବାହାରର ଆବରଣ ସୁଚିକ୍‍କଣ ଓ ସୁନ୍ଦର ଦିଶିଲେ ସୁଦ୍ଧା ତଳକୁ ତା’ର ଲୁଚି ରହିଥାଏ ଅନ୍ୟ କିଛି । ଆଉ କେତେକ ମଧ୍ୟ ଅଛି ଯାହାର ବାହାରଟା କର୍କଶ ଓ ଅସୁନ୍ଦର ହେଲେହେଁ ଭିତରଟା ସ୍ନିଗ୍ଧ ସୁନ୍ଦର । ସୁତରାଂ ଭଲ ଭେଲ ବାରିବା ନିମନ୍ତେ ସମସ୍ତଙ୍କ ଆଖିରେ ଉପଯୁକ୍ତ ଶକ୍ତି ଥାଏ ନାହିଁ ।

 

ମରୀଚିକାରେ ଜଳ ଆଶାକରି ଭ୍ରାନ୍ତ ହରିଣ ଧାଇଁ ଯାଏ; ପଳାଫୁଲର କମନୀୟ ରୂପ ଦେଖି ତୋଳିବାକୁ ଯାଇ ମାଳାକାର ଦେଖେ ଗନ୍ଧ ନାହିଁ । ମସ୍ତକ ମଣିର ଆଲୋକରେ ଆକୃଷ୍ଟ ହୋଇ ନର ହାତ ବଢ଼ାଇଲେ ବିଷଧର ସର୍ପର ଚୋଟ ବସେ । ଆଲୋକ ଦେଖି ଧାଇଁ ଆସି ପତଙ୍ଗ ପୋଡ଼ି ମରେ । ପ୍ରଲୋଭନର ଗୋଟିଏ ମୋହିନୀ ଶକ୍ତି ଅଛି । ସେ ମାୟା ଏଡ଼ିବା ସହଜ ନୁହେଁ । ଜରତା ବେଶ୍ୟା ଆଜନ୍ମ ବହ୍ମଚାରୀ ସଂସାର-ତ୍ୟାଗୀ ତପସ୍ୱୀ ଲମ୍ବପାଦଙ୍କର ଧ୍ୟାନ ଭଙ୍ଗ କଲା । କୁଞ୍ଜବିହାରୀ ବିଜୟିନୀର ଇନ୍ଦ୍ରଜାଲରେ ଭୁଲିଗଲା । ଭାଇଭାଉଜଙ୍କୁ ଭୁଲି, ଜାହ୍ନବୀକୁ ପାସୋରି, ଆଗପଛ ବିଚାର ନ କରି ଚପଳା ବିଜୟିନୀର ଜ୍ୱଳନ୍ତ ବହ୍ନି ଶିଖାରେ ସେ ଝାସ ଦେଲା ।

 

କିନ୍ତୁ ସବୁଦିନେ ମନୁଷ୍ୟର ମନ ସମାନ ଥାଏ ନାହିଁ । ମାୟା କୁହୁଡ଼ି ଉଡ଼ି ଗଲେ ସଂସାରଟା ଧୀରେ ଧୀରେ ସୁସ୍ପଷ୍ଟ ହୋଇଯାଏ । ବିଜୟିନୀର ମାୟାମୟ ଆବରଣ ଭେଦ କରି ଯାହୁଁ ଯାହୁଁ ଭିତରକୁ ପଶିଲା, ତାଉଁ ତାଉଁ କୁଞ୍ଜ ଦେଖିଲା ନିରସ, ନିର୍ଜଳ, ପୋଡ଼ା ପାଉଁଶ ଛଡ଼ା ଆଉ କିଛି ନାହିଁ । ବାହାରେ ଦିଶେ ଅତି କମନୀୟ ଉଜ୍ଜ୍ୱଳ ଚରିତ୍ର–କିନ୍ତୁ ଭିତରକୁ ପଶିବା ମାତ୍ରେ ପୂତି ଗନ୍ଧରେ ନାକ ଫାଟିପଡ଼େ । ଧୀରେ ଧୀରେ ମନ ଭିତରେ ତା’ର ଭାଇଭାଉଜ ଓ ଜାହ୍ନବୀର ଉଜ୍ଜ୍ୱଳ କିରଣ କଣା ଆସି ପଡ଼ିଲା । ସେ ଭାବିଲା–ତେବେ କଅଣ ସେ ଠିକ୍ କରି ନାହିଁ ?

 

କୁଞ୍ଜ ଆଖିରେ ବିଜୟିନୀ ତା’ର ସର୍ବସ୍ୱ । ମାତ୍ର ବିଜୟିନୀ ନିକଟରେ କୁଞ୍ଜ କିଛି ନୁହେଁ–କେହି ନୁହେଁ । କେବଳ ପଇସା ଯୋଗାଇବା ଲାଗି ଖଣ୍ତେ ସମ୍ପତ୍ତି, ଯାହା ଉପରେ ବିଜୟିନୀ ନିଜର ଅଧିକାର ବିସ୍ତାର କରି ବସିଛି–ଏତିକି ମାତ୍ର । ଛଳନାର ଚାତୁରୀ ଭିତରେ କୁଞ୍ଜକୁ ଭୁଲାଇ ରଖି ନିଜର ଧନ ଅର୍ଜନ କରିନେବା ତା’ର ଏକମାତ୍ର ଉଦ୍ଦେଶ୍ୟ ।

 

ଏତିକି ମାତ୍ର ତା’ର ଉଦ୍ଦେଶ୍ୟ; ଆଗରୁ ସେ କୁଞ୍ଜ ଭଳି କେତୋଟି ଲୋକଙ୍କ ହୃଦୟ କିଣି ସର୍ବସ୍ୱ ନିଗାଡ଼ି ନେଇ ଆସିଛି। ବାରବନିତା ବୋଲି ତାକୁ କହିବା ରୁଚି-ବହିର୍ଭୂତ ହେବ । ତାହାକୁ ମୋଟ ଉପରେ ତଥାକଥିତ ଶିକ୍ଷିତା ଓ ସ୍ୱେଚ୍ଛା-ଚାରିଣୀ ବୋଲି କୁହାଯାଇପାରେ ।

 

କିନ୍ତୁ ତାକୁ କୁଞ୍ଜ ଚିହ୍ନି ପାରିଲା ନାହିଁ । ମହାକାଳର ବାହାର ଆବରଣ ଦେଖି ସେ ଭୁଲିଗଲା ।

 

ଆଧୁନିକା ନାରୀଙ୍କ ଭିତରେ କେତେକଙ୍କର କେତେକ ପୁରୁଷ ବନ୍ଧୁ ଅଛନ୍ତି । ବିଜୟିନୀର ଥିବା ମଧ୍ୟ ଆହୁରି ବିଶେଷ ସ୍ୱାଭାବିକ । କୁଞ୍ଜର ଉପସ୍ଥିତିରେ ହେଉ ବା ଅନୁପସ୍ଥିତିରେ ହେଉ, ବିଜୟିନୀ ମଟର ଘେନି ଏକା ଏକା ବୁଲିବାକୁ ଯାଏ; ସାଙ୍ଗ ସାଥିଙ୍କ ଘରକୁ ଯାଏ । ସେମାନଙ୍କୁ ନିଜ ଘରକୁ ଘେନି ଆସେ । ବେଳେ ବେଳେ ପୂର୍ବ ପରିଚିତ କେତେକ ପୁରୁଷ ବନ୍ଧୁ ମଧ୍ୟ ଆସି ବିଜୟିନୀଙ୍କୁ ଦର୍ଶନ ଦିଅନ୍ତି । ବିଜୟିନୀ ସେମାନଙ୍କ ମଧ୍ୟରୁ କାହାରି କାହାରିକୁ ଘେନି ମଧ୍ୟ ବେଳେ ବେଳେ ଯେଣେ ଇଚ୍ଛା ତେଣେ ଭ୍ରମଣ କରି ବାହାରେ ।

 

କୁଞ୍ଜର ମନ ଭିତରେ କେତେବେଳେ କେମିତି ତାହା ପ୍ରତି ସନ୍ଦେହ ଜାତ ହୁଏ ସତ; ମାତ୍ର ସେ ତୁଣ୍ତ ଫିଟାଇ କିଛି କହି ପାରେ ନାହିଁ । କାରଣ ସେଭଳି କହିବା ଆଧୁନିକ ରୁଚିର ବହିର୍ଭିୂତ ।

 

ଘଟନା ଚକ୍ରରେ ପଡ଼ି କୁଞ୍ଜର ଏପରି ପରିବର୍ତ୍ତନ ଘଟିଛି ସିନା; ମାତ୍ର ସେ ଭାରୀ ସରଳ-ବିଶ୍ୱାସୀ । ବିଜୟିନୀ ତାହାକୁ ହସି ହସି କଥା କହେ । ପ୍ରେମର ଆବେଗରେ ତାହା ଉପରକୁ ଢଳି ପଡ଼େ । ସେ ଗସ୍ତରେ ବାହାରିଲେ ବିଜୟିନୀ କାନ୍ଦି ପକାଏ–“କେମିତି ତମ ବିରହ ସହିବି ହେ ବନ୍ଧୁ ! ଚଞ୍ଜଳ ଆସିବ ।”

 

କୁଞ୍ଜ ଅବିଶ୍ୱାସ କରି ପାରେ ନାହିଁ । ସେ ତା’ର ସରଳ ବିଶ୍ୱାସ ଓ ଅନାବିଳ ପ୍ରେମ ଢାଳି ଦିଏ ।

 

କୁଞ୍ଜ ଗସ୍ତରେ ଗଲେ ବିଜୟିନୀର ବନ୍ଧୁମାନେ ଦିନରାତି ଆଡ୍‍ଡା ଦିଅନ୍ତି । ନାରୀଏ ପୁରୁଷଙ୍କୁ ଦୋଷ ଦିଅନ୍ତି ‘ଭ୍ରମର’ ବୋଲି; “ବିଟପ କେତେ ଫୁଲର ମଧୁ ଚାଖି ବୁଲନ୍ତି” ବୋଲି; କିନ୍ତୁ କୁସୁମ ମଧ୍ୟ କେତେ ମଧୁପଙ୍କୁ ମଧୁ ଚଖାଇ ଆପେ ସେମାନଙ୍କର ଚୁମ୍ବନ-ମଧୁ ଆସ୍ୱାଦନ କରେ; କେବଳ ମଧୁପ ନୁହେଁ–କଙ୍କି, ପ୍ରଜାପତି ପାରଡ଼ା ପୋକ ଇତ୍ୟାଦିଙ୍କୁ ମଧ୍ୟ ।

 

ବିଜୟିନୀ ଏକାଧିକ କାହିଁକି ଦଶାଧିକ ପୁରୁଷ-ଭୃଙ୍ଗର ଚୁମ୍ବନ-ସ୍ୱାଦ ଉପଭୋଗ କରିବାକୁ ଭଲପାଏ । ତହିଁରେ ତା’ର ଆନନ୍ଦ ଓ ଗୌରବ । ସେମାନଙ୍କ ମଧ୍ୟରେ ଗୋଟିଏ ଡାକ୍ତର ତା’ର ପ୍ରିୟ । ଯୌବନର ପ୍ରଥମ ଉନ୍ମୋଚନ ଦିନଠାରୁ ସେ ବିଜୟିନୀର ପ୍ରଣୟୀ । ସୁତରାଂ ତାହାଙ୍କ ପ୍ରତି ଏହାର ମମତା ସମସ୍ତଙ୍କଠାରୁ ଟିକିଏ ଅଧିକ, କୁଞ୍ଜଠାରୁ ମଧ୍ୟ । କିନ୍ତୁ କୁଞ୍ଜ ଅନ୍ଧ; ଏ କଥାର କିଛି ଆଭାସ ପାଏ ନାହିଁ ।

 

ସେ ଦିନ କୁଞ୍ଜ ଦେହରେ ପ୍ରବଳ ଉତ୍ତାପ । ବାରଦିନ ହେଲା ସାନ୍ନିପାତିକ ଜ୍ୱରରେ ପଡ଼ି ଆତଙ୍କରେ ସେ ଚିତ୍କାର କରୁଛି । ଭଡ଼ାଟିଆ ଧାଈଟିଏ ପାଖରେ ପଡ଼ିଥିବା ଚୌକି ଖଣ୍ତିକ ଉପରେ ବସିଛି । କେତେ ଦିନ ହେଲା ସେ ସମ୍ପୂର୍ଣ୍ଣ ବେହୋସ ଅଛି । ବିଜୟିନୀର ଡାକ୍ତର ବନ୍ଧୁଟି ତାକୁ ଚିକିତ୍ସା କରୁଚନ୍ତି । ସଞ୍ଜ ବୁଡ଼ି ଗଲାଣି । ଡାକ୍ତର ବାବୁ ଦେଖିବାକୁ ଆସିଲେ । ଛାତି ପରୀକ୍ଷା କରି ଗୋଟିଏ ଏଣୁ ତେଣୁ ଔଷଧ ଲେଖିଦେଇ ଯିବାକୁ ବାହାରିଲେ । ହଠାତ୍ କେମିତି କେଜାଣି କୁଞ୍ଜର ଟିକିଏ ଜ୍ଞାନ ସଞ୍ଚାରିତ ହେଲା । ତା ଜୀବନର ପରିବର୍ତ୍ତନର ଘଣ୍ଟା ଅଜ୍ଞାତରେ ବାଜିଉଠିଲା । ସେ ଖିଡ଼ିକିର ଫାଙ୍କବାଟେ ଦୃଷ୍ଟି ପକାଇଲା । ଦେଖିଲା–ଡ୍ରଇଂ ରୁମରେ ଡାକ୍ତର ବାବୁ ବିଜୟିନୀର ଗୋଟିଏ ହାତ ଧରିଛନ୍ତି । ମୁଖରେ ହାସ୍ୟର ଛଟା । ଶୂନ୍ୟ ଘର ମଧ୍ୟରେ ବିଜୟିନୀ ଅପାଙ୍ଗ ଚାଳି ଧୀରେ ଧୀରେ ଡାକ୍ତର ବାବୁଙ୍କ ବକ୍ଷ ଉପରକୁ ଢଳି ପଡ଼ିଲା । ଡାକ୍ତର ବାବୁ ମୃଦୁ ହସି ବିଜୟିନୀର ଗଳଦେଶରେ ଆପଣାର କର ବେଷ୍ଟନ କରି ଧୀରେ ଧୀରେ ତା ଗଣ୍ତ ଉପରେ ଗୋଟିଏ ଚୁମ୍ବନ ରୋପିଲେ ।

 

କୃଞ୍ଜବିହାରୀ ଚାହିଁ ରହିଲା । କିନ୍ତୁ ଆପଣାର ଆଖିକୁ ସେ ବିଶ୍ୱାସ କରି ପାରିଲା ନାହିଁ । ଚିନ୍ତାର ସ୍ରୋତରେ ସେ କେବଳ ଭାସି ଚାଲିଲା; ଆଉ, ଆଖିରେ ଲୁହ ତା’ର ଭାସି ଚାଲିଲା ତକିଆ ଉପରେ । ସଂଜ୍ଞା ହରାଇ ସେ ପୁଣି ଅଜ୍ଞାନ ହୋଇପଡ଼ିଲା ।

 

ପୁଣି ଜ୍ଞାନ ହେଲା । କୁଞ୍ଜ ଧୀରେ ଧୀରେ କଡ଼ ଲେଉଟାଇ ଧାଈ ଆଡ଼କୁ ଚାହିଁ ପଚାରିଲା, “ମା’ କାହାନ୍ତି ?”

 

ଧାଈ ଉତ୍ତର ଦେଲା–“ଡାକ୍ତର ବାବୁଙ୍କୁ ବଳାଇ ଦେବାକୁ ଯାଇଛନ୍ତି ।”

 

କୁଞ୍ଜ ପୁଣି ପଚାରିଲା, ‘‘କେତେବେଳ ବର୍ତ୍ତମାନ ?”

 

ଧାଈ ଉତ୍ତର ଦେଲା–“ଏଗାରଟା ରାତି ।”

 

ଆପଣାର ଆଖିକୁ ଆଉ ଅବିଶ୍ୱାସ କରି ପାରିଲା ନାହିଁ କୁଞ୍ଜ । ପ୍ରବଳ ଉତ୍ତେଜନା ଆସି ମନ ଭିତରେ ଜାଗରିତ ହେଲା । ପ୍ରବଳ ଅନୁଶୋଚନା ଆସି ତା’ର କୋମଳ ପ୍ରାଣରେ ଧକ୍‍କା ଦେଲା । ସେ ଭାବିଲା ବିଜୟିନୀ ବିଶ୍ୱାସଘାତିନୀ । ଅନେକ ଦିନର ସନ୍ଦେହର ହେଉଁ ବୀଜ ଟିକକ ଆଜିଯାକେ ତା ମନ ଭିତରେ ଗୁଂଜରି ଉଠୁଥିଲା, ତାହା ଆଜି ଏକ ମୁହୂର୍ତ୍ତ ଦେଖାରେ ଦୃଢ଼ମୂଳ ହୋଇଗଲା । ସେ ଦେଖିଲା ବିଜୟିନୀକି ସେ ତା’ର ସବୁ ଦେଇ ଦେଇଛି ସତ; କିନ୍ତୁ ବିଜୟିନୀ ରାକ୍ଷସୀ, ପିଶାଚୀ । କୁଞ୍ଜ ତାକୁ ସ୍ତ୍ରୀରୂପେ ଗ୍ରହଣ କରିଛି । ତା ପ୍ରତି ସ୍ୱାମୀର କର୍ତ୍ତବ୍ୟ ସେ କରିଛି ମଧ୍ୟ; କିନ୍ତୁ ଆଜି ରୋଗଶଯ୍ୟାରେ ତାକୁ ପକାଇ ଦେଇ ବିଜୟିନୀ ପରପୁରୁଷର ବକ୍ଷ ଉପରେ ଢଳି ପଡ଼ି ଚୁମ୍ବନ ମଧୁ ଆସ୍ୱାଦନ କରୁଛି । ବିଜୟିନୀ ଦାନବୀ; କୁଞ୍ଜର ସେ ସର୍ବନାଶ କରିଛି ।

 

ନିଜ କଥା ମନେ ପଡ଼ିଲା, ତା’ର । ସେ ଥିଲା କଅଣ, ହେଲା କଅଣ ? ପରିଣୀତା ସ୍ତ୍ରୀ ଜାହ୍ନବୀକୁ ସେ ପଦାଘାତ କରି ଆସିଛି । ପିତୃତୁଲ୍ୟ ବଡ଼ ଭାଇ, ମାତୃସମା ନୂଆବୋଉଙ୍କୁ ସେ ବିନା ଅପରାଧରେ ପୋଡ଼ି ଜାଳି ତ୍ୟାଗ କରି ଆସିଛି । ତା ଭଳି ନୁଶଂସ, ବର୍ବର ଆଉ କିଏ ଅଛି କାହିଁ ?

 

କୁଞ୍ଜର ଆଖି ପତାରେ ଲୁହର ଧାର ଢୁଳୁ ଢୁଳୁ ହେଲା । ସେ ଭାବିଲା ନୂଆବୋଉଙ୍କ କଥା । ଦିହ ଟିକେ ଇସ୍‍କରି ହେଲେ ସାରା ରାତି ଜଗି ବସିଥାନ୍ତି–କୋଳରେ ଧରି ଅଖିଆ, ଅପିଆ, ବାପାଲୋ, ଧନଲୋ କରି ଔଷଧ ଟିକକ ଖୁଆନ୍ତି ସେ; ବାନ୍ତି ହୋଇ ପଡ଼ିଲେ ହାତରେ ସେ ପୋଛି ଦିଅନ୍ତି । ଝାଡ଼ା ହୋଇଗଲେ ହାତରେ ଉଠାଇ ନିଅନ୍ତି । ନିଜର ଆତ୍ମସମ୍ମାନ ଓ ବିବେକକୁ ବଳି ଦେଇ ତାହାରି ଲାଗି ପର ଦୁଆରେ ମୁଣ୍ତ ବିକିଦେଲେ ଭାଇନା ତା’ର । ନୂଆବୋଉ ତାଙ୍କର ଆୟ ଅଳଙ୍କାର ଓ ଚାନ୍ଦ ଗାଈକୁ ବିକି ଖର୍ଚ୍ଚ ପଠାଇଲେ । ଶେଷକୁ ଅଭାଗୀ ସୂତା କାଟି ପେଟ ପୋଷିବାକୁ ବାଧ୍ୟ ହେଲେ । କିନ୍ତୁ ବିଜୟିନୀ ? ହାୟ ହାୟ ! ତା’ର ସର୍ବନାଶ କଲା ।

 

କୁଞ୍ଜ ଚିତ୍କାର କରି ପୁଣି ଥରେ ଅଜ୍ଞାନ ହୋଇ ପଡ଼ିଲା ।

 

ଏକୋଇଶ

 

ଦିନକୁ ଦିନ କୁଞ୍ଜ ବଡ଼ ଗମ୍ଭୀର ହୋଇ ଭାବିଲା–ବିଜୟିନୀ ବିଶ୍ୱାସଘାତିନୀ । କପାଳ ଉପରେ ତା’ର କୁଞ୍ଚିତ ରେଖା ଦେଖା ଗଲା ଅନୁଶୋଚନାରେ । ବାସ୍ତବିକ ସେ ଠିକ୍ କରି ନାହିଁ । ଆଗରୁ ସେ ଭାଇଭାଉଜ ଓ ପରିଣୀତା ସ୍ତ୍ରୀକୁ ବିନା ଦୋଷରେ ପରିତ୍ୟାଗ କରି ଆସି ଭାବିଥିଲା–ଠିକ୍ କରିଛି । ବନ୍ଧୁ ଗହଣରେ ଖୁବ୍ ବାହାବା ମଧ୍ୟ ପାଉଥିଲା । କିନ୍ତୁ ସାନ୍ନିପାତିକ ଜ୍ୱରରୁ ଉଠିଲାଦିନରୁ ସେ ଭାବିବାକୁ ଲାଗିଲା ଯେ ଭୁଲ୍‍ କରିଛି । ସେ ଭାବିଲା–ଚାକିରିର କୁହୁକ ଲଗାଇ ବିଜୟିନୀର ଇନ୍ଦ୍ରଜାଲ ବୁଣି ନିୟତି ତାକୁ ଉଚିତ ବାଟରୁ ଟାଣି ଆଣି କଣ୍ଟାବାଟ ଉପରେ ପକାଇ ଦେଇଛି । ପାଦରେ ଠେଲି ପିତୃ-ମାତୃ-ତୁଲ୍ୟ ଭାଇଭାଉଜଙ୍କୁ ସେ ସାରା ଜୀବନ ପିରିତ୍ୟାଗ କରି ଆସିଛି । ଏତେ ଦିନ ଯାକେ ସେମାନଙ୍କର ଖବର ରଖି ନାହିଁ । ସେମାନଙ୍କ ନିକଟକୁ ଆଉ କେଉଁ ମୁହଁରେ ବା ଫେରିବ ? କେଉଁଠାରେ ବା ସେମାନଙ୍କୁ ଖୋଜିବ ? ସେମାନେ ଅଭାବର ଯାତନାରେ ପଡ଼ି ଜୀବିତ ଅଛନ୍ତି କି ନା ?

 

ମଦନିଶାରେ ଲୋକ ଭଲମନ୍ଦ ବିଚାର କରି ପାରେ ନାହିଁ । କିନ୍ତୁ ନିଶା ଭାଜିଲେ ଆପଣାର କାର୍ଯ୍ୟକଳାପ ଦେଖି ଚମକି ପଡ଼େ । ଗିରିନଦ ଯୌବନର ଉନ୍ମାଦନାରେ ମତ୍ତ ହୋଇ ଗିରିକ୍ରୋଡ଼ ଛାଡ଼ି ବାଧାବନ୍ଧ ଭାଙ୍ଗି ତଳକୁ ଗଡ଼ି ଯାଏ; ଆଉ ଫେରି ପାରେ ନାହିଁ । କୁଞ୍ଜ ଦେଖିଲା–ଭାଇଭାଉଜଙ୍କୁ ଠକିବାକୁ ଯାଇ ସେ ନିଜେ ଠକିଛି । ସେହି ମୁହୂର୍ତ୍ତରୁ ବିଜୟିନୀ ତାକୁ ଲାଗିଲା ବିଷ ପରି । ତୁଣ୍ତରେ ଅନ୍ୟ କିଛି କହିବାକୁ ତା’ର ସାହାସ ହେଲା ନାହିଁ । କାରଣ ନିଜେ ଗୋଡ଼ ଖସାଇ ଦେବାରୁ ସିନା ତା’ର ଏଡ଼େ ଅଧଃପତନ ଘଟିଲା । ବିଜୟିନୀ ସ୍ୱତନ୍ତ୍ରା ନାରୀ; ତାକୁ ଚିହ୍ନି ନ ପାରିବା ବିଜୟିନୀର ଦୋଷ ନୁହେଁ, କୁଞ୍ଜର । ସେହି ଦିନଠାରୁ ସେ ବିଜୟିନୀକୁ ନରକର କୀଟ ଭଳି ଦେଖିବାକୁ ଲାଗିଲା ।

 

ଘରେ ତା’ର ମନ ଲାଗିଲା ନାହିଁ । ଅଫିସ୍ ତାକୁ ଲାଗିଲା କାରାଗାର ଭଳି । ଡେପୁଟି ସମ୍ମାନ, ହାକିମିର ଅଭିମାନ, ଯୋଗ୍ୟତାର ଗୌରବ, ସବୁ ତାକୁ ଲାଗିଲା ନିମ ପିତା ପରି କଟୁ ।

 

X X X

 

ସେ ବର୍ଷ କାଠଯୋଡ଼ିର ବନ୍ଧ ଭାଙ୍ଗିଲା । ଧୋଇଆ ଅଞ୍ଚଳ ଭାସିଗଲା । ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ନିମନ୍ତେ ସରକାରୀ ହାକିମ–ହୁକୁମା ଗଲେ । କୁଞ୍ଜ ମଧ୍ୟ ଗଲା । ଗ୍ରାମେ ଗ୍ରାମେ ବୁଲି ସେ ଦେଖିଲା ଲୋକଙ୍କର ଅବସ୍ଥା ଅତି ଶୋଚନୀୟ । ଘରଦ୍ୱାର ନାହିଁ, କେତେ କିଏ ଭାସି ଯାଉଛନ୍ତି । ଗଛ ପତ୍ର ଖାଇ ଉପାସରେ ରହି ଆଠ ଦିନ ଅଣ୍ଟାଏ ଛାତିଏ ପାଣିରେ ଦରିଆ ଭିତରେ ଝମ ଝମ ବର୍ଷା ତଳେ ଶୂନ୍ୟ ମଥା ଟେକି ଯେ କେତୋଟି ବଞ୍ଚି ରହିଛନ୍ତି, ସେମାନଙ୍କର ଘରେ ନାହିଁ ଖାଇବାକୁ, ଦେହରେ ନାହିଁ ପିନ୍ଧିବାକୁ, ବିଲରେ ନାହିଁ ଧାନ ବୁଦାଟିଏ । ଡେପୁଟି ବାବୁଙ୍କୁ ଦେଖି ଖାଁ ଖାଁ ହୋଇ ନରକଙ୍କାଳ ଆସି ଘେରି ଯାଉଛନ୍ତି–‘ସରକାର ବାହାଦୁର, ଦୟା କରନ୍ତୁ;–ମଲୁ ଆମେ ।’

 

କୁଞ୍ଜକୁ ବାସ୍ତବିକ ଭାରୀ ବିକଳ ଲାଗିଲା । ସହରରେ ରହି କେବେହେଲେ ସେ ଏ ଦୃଶ୍ୟ କଳ୍ପନା କରି ପାରିନାହିଁ । ନିଜ ଆଖିରେ ନିଜର ଦେଶ ଓ ଭାଇବନ୍ଧୁଙ୍କର ନଗ୍ନ ରୂପ ଦେଖି ସେ କାନ୍ଦି ପକାଇଲା । ସତେ ତ ! ଯେଉଁମାନଙ୍କ ଅନ୍ନରେ ସେ ଆଜି ଦିପୋଟି, ସେମାନଙ୍କ ଲାଗି ମୁହୂର୍ତ୍ତେ ମାତ୍ର ସେ ତ କେବେ ଚିନ୍ତା କରି ନାହିଁ । ଯେଉଁମାନଙ୍କ ଲାଗି ସେ ହାକିମ, ଯେଉଁମାନଙ୍କ ଲାଗି ତା’ର ଅଧିକାର ଓ ସୁଖ-ସମ୍ଭୋଗ, ସେମାନଙ୍କ ପାଇଁ ସେ ତ କିଛି କେବେ କରି ପାରିଲା ନାହିଁ !

 

ଭାଇଙ୍କ ଆଦର୍ଶକୁ ପଦାଘାତ କରି ସେ ଚାଲିଯାଇଥିଲା । କିନ୍ତୁ ଆଜି ତା’ର ଅନ୍ତର ମଧ୍ୟରୁ ଯେଉଁ ଆହ୍ୱାନ ଆସୁଛି ସେ ତ ଆଉ କିଛି ନୁହେଁ; ଠିକ୍ ସେଇ କଥା, ସେଇ ତ୍ୟାଗର ରୂପାନ୍ତର ମାତ୍ର ।

 

ଘଟଣା ଚକ୍ରରେ ପଡ଼ି ମନୁଷ୍ୟ ଆଦର୍ଶ ବଦଳାଏ । ଡାକବଙ୍ଗଳାକୁ ଫେରିଆସି ସେ ଭାବିଲା–ଅର୍ଥ ଓ ପଦବୀ କଅଣ ବଡ଼ ଜିନିଷ ? ଏତେଗୁଡ଼ାଏ ନର-କଙ୍କାଳ କଅଣ ତାହାରି ଭଳି ମନୁଷ୍ୟର ନୁହେଁ ? ତା’ର ଭାଇଭାଉଜ, ପରିଣୀତା ସ୍ତ୍ରୀ ଆଜି ଅଭାବରେ ପଡ଼ି ଏହିଭଳି ହୋଇ ଥିବେ ତ । ଆଉ ସେ ! ସେ ନିଜେ ଆମୋଦରେ ଅଛି । ଅର୍ଥ ଉପାର୍ଜ୍ଜନ କରୁଛି, ହାକିମି କରୁଛି । ଛି ଛି ସେ ସମ୍ମାନ, ଧିକ୍ ସେ ଧନ ଦୌଲତ !

 

ଏତିକି ବେଳେ ବିଜୟିନୀର ସେ ଦିନର ଚିତ୍ରଟା ତା ମନେ ପଡ଼ିଗଲା । ସେ ଭାବିଲା–ହାୟ ରେ ! ଏ ଜୀବନରେ ଆଉ କି ସୁଖ ? ସେ ବି ଦିନେ ମରିଯିବ ।

 

ସେ ପୋଷାକ ବଦଳାଉଛି, ଦେଖିଲା–ଅସଂଶ୍ୟ ନରନାରୀ ଜନ୍ଦା ପିମ୍ପୁଡ଼ି ପରି ଡାକବଙ୍ଗଳା ଚାରି ପାଖଯାକ ଘେରିଗଲେ । ସମସ୍ତେ ହାଁହାଁ ଖାଁଖାଁ । କିନ୍ତୁ ସରକାରଙ୍କଠାରୁ ଯାଇଥିବା ଚୁଡ଼ା ଚାଉଳ, ଲୁଣ ଲଙ୍କା, ସମୁଦ୍ରକୁ ଶଙ୍ଖେ ମାତ୍ର ।

 

ସେ ମନ ମଧ୍ୟରେ କାନ୍ଦି ପକାଇଲା । ସଂସାରରେ ତା’ର କିଛି ନାହିଁ, କେହି ନାହିଁ । ବିଜୟିନୀ ରାକ୍ଷସୀ; ତା’ର ସର୍ବସ୍ୱ ହରଣ କରି ନେଲାଣି । ତେବେ ଆଉ କାହିଁକି ? କେଉଁ ଆଶାରେ ସେ ଇନ୍ଦ୍ରଜାଲ ଭିତରେ ବୁଡ଼ି ରହିବ । ସେ ସ୍ଥିରକଲା–ନା, ଲୋକସେବା ଏ ଜୀବନର ବ୍ରତ ହେଉ । ମୋର ସମସ୍ତ ଧନ ସମ୍ପତ୍ତି ମୁଁ ଏମାନଙ୍କୁ ଦେଇ ଦେବି ।

 

ଜୀବନ ପ୍ରତି ତା’ର ଗୋଟାଏ ବିତୃଷ୍ଣା ଆସିଗଲା । ଅବଲମ୍ବନହୀନ ଜୀବନ ତା’ର । ବିଜୟିନୀର ବିଷରେ ଏତେ ଦିନଯାକେ ସେ ଘାରି ହେଉଥିଲା । ଆଜି ବିଷର ନିଶା ଛାଡ଼ିଗଲା । ତା ମନରେ ବୈରାଗ୍ୟ ଉପୁଜିଲା । ଏହା ସ୍ୱାଭାବିକ ।

 

X X X

 

ଏହିଭଳି ମାନସିକ ପରିସ୍ଥିତିରେ ସେ ସରକାରଙ୍କୁ କଅଣ ଚିଠି ଲେଖିଲା, ତହିଁରେ ସରକାରଙ୍କ ସହିତ ତା’ର ମତଭେଦ ଘଟିଲା । ସେ ସ୍ଥିରକଲା–ଚାକିରିରେ ସ୍ୱାଧୀନତା ନାହିଁ । ନିଜର ବ୍ୟକ୍ତିତ୍ୱକୁ ଜଳାଞ୍ଜଳି ଦେବାକୁ ପଡ଼େ । ସୁତରାଂ ସେ ସଙ୍କଳ୍ପ କଲା–ଚାକିରି ଇସ୍ତଫା ଦେବ ।

 

ବାଇଶ

 

ତହିଁଆର ଦିନ କୁଞ୍ଜବିହାରୀ ସାଇକେଲ ଖଣ୍ତିକ ଧରି କଟକ ବାହାରିଲା । ନିଜର ଏତେ ଦିନର ସଞ୍ଚିତ ଧନସମ୍ପଦ ଆଣି ଏ ଦରିଦ୍ର ନାରାୟଣଙ୍କ ମଧ୍ୟରେ ବିତରଣ କରି ଦେବ ବୋଲି ସ୍ଥିରକଲା । ଆଜି ସେ ଅତି ସରଳ । ଡେପୁଟି ଆଡ଼ମ୍ବର ତା’ର ନାହିଁ । ସେ ଚାଲିଛି । ମନ ମଧ୍ୟରେ ତା’ର ଭୟଙ୍କର ବିତୃଷ୍ଣା । ଉଦୁଉଦିଆ ଖରା ବେଳ । ଭୟଙ୍କର ତୃଷ୍ଣା । ସେ ଆସି ମେଣ୍ଢାପଦା ଡାକବଙ୍ଗଳାରେ ପହୁଞ୍ଚିଲା । ବିଶ୍ରାମ ନେବାଲାଗି ବାରଣ୍ତା ଉପରକୁ ଉଠିଲା ।

 

ବିଧାତାର ଲୀଳା ବିଚିତ୍ର । ଯେତେବେଳେ ମନୁଷ୍ୟ ମନ ଗୋଟିଏ ଦିଗକୁ ଗତି କରୁଥାଏ ଠିକ୍ ତେତିକିବେଳେ ତାକୁ ସେ ସେହି ମାର୍ଗର ପଥ ଦେଖାଇ ଆଗକୁ ଘେନି ଯାଏ । କୁଞ୍ଜର ମନରେ ବୈରାଗ୍ୟ ଉପୁଜିଛି । ବିଜୟିନୀର ସ୍ୱରୂପର ସେ କିଞ୍ଚିତ ଆଭାସ ପାଇ ସାରିଛି । ତା’ର ସେହି ସନ୍ଦେହକୁ ଦୃଢ଼ମୂଳ କରି ବିଜୟିନୀର ବିଭତ୍ସତା କୁଞ୍ଜ ନିକଟରେ ଉନ୍ମୋଚନ କରିଦେବା ବିଧାତାଙ୍କର ଏତିକିବେଳେ ଇଚ୍ଛା ହେଲା । ତାଙ୍କର ଉଦ୍ଦେଶ୍ୟ–କୁଞ୍ଜର ମନ ମଧ୍ୟରେ ଅଙ୍କୁରିତ ବିତୃଷ୍ଣାକୁ ଦୃଢ଼ମୂଳ କରି ବଢ଼ାଇ ଦେବା ।

 

ଘର ଭିତରକୁ ଯାଇ ଟିକିଏ ବିଶ୍ରାମ ନେବାକୁ ଇଚ୍ଛା କରି କୁଞ୍ଜବିହାରୀ କବାଟ ନିକଟକୁ ଗଲା । ଭିତରୁ ବନ୍ଦ ଅଛି । କାଠର ଝିଲିମିଲି ଟିକିଏ ଉଠାଇ ଦେଇ ସେ ଆଖି ପକାଇଲା–ବୋଧହୁଏ କୋଠି ଚୌକିଦାର ଖରା ଯୋଗେ ଭିତରୁ ବନ୍ଦକରି ଶୋଇଥିବ । କୁଞ୍ଜର ଉଦ୍ଦେଶ୍ୟ–ତାକୁ ଡାକିବ । କିନ୍ତୁ ହାୟ; କି ଦୃଶ୍ୟ ସେ ଦେଖିଲା ! ହଠାତ୍ ଭୂମିକମ୍ପ ହେଲେ ମନୁଷ୍ୟ ଏତେ ବିଚଳିତ ହୁଏ ନାହିଁ । ତା’ର ସାରା ଅଙ୍ଗ ଭୟରେ ଥରି ଉଠିଲା । କ୍ରୋଧ ଓ ଅନୁଶୋଚନାରେ ସେ ନିଆଁବାଣ ହୋଇଗଲା ।

 

ଘର ଭିତରେ ଫିତାଖଟ ଖଣ୍ତିକ ଉପରେ ଗୋଟିଏ ପୁରୁଷ ଓ ଗୋଟିଏ ନାରୀ । ପୁରୁଷ ଜଣକ ପୂର୍ବବର୍ଣ୍ଣିତ ଡାକ୍ତର ଓ ନାରୀଟି ବିଜୟିନୀ–ଯାହାକୁ ସେ ଏତେ ଦିନ ଯାକେ ସର୍ବସ୍ୱ ବୋଲି ଗ୍ରହଣ କରିଥିଲା ।

 

କୁଞ୍ଜର ମନ ହେଲା–ପଦାଘାତ କରି କବାଟ ଭାଙ୍ଗି ଉଭୟଙ୍କ ବକ୍ଷରେ ଛୁରୀ ବିଦ୍ଧ କରିଦେବ; କିନ୍ତୁ ବହୁତ କଷ୍ଟରେ ସେ ଆତ୍ମସଂଯମ କରିନେଲା । “ଲାଭ କଅଣ ? ବିଜୟିନୀ ସ୍ୱେଚ୍ଛାଚାରିଣୀ, ତା’ର ତ କେହି ନାହିଁ ।”

 

ଧୀରେ ଧୀରେ କୁଞ୍ଜ ତଳକୁ ଓହ୍ଲାଇ ଆସିଲା । ଦେଖିଲା ନିଜର ବେବି ଅଷ୍ଟନ୍‍ କାର୍‍ ଖଣ୍ତିକ ମଟର ଗେରେଜରେ ରଖା ହୋଇଛି । ଧୀରେ ଧୀରେ ସାଇକେଲ୍‍ ଖଣ୍ତିକରେ ସେ କଟକ ଚାଲି ଆସିଲା ।

 

ବାହାରେ ଭୀଷଣ ଉତ୍ତାପ । ହୃଦୟ ଭିତରେ ମଧ୍ୟ ଭୟଙ୍କର ଉତ୍ତାପ । ମନ ଭିତରେ ଚିନ୍ତାର ଉତ୍ତାପ-ତରଙ୍ଗ ଉଠୁଛି । ସେ ନିଜେ ଆରାମ ଚଉକି ଖଣ୍ତିକ ଉପରେ ବିଶ୍ରାମ କରିବାକୁ ଯାଇଁ ଉଠୁଛି ପଡ଼ୁଛି ।

 

ଏମିତି କେତେବେଳେ ସଞ୍ଜ ହେଲା । କୁଞ୍ଜ ନିଜ ମନର ଲଗାମଟାକୁ ଭିଡ଼ି ଧରି ଭାବିଲା–“ଛି, ବୃଥାଚିନ୍ତା କରି ଲାଭ କଅଣ ? ଚାକିରି ଛାଡ଼ିବି, ଏ ଘରଦ୍ୱାର ମାନମର୍ଯ୍ୟାଦା ସବୁ ଛାଡ଼ିବି; ବିଜୟିନୀକୁ ଛାଡ଼ିବି–ଚାଲିଯିବି, ନନାଙ୍କୁ ଖୋଜି ଖୋଜି ନୂଆବୋଉଙ୍କ ପାଦତଳକୁ । ମୁଁ ବଡ଼ ଅପରାଧୀ । ଅପରାଧୀର ଉପଯୁକ୍ତ ଦଣ୍ତ ପାଇଲିଣି । ଆଉ ଅଧିକ କଅଣ ହେବ ? ଚିନ୍ତାର ସ୍ରୋତରେ ସେ ଆପଣାର ବିରାଗୀଜୀବନର ସ୍ୱପ୍ନ ଦେଖିଚାଲିଲା ।

 

ବୌରାଗ୍ୟରେ ଆନନ୍ଦ ଅଛି । ସେ ଆନନ୍ଦରେ ଦୁଶ୍ଚିନ୍ତା-ଅନଳ ନିଭିଯାଏ, ମାୟାର ଶୃଙ୍ଖଳ ଛିଡ଼ିଯାଏ ।

 

ବିଜୟିନୀ ଫେରି ଆସିଲା । ସାଙ୍ଗରେ ଡାକ୍ତର ବାବୁ । କୁଞ୍ଜ କିଛି କହିଲା ନାହିଁ । ଡାକ୍ତର ନମସ୍କାର କରି ବିଦାୟ ନେଲେ । ବିଜୟିନୀ କୁଞ୍ଜ ପାଖରେ ବସି ଏଣୁ ତେଣୁ ନାନା କଥା କହି ପରୀକ୍ଷା କରିବାକୁ ଚେଷ୍ଟା କଲା–କୁଞ୍ଜର ମନରେ ଆଜି ସନ୍ଦେହ ଉପୁଜିଛି କି ଆଉ ? କିନ୍ତୁ କୁଞ୍ଜ କଥାରେ କିଛିମାତ୍ର ପରିବର୍ତ୍ତନ ଦେଖାଇଲା ନାହିଁ । ମେଣ୍ଢାପଦା ଡାକବଙ୍ଗଳାରେ କୁଞ୍ଜ ସେମାନଙ୍କୁ ଦେଖି ଆସିଛି ସତ; ମାତ୍ର ସେମାନଙ୍କ ଦୃଷ୍ଟି କୁଞ୍ଜ ଉପରେ ପଡ଼ିନାହିଁ । ସୁତରାଂ ବିଜୟିନୀ ଦେଖିଲା ସନ୍ଦେହ କରିବାର କୌଣସି କାରଣ ନାହିଁ ।

 

ବିଜୟିନୀ ପ୍ରେମାଳାପ କରିବାକୁ ଆରମ୍ଭ କଲା । ମାତ୍ର କୁଞ୍ଜ ସେଥିରେ ଯୋଗ ନ ଦେଇ କହିଲା–“ଶୁଣ ବିଜୁ ! ମୋର ବିଶେଷ ଜରୁର୍ ଅଛି । ମୁଁ କାଲି ସକାଳୁ ଫେରିଯିବି । ମୋତେ ତିନି ଚାରି ହଜାର ଟଙ୍କା ଦିଅ ।”

 

ବିଜୟିନୀ ପଚାରିଲା–“କ’ଣ ହେବ ?”

 

“ମୋର ଦରକାର ଅଛି ।”

 

“କଅଣ କହୁନ !”

 

“ମୁଁ ଦରିଦ୍ରନାରାୟଣଙ୍କ ଭିତରେ ବିତରଣ କରିବି । ହଜାର ହଜାର ଲୋକ ଖାଇବା ବିନା ମରୁଛନ୍ତି ।”

 

“ଓଃ ! ଏଇ କଥା”–ଆଦରର ଛଳନା କରି ବିଜୟିନୀ କହିଲା, “ଦାତାକର୍ଣ୍ଣ ! ଏ ବୁଦ୍ଧି ଧରିଲେ ପଇସା ହାତରେ ରହେ ନାହିଁ । ଯେଉଁମାନେ ଅନ୍ନାଭାବରେ ମରିବାକୁ ଜନ୍ମିଛନ୍ତି, ସେମାନେ ମରିବେ । ସେମାନଙ୍କ ପ୍ରତି ଦୟା ପ୍ରଦର୍ଶନ କରିବା ଦୁର୍ବଳତା ମାତ୍ର । ମୋ ପାଖରେ ଟଙ୍କା କଉଡ଼ି କିଛି ନାହିଁ । ମୁଁ ଦେଇ ପାରିବି ନାହିଁ । କ୍ଷମା କରିବ କୁଞ୍ଜବାବୁ ! ତୁମେ ସିନା ଭୋଳା ମହେଶ; ମୋର ତ ପୁଣି ଭବିଷ୍ୟତ ଚିନ୍ତା କରିବାର ଅଧିକାର ଅଛି । ତୁମେ ଦାଣ୍ତଗଲା ଲୋକ; କିନ୍ତୁ ମୁଁ ଗୃହିଣୀ । ମୋ ଦାୟିତ୍ୱ ତୁମଠାରୁ ଅଧିକ ।”

 

କୁଞ୍ଜ ହାଁ କରି ଚାହିଁ ରହିଲା; ବିଜୟିନୀ ଏତେଗୁଡ଼ାକ କଥା କହିଗଲା । କୁଞ୍ଜ ଭାବିଲା, “ହାୟ ରେ ! କପଟତାର କେତେ ବଡ଼ ମାୟା କୁହୁକ ଭିତରେ ମୁଁ ଆଜିଯାକେ ବୁଡ଼ି ରହିଛି ?”

 

କୁଞ୍ଜର ସମସ୍ତ ଆୟ ବିଜୟିନୀ ନାମରେ ଜମା ଅଛି ।

 

ବିଜୟିନୀ ଉଠି ଯାଉଥିଲା । କୁଞ୍ଜ ଆଦର କରି ବସାଇଲା । କହିଲା–“ବିଜୁ ! ମୁଁ ମନୁଷ୍ୟ । ଅର୍ଥ ଉପାର୍ଜନ କରିଛି, ବିତରଣ କରିବି । ତୁମ ନିକଟରେ ରଖିଛି । କିଛି ମୋତେ ଦିଅ, ମନା କର ନାହିଁ । ଲୋକଙ୍କ ଦୁଃଖ ଦେଖି ମୋ ହୃଦୟରେ ଭୟଙ୍କର ବାଧିଛି ।”

 

ମାତ୍ର ବିଜୟିନୀ ବଜ୍ର ଗମ୍ଭୀର ସ୍ୱରରେ କହିଲା,–‘ନା, ମୋ ଟଙ୍କା ମୁଁ ଦେବି ନାହିଁ”

 

କୁଞ୍ଜର ଭୟଙ୍କର କ୍ରୋଧ ହେଲା । ଆପଣାକୁ ସମ୍ବରଣ କରିବା ଲାଗି ସେ ସେଠାରୁ ଉଠି ଚାଲିଗଲା । ରାତିରେ ତା’ର ଖିଆ ପିଆ ହେଲା ନାହିଁ–ଦୁଃଶ୍ଚିନ୍ତାରେ । ବିଜୟିନୀ ତେବେ ‘ମାଲିକ’ ଆଉ ସେ ତା’ର ‘କିଙ୍କର !’ ସେ ତା’ର ସମସ୍ତ ଆୟ ସରଳ ଭାବରେ ବିଜୟିନୀକୁ ସମର୍ପି ଦେଲା, କିନ୍ତୁ ଆଜି ତାହା ନିକଟରେ ଭିକାରୀ ଭଳି ହାତ ପତାଇଲେ ସୁଦ୍ଧା ସେ ପଇସାଟିଏ ଦେଉ ନାହିଁ । ହାୟରେ ସଂସାର !

 

କୁଞ୍ଜକୁ ନିଦ ମାଡ଼ିଲା ନାହିଁ । ସେ ଦିନ ଦୁହିଁଙ୍କ ମଧ୍ୟରେ ପଦୁଟିଏ ହେଲେ କଥାଭାଷା ହେଲା ନାହିଁ ।

 

ତହିଁଆର ଦିନ ସକାଳେ ପୁଣି ଥରେ କୁଞ୍ଜ ମାଗିଲା–“ବିଜୟିନୀ ! ଅନ୍ତତଃ ଦୟାକରି କିଛି ମୋତେ ଦିଅ”। ମାତ୍ର ବିଜୟିନୀ ବଡ଼ ରୁଢ଼ ସ୍ୱରରେ ମନା କରିଦେଲା ।

 

କୁଞ୍ଜର ମନ ବିଷ ହୋଇଗଲା । ବିଜୟିନୀ ତେତେବେଳେ ମଟର ଘେନି ବୁଲି ବାହାରିଥାଏ । କୁଞ୍ଜ ଡାକିଲା–“ତେବେ ଶୁଣିଯାଅ ବିଜୟିନୀ !” ବିଜୟିନୀ ଫେରି ଆସି ବସିଲା ।

 

ଟେବୁଲ ଉପରୁ ଖଣ୍ତେ କାଗଜ ଟାଣି ଆଣି କୁଞ୍ଜ ଇସ୍ତଫା ଦରଖାସ୍ତ ଲେଖି ଦେଖାଇଲା–ଦେଖ ବିଜୟିନୀ ! ଆଜି ମୁଁ ଇସ୍ତଫା ଦାଖଲ କଲି । ଚାକିରି ଛାଡ଼ିବାର ସ୍ଥିର ସଂକଳ୍ପ କରି ଆସିଛି । ତୁମକୁ ମଧ୍ୟ ମୁଁ ଆଜି ଚିହ୍ନିଲି । ସେଦିନ ମୁଁ ରୋଗ-ଶଯ୍ୟାରେ ପଡ଼ି ତୁମକୁ ଡାକ୍ତର ବାବୁଙ୍କ ବକ୍ଷ ଉପରକୁ ଢଳିପଡ଼ି ଚୁମ୍ବନଗ୍ରହଣ କରିବାର ଦେଖିଲି । କାଲି ମଧ୍ୟ ମେଣ୍ଢାପଦା ଡାକବଙ୍ଗଳାରେ ତୁମ ଦୁହିଁଙ୍କୁ ଏକ ଶଯ୍ୟା ଉପରେ ଦେଖି ଆସିଛି । ମାୟାବିନୀ ! ଆଜି ଯାକେ ତୁମେ ମୋତେ ଭୁଲାଇ ରଖିଥିଲ । ଆଉ ନୁହେଁ; ତୁମେ ବର୍ତ୍ତମାନ ଚିରଦିନ ପାଇଁ ମୋ ଠାରୁ ବିଦାୟ ଘେନି ପାର ।”

 

ଅନ୍ୟ କୌଣସି ନାରୀ ହୋଇଥିଲେ କାନ୍ଦି ଗଡ଼ି ଯାଇ ଥାଆନ୍ତା; କିମ୍ବା ସେହିଠାରେ ମରି ପଡ଼ି ଥାଆନ୍ତା । ମାତ୍ର ବିଜୟିନୀ ହୋ-ହୋ ହୋଇ ହସି ଉଠିଲା ।

 

ପ୍ରେତ ଏହି ଭଳି ହସେ ବୋଲି ଶୁଣାଯାଏ । ସେ ଦେଖିଲା–ଆଉ ଆଶା ନାହିଁ । କହିଲା, “କୁଞ୍ଜବାବୁ ! କଥାଗୁଡ଼ାକ ଟିକେ ସଂଯତ କରି ନିଅନ୍ତୁ । ବିଜୟିନୀ କାହାର କିଣା ଦାସ ନୁହଁ-। ଏଇ ମୁହୂର୍ତ୍ତରୁ ଛାଡ଼ି ଚାଲି ଯାଇପାରେ । ଏ ଘରଦ୍ୱାର, ଦାସଦାସୀ, ଟଙ୍କାକଉଡ଼ି, ମଟରଗାଡ଼ି, ସାଜସରଞ୍ଜାମର ଅଧିକାରୀ କୁଞ୍ଜବାବୁ, ତୁମେ ନୁହଁ; ମୁଁ ।”

 

କୁଞ୍ଜର ଏତେଦିନକେ ଚେତା ଆସିଲା । ବାସ୍ତବିକ ସେ ସମସ୍ତ ସମ୍ପତ୍ତି, ଘରଦ୍ୱାର, ମଟରଗାଡ଼ି, ସବୁଯାକ ବିଜୟିନୀ ନାମରେ କିଣିଛି । ତାହାରି ନାମରେ ମଧ୍ୟ ଟଙ୍କା କଉଡ଼ି ଜମା ରଖିଛି । ନିଜ ହାତରେ ଗୋଟିଏ ମାତ୍ର ପାହୁଲା ନାହିଁ ।

 

ସେ ଚମକି ଉଠିଲା ।

 

ବିଜୟିନୀ ବିଜୟ ଗର୍ବରେ ବରଣ୍ତା ଉପରେ ହାଇହିଲ୍‍ ଜୋତାର ଶବ୍ଦ ସୃଷ୍ଟି କରି କହିଲା–“କୁଞ୍ଜବିହାରୀ ବିଜୟିନୀର ଆଶ୍ରିତ କିଙ୍କର ମାତ୍ର, ଏକଥା ଭୁଲି ଯାଅନା ବନ୍ଧୁ ! ବିଜୟିନୀ ସ୍ୱାଧୀନା ନାରୀ । ତା’ର ଇଚ୍ଛାରେ ଯେ ଯଥା ତଥା ଯାହା ତାହା ସାଙ୍ଗରେ ବିଚରଣ କରି ପାରେ । ତହିଁରେ ପଦୁଟିଏ କଥା କହିବାରେ କାହାରି ଅଧିକାର ନାହିଁ ।”

 

କୁଞ୍ଜ ଭାବିଲା ବାସ୍ତବିକ ବିଜୟିନୀ ତା’ର ସ୍ତ୍ରୀ ନୁହେଁ, କିମ୍ବା ତାହା ଭଳି ନିର୍ବୋଧ ନୁହେଁ ।

 

ତେଇଶ

 

ଦିନ ଗଲା, ରାତି ଆସିଲା । କୁଞ୍ଜ ଇସ୍ତଫା ଖଣ୍ତିକ ଅଫିସିକୁ ପଠାଇ ଦେଲା । ସହରଯାକ ଗୋଟିଏ ଚାଞ୍ଚଲ୍ୟ ଖେଳିଗଲା । କେତେ ବନ୍ଧୁ, କେତେ ଆତ୍ମୀୟ ଆସି ବୁଝାଇଲେ–“କୁଞ୍ଜବାବୁ ! ଇସ୍ତଫା ପ୍ରତ୍ୟାହାର କର । ଏଭଳି ଚାକିରି ଭାଗ୍ୟରେ ଥିଲେ ମିଳେ । ମାତ୍ର କୁଞ୍ଜ କାହାରି କଥା କାନକୁ ନେଲା ନାହିଁ । ଅଖିଆ ଅପିଆ ଦିନଟି କଟାଇଲା । ଘର ବାହାରେ ଆଜି ଲୋକାରଣ୍ୟ । କିଏ କେତେ କଥା କହିଲା; କିନ୍ତୁ କୁଞ୍ଜ କାହାରିକୁ କିଛି କହିଲା ନାହିଁ-

 

ସମସ୍ତେ କହିଲେ ସେ ବାତୁଳ । ମାତ୍ର କୁଞ୍ଜ ଭାବିଲା ଦୁନିଆ ବାତୁଳ । ଏ ଘରଦ୍ୱାର, ଗାଡ଼ି, ଘୋଡ଼ା, ଆସବାବ୍‍ପତ୍ର, ଦାସଦାସୀ ସମସ୍ତେ ଆଜି ତାହା ନିକଟରେ ଘୃଣ୍ୟ, ନିତାନ୍ତ ତୁଚ୍ଛ । ବିଜୟିନୀ ବିଜୟ ଦର୍ପରେ ମଟର ନେଇ ବୁଲିବାକୁ ଚାଲିଗଲା । ଭ୍ରମରେ ସୁଦ୍ଧା ପଛକୁ ଅନାଇଲା ନାହିଁ ।

 

ହାୟରେ ସଂସାର ! ଯାହା ସହିତ ଦଣ୍ତେ କଥାଭାଷା ହୁଏ, ତା’ର ବି ଟିକିଏ ମାୟା ଲାଗିଯାଏ । ଏତେଦିନ ଏକାଠି ଥିଲେ ସ୍ୱାମୀ-ସ୍ତ୍ରୀ ଭଳି କୁଞ୍ଜ ଓ ବିଜୟିନୀ; ମାତ୍ର ସେ କୁଞ୍ଜକୁ ଆଜି ପଦେ ମାତ୍ର କଥା କହିଲା ନାହିଁ । ମଧୁଭାଣ୍ତରୁ ମଧୁ ସରି ଯାଉଛି । ଆଜି ଆଉ ଆବଶ୍ୟକ କ’ଣ କଥାଭାଷାରେ ?

 

ବିଜୟନୀ କୁଞ୍ଜ ନିକଟରେ ଆବଦ୍ଧ ହୋଇ ରହିବାର ଉଦ୍ଦେଶ୍ୟ ଘେନି ଆସି ନ ଥିଲା । ତା’ର ଉଦ୍ଦେଶ୍ୟ ସଫଳ ହୋଇଛି । ଇଚ୍ଛା ଥିଲା ଆଉ କିଛି ସଂଗ୍ରହ କରିବ, କିନ୍ତୁ ଆଉ ଆଶା ନାହିଁ ।

 

କୁଞ୍ଜ ଏକ ଧ୍ୟାନରେ ବସି ଦିନ ସାରା ଭାବିଲା–ଏ ଘରଦ୍ୱାର, ଟେବୁଲ ଚୌକି ଓ ବରଣ୍ଡା ଅଗଣାର ପ୍ରତି ଧୂଳିକଣା ପ୍ରର୍ଯ୍ୟନ୍ତ ପାପ କଳୁଷରେ ପୂର୍ଣ୍ଣ । ଆଉ କାହିଁକି ସେ ଏ ମାୟା କୁହୁଡ଼ି ଭିତରେ ଅଣ୍ଡାଳି ହେବ ? ବିଷଜ୍ଜ୍ୱାଳାରେ ଅଧିକ ଘାରି ହେବା ଉଚିତ ନୁହେଁ । ଏ ପାପର ପ୍ରାୟଶ୍ଚିତ୍ତ କରିବାକୁ ହେବ ତାକୁ ।

 

ସମସ୍ତ ମାୟାର ଡୋରି ଛିଡ଼ାଇ ସେ ଉଠି ଛିଡ଼ା ହେଲା । ଡ୍ରଇଂ ରୁମ୍‍ରୁ ଯାଇ ଖଣ୍ଡିଏ କାଗଜ କାଢ଼ି ଲେଖିଲା–

 

ବିଜୟିନୀ !

 

ପିତାମାତା ତୁଲ୍ୟ ଭାଇଭାଉଜ ଓ ଧର୍ମପତ୍ନୀ ଜାହ୍ନବୀକୁ ଛାଡ଼ି ଆସିଥିଲି । ତା’ର ଉପଯୁକ୍ତ ଶାସ୍ତି ଦେଲ ତୁମେ । ତୁମେ ମୋର ଗୁରୁ, ଉପଯୁକ୍ତ ଶିକ୍ଷା ଦେଇଛ ।

 

ତୁମେ ଗଣିକା, ଆଉ ମୁଁ ଅନ୍ଧ । ତୁମର ଶରୀରଦାନର ମୂଲ୍ୟ ସ୍ୱରୂପ ମୋର ଏ କୋଠାବାଡ଼ି, ମଟରଗାଡ଼ି ଓ ଟଙ୍କାକଉଡ଼ି ତୁମକୁ ଦେଇଗଲି । ଅବଶ୍ୟ ତୁମ ନାମରେ ସେ ସବୁ କିଣା ଓ ଜମା ଅଛି ।

 

ତୁମର ଭାଇ ବୈକୁଣ୍ଠ ମୋର ସହପାଠୀ । ସେ ମୋର ଯେଉଁ ଉପକାର କରିଛନ୍ତି, ସେଥିଲାଗି ତାଙ୍କ ନିକଟରେ ଚିରଋଣୀ ରହିଲି । ଇତି ।

 

ତୁମର

ଅନ୍ଧ ସ୍ତାବକ

କୁଞ୍ଜବିହାରୀ

 

ଚିଠି ଖଣ୍ଡିକ ଚାକର ହାତରେ ଦେଇ କୁଞ୍ଜ କହିଲା–“ମାଆଙ୍କୁ ଦେଇଦେବୁ ।”

 

ଚାକରବାକରଙ୍କୁ ଡାକି କହିଲା, “ଭାଇମାନେ ! କେତେବେଳେ ତୁମମାନଙ୍କ ମନରେ କଷ୍ଟ ଦେଇଥିବି, ମୋତେ କ୍ଷମା କରିବ ।” ସମସ୍ତେ କାନ୍ଦି ପକାଇଲେ ।

 

କୁଞ୍ଜ ସାଧା ଧୋତି ପଞ୍ଚାବି ଖଣ୍ଡିଏ ପିନ୍ଧି ଘର ଛାଡ଼ି ଚାଲି ଆସିଲା । ସମସ୍ତେ ଚାହିଁ ରହିଲେ ତାଟକା ହୋଇ ।

 

X X X

 

କୁଞ୍ଜ ଗୋଟିଏ ମେସରେ ଆସି ଆଶ୍ରୟ ନେଲା–ଦୀନ ଦୁଃଖୀ ଭଳି । ସେଠାରେ ମଧ୍ୟ କିଏ କେତେ ପ୍ରକାର ବୁଝାଇଲେ, ମାତ୍ର ସେ ଇସ୍ତଫା ଫେରାଇ ଆଣିଲା ନାହିଁ ।

 

ଶେଷରେ ଇସ୍ତଫା ଗୃହିତ ହେଲା । ଚାର୍ଯ ଦିଆନିଆ ସରିଲା । କୁଞ୍ଜ କାଠଯୋଡ଼ି ବନ୍ଧ ଉପରେ ବସି ଶୂନ୍ୟ ଗଗନକୁ ଚାହିଁ ଭାବିଲା–ସେ ଆଜି ସ୍ୱାଧୀନ ଓ ମୁକ୍ତ ।

 

ଚବିଶ

 

ନିଜର ଅନୁଶୋଚନାରେ ଆଜି ପାଗଳ । ସେ ପିତୃସମ ଭାଇଭାଉଜଙ୍କ ପାଦ ତଳେ ଅପରାଧୀ । ଅଖିଆ ଦରଖିଆ କିଛିଦିନ ସହରରେ କଟିଲା । କାହାରିକୁ ସେ କିଛି କହେ ନାହିଁ । ମନକୁମନ କଅଣ ଗୁଡ଼ାଏ ବକେ । ଖରାରେ ତରାରେ କେଶ ମୁକୁଳା ଦେହ ଶୁଖିଲା ଶୁଖିଲା କରି ସେ ଘୂରିବୁଲେ–ସେ ଅପରାଧୀ । ମନୁଷ୍ୟ ନୁହଁ ସେ ପଶୁ–ରାକ୍ଷସ । ଏହି ଚିନ୍ତାରେ ସେ ସମ୍ପୂର୍ଣ୍ଣ ବାତୁଳ ହୋଇଗଲା । ଦିନେ ତା’ର ମନେହେଲା–ସେ ଯିବ ନନା ନୂଆବୋଉଙ୍କ ପାଦତଳେ ମୁଣ୍ଡପିଟି କ୍ଷମା ମାଗିବାକୁ ।

 

ସେଦିନ ସଞ୍ଜବେଳେ ସେ ଛିଣ୍ଡା ମଇଳା ପିନ୍ଧି ଗ୍ରାମ ଉଦ୍ଦେଶ୍ୟରେ ଧାଇଁଲା । ବାଟରେ ଦେଖାଗଲା ନିଜର ସହରସ୍ଥ କୋଠା ଘରର ଆଲୋକ । ବିଜୟିନୀ ଉପର ମହଲାରେ ବୁଲୁଛି । ଘୃଣାରେ ନାସିକା ତା’ର କୁଞ୍ଚିତ ହୋଇଗଲା । ସେ ଆଖି ବୁଜି ଧାଇଁଲା–କାଳେ ସେ ଘରଦ୍ୱାରର ମାୟାଡୋରି ତାକୁ ପୁଣି ପଛକୁ ଓଟାରିବ । ସେ ଧାଇଁଲା । ବାଟ ନାହିଁ, ଅବାଟ ନାହିଁ; କଣ୍ଟାଝଣ୍ଟାରେ ଲାଗି ଲୁଗାପଟା ଛିଡ଼ି ଯାଉଛି, ହାତ ଗୋଡ଼ରୁ ରୁଧିର ବହୁଛି । ବେଳେ ବେଳେ ବିଳିବିଳି ହୋଇ କଅଣ ଗୁଡ଼ାଏ ସେ ବକୁଚି କେତେବେଳେ ଗାଁ ପିଲା ଲୁଗା କାନି ଧରି ଟାଣି ଦେଉଛନ୍ତି । କେତେବେଳେ ଅବା ଟେକା ଫୋପାଡ଼ୁଛନ୍ତି ତାହାରି ଉପରକୁ । ସେ ପାଗଳ; ଲକ୍ଷ୍ୟ ତା’ର ଭାଇଭାଉଜଙ୍କ ପାଦତଳେ ।

 

ତହିଁଆର ଦିନ ସନ୍ଧ୍ୟାବେଳେ କୁଞ୍ଜ ଆସି ଗ୍ରାମରେ ପହଞ୍ଚିଲା । ଶୀତଳ ପବନ ବାଜି ମସ୍ତିଷ୍କ ତା’ର ଟିକିଏ ସ୍ଥିର ହେଲା । ସେ ଦେଖିଲା ଭାଇଭାଉଜଙ୍କ ବଦଳରେ ଘରେ ତାଙ୍କର ଅଛନ୍ତି ଆଉ କେତେଗୁଡ଼ିଏ ଲୋକ । ପଚାରିବାରୁ ସେମାନେ କହିଲେ “ରାହାସ ପିଲାପିଲି ନେଇ ଗ୍ରାମ ଛାଡ଼ି କେତେ ଦିନରୁ ଚାଲି ଗଲେଣି । ଘର ବାଡ଼ି ସବୁ ନିଲାମ ହୋଇଗଲାଣି ।’’

 

କୁଞ୍ଜ ମୁଣ୍ଡରେ ହାତ ଦେଇ ବସିପଡ଼ିଲା । ଆଖି ଦି’ଟାରୁ ଅଝର ଝର ଲୁହ ଝରିଲା । ମୁଣ୍ଡର ବାଳଗୁଡ଼ାକୁ ସେ ବିଦାରି ଛିଣ୍ଡାଇ ପକାଇଲା । ଲୋକମାନଙ୍କୁ ବିକଳ ଲାଗିଲା । ସେମାନେ କହିଲେ, “ରାହାସ ବର୍ତ୍ତମାନ ମଧୁବନରେ ଆଶ୍ରମ କରି ଅଛନ୍ତି । ତୁମେ ସେହିଠାକୁ ଯାଅ ।”

 

କୁଞ୍ଜ ଅନ୍ଧକାର ମଧ୍ୟରେ ଆଶାର ଆଲୋକ ପାଇଲା । ମଧୁବନ ସେଠାକୁ ପାଞ୍ଚ କୋଶ ବାଟ । ପୁଣି ଦୁଇ ଦିନ ହେଲା ସେ କିଛି ଖାଇ ନାହିଁ । ତୃଷାରେ କଣ୍ଠ ତାଳୁ ତା’ର ଶୁଖି ଯାଉଛି । ସେ ଗିଲାସେ ପାଣି ମାଗିଲା ।

 

ସେମାନେ କିଛି ଖାଇବା ନିମନ୍ତେ ଅନୁରୋଧ କଲେ; ମାତ୍ର କୁଞ୍ଜ ଶୁଣିଲା ନାହିଁ । ପାଣିଟିକେ ପିଇ ଅନ୍ଧକାର ମଧ୍ୟରେ ସେ ପାଗଳ ପରି ଧାଇଁଲା । ଆଜୀବନ ବିଳାସରେ ଲାଳିତ ପାଳିତ ସେ, ମୁକ୍ତ ପାଦରେ ଧାଇଁଲା । କଣ୍ଟା ପଶି ପାଦ ଦୁଇଟା ସିଇଁ ହୋଇ ଯାଇଥାଏ । ହଠାତ୍ ଗୋଟାଏ ଆମ୍ୱଗଛର ଗଣ୍ଡିରେ ସେ ପିଟି ହୋଇଗଲା । ମୁଣ୍ଡ ଫାଟି ରକ୍ତ ବୋହି ସାରା ଅଙ୍ଗ ତା’ର ତିନ୍ତିଗଲା, ଲୁଗାପଟା ବୁଡ଼ିଗଲା; କିନ୍ତୁ ସେଥିପ୍ରତି ଭ୍ରୂକ୍ଷେପ ନାହିଁ ତା’ର ବାଟରେ କେତେ ଠାଆ ସେ ପଡ଼ିଲା, ଲୁଗାପଟା ଚିରି ଧୂଳିଧୂଳା ହୋଇଗଲା–ସେଥିପ୍ରତି ଲକ୍ଷ୍ୟ ନାହିଁ । କେବେଳ ତା’ର ଗୋଟିଏ ମାତ୍ର ଆଶା ଓ ଗୋଟିଏ ମାତ୍ର ଲକ୍ଷ୍ୟ–ଭାଇନା ଓ ନୂଆବୋଉ । ଅତି ବିକଳରେ ସେ ବାରମ୍ୱାର ଚିତ୍କାର କରି ଡାକିଲା–“ଭାଇନା, ଭାଇନା !’’ “ ନୂଆବୋଉ, ହେ ନୂଆବୋଉ !”

 

କିନ୍ତୁ ମଧୁବନ ସେଠାରୁ ବହୁତ ଦୂରରେ ।

 

“ଭାଇନା, ଭାଇନା, ହେ ନୂଆବୋଉ !” ବିକଳ କଣ୍ଠରେ ଡାକି ଡାକି କୁଞ୍ଜ ଧାଇଁଲା । ଘୋର ଅନ୍ଧକାର, ନିଶା ଗରଜୁଛି । ଗ୍ରାମବାସୀଏ ନିଦ୍ରା ତେଜି କାନ ଡେରିଲେ । ବିକଳରେ ଆଖିପତା ଓଦା ହୋଇଗଲା । କିନ୍ତୁ କୁଞ୍ଜ ଧାଇଁଛି ଏକ ନିଃଶ୍ୱାସରେ । ଆଶ୍ରମ କେଉଁଠାରେ ଜାଣେନା । କେବଳ ପିଲାଦିନେ ଥରେ ଦୁଇ ଥର ସେ ମଧୁବନ ଗ୍ରାମକୁ ଯାଇଥିଲା; ଏତିକି ମାତ୍ର ।

 

ତିନି ପ୍ରହର ରାତି । କୁଞ୍ଜର କଣ୍ଠ ପଡ଼ିଗଲାଣି’ ହାତ ଗୋଡ଼ ଅବଶ ହୋଇ ଆସିଲାଣି । ସେ ଡାକିଲା “ଭାଇନା, ଭାଇନା ହୋ !”

 

କିଏ ଜଣେ ଉତ୍ତର ଦେଲା “କିଏ ବାବା ?” କୁଞ୍ଜର ଅତି ନିକଟରେ ସେ ଶବ୍ଦ । କୁଞ୍ଜ ସେତେବେଳକୁ ଶରୀରର ସମସ୍ତ ଶକ୍ତି ହରାଇ ସାରିଲାଣି । ସେ କେବଳ ଏତିକି ମାତ୍ର ବାରିଲା ଯେ, ସେ ଶବ୍ଦ ତା’ର ଭାଇନା ରାହାସଙ୍କର । କୁଞ୍ଜ ଦୁଲ୍‍କିନା ତଳେ ପଡ଼ି ଜ୍ଞାନ ହରାଇଲା ।

 

ଅବସ୍ଥା ବୁଝିପାରି ଦୁଇ ହାତରେ ରାହାସ କୁଞ୍ଜର ଅଙ୍ଗଟିକୁ ଉଠାଇ ଆଶ୍ରମ ଭିତରକୁ ଘେନି ଗଲେ । ପାଖରେ ଆଶ୍ରମ । ଶବ୍ଦ ଶୁଣି ସୁକୁମାରୀ ଜାଗ୍ରତ ଥିଲେ । ଆଲୁଅଟିଏ ଆଣି ଯାହା ଦେଖିଲେ ତହିଁରେ ସ୍ତମ୍ଭୀଭୂତ ହୋଇ ଯିବାର କଥା ।

 

କୁଞ୍ଜ ଯେ ଦିନେ ଫେରି ଆସିବ, ଏକଥା ରାହାସ ଆଗରୁ ଜାଣିଥିଲେ । ସୁକୁମାରୀ ମଧ୍ୟ ଜାଣିଥିଲେ, କିନ୍ତୁ ଏଭଳି ଅବସ୍ଥାରେ ଓ ଅବେଳାରେ ସେ ଯେ ଆସି ପହଞ୍ଚିବ, ଏକଥା କଳ୍ପନାର ବାହାରେ ।

 

ପଚିଶ

 

ପ୍ରଭାବତୀ ସ୍ତୋତ୍ର ପାଠ ଶେଷ ହୋଇଛି । କୁଞ୍ଜ ଆଖି ମେଲି ଚାହିଁ ଦେଖିଲା, ମୁଣ୍ଡଟିକୁ ତା’ର କୋଳ ଉପରେ ରଖି ବସିଛନ୍ତି ନୂଆବୋଉ–ଗୋଟିଏ ହାତ ତା’ର ଧରି ଧୀରେ ଧୀରେ ଆଉଁସି ଦେଉଛନ୍ତି । ଆଉ ପାଦ ଦୁଇଟିକୁ କୋଳ ଉପରେ ରଖି ବସିଛି ଜାହ୍ନବୀ । କୁଞ୍ଜ ସମ୍ଭାଳି ପାରିଲା ନାହିଁ; ଲୋତକ ଢାଳି ପକାଇଲେ, ଆଉ କାନ୍ଧିଲା ଜାହ୍ନବୀ ।

 

ବାହାରେ ଛିଡ଼ା ହୋଇ ରାହାସ ଅଶ୍ରୁ ଢାଳିଲେ ।

 

ହାତରେ ଅଣ୍ଡାଳି ନୂଆବୋଉ ପାଦର ଧୂଳି ଆଣି କୁଞ୍ଜ ମୁଣ୍ଡରେ ମାରିଲା–ମୁଣ୍ଡ ଉଠାଇବାର ଶକ୍ତି ନାହିଁ । “ନୂଆବୋଉ ! ତୋ କୋଳରେ ମୁଁ ବଢ଼ିଛି । ତୁଇ ମୋର ମାଆ; ମୋତେ କ୍ଷମା ଦେ ।”

 

ସୁକୁମାରୀ ପଣନ୍ତ କାନିରେ କୁଞ୍ଜର ଲୁହ ପୋଛିଦେଇ କହିଲେ–“ତୁନି ହ, ବାବା ! ବାୟାଧନ ମୋର ! ମୋ କୋଳକୁ ଫେରି ଆସିଛୁ, ଏତିକି ମୋର ଢେର୍ । ଆଉ ମୁଁ କିଛି ଚାହେଁ ନାହିଁ । ବିଧାତା ସୁବୁଦ୍ଧି ଦିଅନ୍ତୁ–ଦେହ ଭଲ ହୋଇଯାଉ ।”

 

କୁଞ୍ଜ ଡାକିଲା–“ଭାଇନା !” ଉଚ୍ଚରେ କଥା କହିବାର ଶକ୍ତି ନାହିଁ ତା’ର । ରାହାସ ଆଖି ପାଖରେ ଛିଡ଼ା ହେଲେ । କୁଞ୍ଜ ଉଠିପାରିଲା ନାହିଁ । ଆଖି ଛଳ ଛଳ କରି କେବଳ ବିକଳରେ ଡାକିଲା, “ଭାଇନା !” ରାହାସ ବୁଝିଲେ, ଏଇ ଡାକଟିରେ କେତେ କଥା ଅଛି–କ୍ଷମାପ୍ରାର୍ଥନା, ଅନୁତାପ ଓ ପ୍ରାଣର ଆବେଗ ।

 

ସେ ଆଶ୍ୱାସନା ଦେଇ କହିଲେ, ‘‘ଚିନ୍ତା ନାହିଁ ବାବା ! ପିଲାବେଳେ ମନୁଷ୍ୟ ବହୁତ ଭୁଲ୍‍ କରିଥାଏ । ସେହିକଥା ନେଇ ଚିରଦିନ ଭାବିତ ହେବା ଆଦୌ ଉଚିତ ନୁହେଁ । ଦେହ ବେଶି ଖରାପ ହେବ । ସ୍ଥିର ହୋଇ ଶୋଇପଡ଼ । ଭଲ ହୋଇ ଯା, ତା’ପର ସବୁ କଥା ।”

 

ରାହାସ ଅନ୍ୟତ୍ର ଚାଲିଗଲେ ।

 

କୁଞ୍ଜ ଏଥରକ ଡାକିଲା–“ନବୀ !”

 

ଅଭିମାନିନୀ ଜାହ୍ନବୀର ପ୍ରାଣରେ କେତେ ଅଭିମାନ ସଞ୍ଚିତ ଥିଲା । କିନ୍ତୁ ସବୁ ପାଣି ହୋଇଗଲା । ସେ ସ୍ଥିର କରିଥିଲା, ଏ ଜୀବନରେ କେବେ ଯଦି ‘ତାଙ୍କ’ ସହିତ ଦେଖାହୁଏ ତେବେ ସେ କେବେହେଁ କଥା କହିବ ନାହିଁ, ତାଙ୍କୁ ସେ ଛୁଇଁବ ନାହିଁ–କାରଣ ସେ ତ୍ୟାଗ କରିଯାଇଛନ୍ତି ବୋଲି ନୁହଁ, ଇତର ଗଣିକା ସହିତ ବାସକରି ଚରିତ୍ର ହରାଇଛନ୍ତି ବୋଲି । କିନ୍ତୁ ଆରାଧ୍ୟ ଦେବତାଙ୍କୁ ଏଭଳି ଅବସ୍ଥାରେ ଦେଖି ତା’ର ସବୁ ଦମ୍ଭ ଚୁର୍‍ମାର୍‍ ହୋଇଗଲା । ସୁକୁମାରୀ ଶାସନ କରି କହିଲେ–“ଦେଖ ମା ! ସେ ଆସିଛି କେମିତି ଅବସ୍ଥାରେ । ତା ମନରେ ତୁ ଆଦୌ କଷ୍ଟ ଦେବୁ ନାହିଁ । ହିନ୍ଧୁ ନାରୀ ତୁ; ସ୍ୱାମୀ ଯାହା ହେଉନା କାହିଁକି ତୁ ତା’ର ଚରଣ ଦାସୀ ।”

 

କୁଞ୍ଜ ଡାକିଲା–“ନବୀ !”

 

ନବୀର ଆଖିର ଧାର ଆଉ ମାନିଲା ନାହିଁ । ପଦଦଳିତା, ଅବହେଳିତା, ଲାଞ୍ଛିତା, ପରିତକ୍ତା ନବୀକୁ ପୁଣି କାହିଁକି ସେ ଡାକୁଛନ୍ତି ? ସେ ମୁହଁ ବୁଲାଇ ବସି କାନ୍ଦିଲା ।

 

କୁଞ୍ଜ ପୁଣି ଡାକିଲା–“ଜାହ୍ନବୀ ! ମୁଁ ପତିତ, ପାତକୀ ତୁମେ, ଜାହ୍ନବୀ । ମୁଁ ବଡ଼ ଭୁଲ୍ କରିଛି । ତୁମେ ଦେବୀ; କିନ୍ତୁ ମୁଁ ତୁମର ଅଯୋଗ୍ୟ ସ୍ୱାମୀ । ତୁମର ପାଣି ସ୍ପର୍ଶ କରି ମୁଁ ପ୍ରାୟଶ୍ଚିତ୍ତ କରିବି; ତୁମେ ମୋତେ କ୍ଷମା କର ।”

 

ଅଭିମାନିନୀର ସବୁ ମାନ ତୁଟି ଗଲା । କୁଞ୍ଜର ପାଦ ଦିଓଟି ଉପରେ ଶିର ତା’ର ଢଳି ପଡ଼ିଲା । ସେ କାନ୍ଦିଲା, ଆଉ ଅଶ୍ରୁଜଳରେ କୁଞ୍ଜବିହାରୀର ପାଦ ଧୋଇଲା ।

 

ଛବିଶ

 

ଜାହ୍ନବୀର କଥାହିଁ ରହିଲା । କୁଞ୍ଜ ଭାଇଭାଉଜଙ୍କ ପାଦ ତଳକୁ ଫେରି ଆସିଲା । ଖବର ପାଇ ଚନ୍ଦ୍ରଶେଖର ଧାଇଁ ଆସିଲେ । ମଧୁବନ ଆଶ୍ରମ ଖଣ୍ଡିକ ହସିଉଠିଲା । ଚନ୍ଦ୍ରଶେଖରଙ୍କ ଚରଣଧୂଳି ମୁଣ୍ତରେ ମାରି କୁଞ୍ଜ କହିଲା–“ବାପା, ମୋତେ କ୍ଷମା ଦିଅନ୍ତୁ ।” ଚନ୍ଦ୍ରଶେଖର ଆଶୀର୍ବାଦ କଲେ ।

 

କଂଗ୍ରେସ ବାନା ସ୍ପର୍ଶ କରି କୁଞ୍ଜ ଶପଥ କଲା–“କଂଗ୍ରେସହିଁ ମୋର ଜୀବନର ଅବଲମ୍ବନ; ଦେଶସେବାହିଁ ମୋର ବ୍ରତ ।” ଜାହ୍ନବୀ ଆପଣା କଟା ସୂତାର ଖଦଡ଼ ଆଣି ପିନ୍ଧିବାକୁ ଦେଲା; କୁଞ୍ଜ ଗ୍ରହଣ କଲା । ଚନ୍ଦ୍ରଶେଖର ଆସି ଯୋଗ ଦେଲେ ସେହି ଆଶ୍ରମରେ ।

 

ସମସ୍ତେ ସେହି ଦିନଠାରୁ ଏକ ହୋଇ ଦେଶସେବାରେ ଲାଗି ପଡ଼ିଲେ ।

 

ପରିବର୍ତ୍ତନ ଯାହା ଜୀବନରେ ଆସେ, ଠିକ୍ ଏହିଭଳି ଆସେ । କୁଞ୍ଜ ଦେଖିଲା–ଆଜିଯାକେ ସେ ଥିଲା ଗୋଟିଏ ଛୋଟ ବାଳକତୁଲ୍ୟ ଚପଳ, ଅବ୍ୟବସ୍ଥିତ ଚିତ୍ତ, ଅପରିଣାମଦର୍ଶୀ ଯୁବକ । କ୍ଷଣିକ ଉତ୍ତେଜନାରେ ସେ ନରକର ଗଭୀର ଗହ୍ୱର ମଧ୍ୟକୁ ଡେଇଁ ପଡ଼ିଥିଲା । ପିଶାଚୀର କରାଳ କବଳରେ ପଡ଼ି ମନୁଷ୍ୟତ୍ୱ ହରାଇ ଥିଲା । ପ୍ରଭୁତ୍ୱର ମାୟାରେ ପଡ଼ି ସେ ଅନ୍ଧ ହୋଇଥିଲା-। କିନ୍ତୁ ଆଜି ସେ ଉଦ୍ଧାର ପାଇଛି; ଆଜି ସେ ମୁକ୍ତ ।”

 

ତାକୁ ଭାରୀ ହସ ମାଡ଼ିଲା–ଛି ଛି ! ସ୍ୱପ୍ନରେ ପଡ଼ି ବୃଥାଟାରେ କେତେଗୁଡ଼ାଏ ଦିନ ନଷ୍ଟ ହୋଇଗଲା !!

 

କୁଞ୍ଜ ଦେଖିଲା–ଯେଉଁ ଜାହ୍ନବୀଙ୍କୁ ସେ ତ୍ୟାଗ କରି ଯାଇଥିଲା, ସେ ମାନବୀ ନୁହେଁ–ଦେବୀ । ବାହାରର ଆବରଣ ତା’ର କର୍କଶ; କିନ୍ତୁ ଯେତେ ଭିତରକୁ ସେ ପ୍ରବେଶ କଲା, ତେତେ ସେ ମୁଗ୍ଧ, ପୁଲକିତ ହେଲା । ବିଜୟିନୀକୁ ଦେଖି କୁଞ୍ଜ ଦିନେ ବାତୁଳ ହୋଇଥିଲା, ମଦୁଆ ମଦ ପିଇ ବାତୁଳ ହେଲା ପରି । କିନ୍ତୁ ଆଜି ଜାହ୍ନବୀକୁ ପାଇ ସେ ପାଗଳ ହେଲା, ଯେମିତିକି ମୁଗ୍ଧ କବି ଅନନ୍ତ ସାଗର ଦେଖି ପାଗଳ ହୁଏ ।

 

ସବୁ କଥା ହେଲା, କିନ୍ତୁ ଓଡ଼ିଆ ଘରର ଗୋଟାଏ କଥା ଜାହ୍ନବୀ ମାନି ନେଇ ପାରିଲା ନାହିଁ । ରାହାସ ତାଙ୍କର ଦେଢ଼ଶୁର, କିନ୍ତୁ ସେ ନିଃସଙ୍କୋଚ ଚିତ୍ତରେ ତାଙ୍କୁ ଡାକେ ‘ବାବା’ ବୋଲି । ତାଙ୍କ ସହିତ କଥା କହେ, ତାଙ୍କର ସେବା କରେ । ସୁକୁମାରୀଙ୍କୁ ସେ ଡାକେ ‘ବୋଉ’ ବୋଲି ।

 

X X X

 

ଦିନେ ଆଶ୍ରମର ଗୋଟିଏ ଗଛ ଛାଇରେ ବସି ନବୀ ସୂତା କାଟୁଛି; କୁଞ୍ଜ ତା ପାଖରେ ବସିଥାଏ । ନବୀ ଆଖି ଛଳ ଛଳ କରି କହିଲା–“ସତ କହିଲ, ମୋ ଦିହ ଛୁଇଁ; ତୁମେ ଆଉ ମୋତେ ଛାଡ଼ି କୁଆଡ଼େ ଯିବ ନାହିଁ ତ ?”

 

କୁଞ୍ଜ କହିଲା–“ସେ ଆଶଙ୍କା ଆଉ ଏ ଜୀବନରେ ନାହିଁ, ନବୀ ?”

 

ନବୀ ଧୀରେ ଧୀରେ ହସି କହିଲା, “ପୁରୁଷ ଜାତି ଭ୍ରମର । କିଏ କହି ପାରିବ କେଉଁ ଦିନ କେଉଁ ଫୁଲ ନିକଟକୁ ଉଡ଼ିଯିବେ; ବିଶ୍ୱାସ ନାହିଁ ତାଙ୍କୁ ।”

 

କୁଞ୍ଜ ତା’ ଆରକ୍ତ ଗଣ୍ତରେ ଗୋଟିଏ ସ୍ନେହର ଚାପୁଡ଼ା ପକାଇ କହିଲା–“ଦୁଷ୍ଟ !”

Image